କାଗଜଶୂନ୍ୟ ହେବ ବିଧାନସଭାର କାର୍ଯ୍ୟଧାରା: ଅନ୍ଲାଇନ୍‌ରେ ମିଳିବ ପ୍ରଶ୍ନ-ଉତ୍ତର

Odisha

ଭୁବନେଶ୍ୱର: ଫେବୃୟାରୀ ମଧ୍ୟଭାଗରେ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ । ପରମ୍ପରା ଅନୁସାରେ ଏହା ସବୁଠାରୁ ଲମ୍ବା କାର୍ଯ୍ୟଦିବସ ବିଶିଷ୍ଟ ଅଧିବେଶନ ହୋଇଥିବାରୁ ବିଧାନସଭା ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ଆରମ୍ଭ ହୋଇଛି । ଏହା ବ୍ୟତୀତ ରାଜ୍ୟ ବିଧାନସଭାର କାର୍ଯ୍ୟଧାରାକୁ କାଗଜଶୂନ୍ୟ କରିବା ପାଇଁ ମଧ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଉ ଦୁଇପାଦ ଆଗକୁ ବଢ଼ିଛନ୍ତି । ନୂଆ ନିଷ୍ପତ୍ତି ଅନୁସାରେ ବିଧାୟକମାନଙ୍କୁ ଅନ୍ଲାଇନ୍‌ରେ ପ୍ରଶ୍ନ ପଚାରିବା ଏବଂ ଉତ୍ତର ପ୍ରଦାନ ବ୍ୟବସ୍ଥାକୁ ଲାଗୁ କରିବା ଲାଗି ବିଧାନସଭା ପ୍ରସ୍ତୁତ ଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି, ଜାନୁୟାରୀ ୨୯ରୁ ସଂସଦ ଆରମ୍ଭ ହେଉଛି । ବିଧି ଅନୁସାରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଆବଶ୍ୟକ ପରାମର୍ଶ ଓ ଅନୁମତି ପରେ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏଥର ଅଧିବେଶନ ସମୟରେ କୌଣସି ସରକାରୀ କାର୍ଯ୍ୟ ଲାଗି କାଗଜ ବ୍ୟବହାର ନକରିବାକୁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି । ସମସ୍ତଙ୍କୁ ନିର୍ଦ୍ଧାରିତ ତାଲିମ ବି ଦିଆଯାଇଛି ।

ସେହିପରି ଏଥର ପ୍ରଥମଥର ପାଇଁ ବିଧାୟକଙ୍କୁ ସେମାନଙ୍କ ପ୍ରଶ୍ନ ଅନ୍ଲାଇନ୍‌ରେ ପଚାରିବାର ସୁବିଧା ଦିଆଯାଇଛି । ନାଭା ଆପ୍ ଜରିଆରେ ସେମାନେ ନିଜ ମେବାଇଲରୁ ବିଧାନସଭା କାର୍ଯ୍ୟାଳୟକୁ ପ୍ରଶ୍ନ ପଚାରିପାରିବେ । ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଧାରିତ ବିଭାଗ ସଙ୍ଗେ ସଂଯୋଜନା କରାଯାଇ ସେହି ପ୍ରଶ୍ନର ଉତ୍ତର ମଧ୍ୟ ସମ୍ପୃକ୍ତ ବିଧାୟକଙ୍କୁ ଆପ୍ ମାଧ୍ୟମରେ ଯୋଗାଇ ଦିଆଯିବ । ଏଣୁ ଯେଉଁ ବିଧାୟକମାନେ ଚାହିଁବେ ସେମାନେ ଏହି ସୁବିଧା ଉପଯୋଗ କରିପାରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି । ବିଧାନସଭା ଅଧିବେଶନ ଶେଷ ହେବା ପରେ ବିଧାୟକଙ୍କୁ ଏଥିନେଇ ସବିଶେଷ ତାଲିମ ଦିଆଯିବ ବୋଲି ସେ କହିଛନ୍ତି ।

ସମଗ୍ର ଦେଶରେ ରାଜ୍ୟ ବିଧାନସଭାକୁ କାଗଜମୁକ୍ତ କରିବା ଲାଗି ଯେଉଁ ପଦକ୍ଷେପ ନିଆଯାଉଛି ସେଥିରେ ଅରୁଣାଚଳ ପ୍ରଦେଶ ସର୍ବାଗ୍ରେ ରହିଛି । ଏହାପଛକୁ ଓଡ଼ିଶାର ଏପରି ଉଦ୍ୟମ ଦେଶରେ ଏକ ନୂଆ ପରମ୍ପରା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

Leave a Reply