ମାଟିରୁ ୪ ଫୁଟ ଉପରକୁ ଉଠିବ ଦୁଇ ମହଲା କୋଠାଘର, ଲାଗିବ ଦୁଇ ମାସ

Building Lifting

କେନ୍ଦୁଝର: ମାଟିରୁ ୪ ଫୁଟ ଉପରକୁ ଉଠିବ କୋଠାଘର । ଏଭଳି ଘଟଣା ଓଡ଼ିଶା ପାଇଁ କିମ୍ବା ଭାରତୀୟଙ୍କ ପାଇଁ ନୂଆ ନୁହେଁ । ହେଲେ ଏମିତି ଘଟଣା ସାଧାରଣତଃ ଦେଖିବାକୁ ମିଳିନଥାଏ । କୋଠା ଘରକୁ ମାଟିରୁ ଉପରକୁ ଉଠାଇବା ସାଧାରଣ କଥା ନୁହେଁ । ପୂର୍ବରୁ ଏଭଳି ଘଟଣାକୁ ଲୋକ ବିଶ୍ୱାସ କରିପାରୁ ନଥିଲେ । କିନ୍ତୁ ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ନଜର ଆସିବା ପରେ ଲୋକଙ୍କ ବିଶ୍ୱାସ ହୋଇଥିଲା ।

ତେବେ ଏମିତି ଏକ କୋଠାଘରକୁ ମାଟିରୁ ୪ଫୁଟ୍‌ ଉପରକୁ ଉଠାଇବା ପାଇଁ କେନ୍ଦୁଝରରେ ବ୍ୟବସ୍ଥା କରଯାଉଛି । ସହର ଭିତରେ ଥିବା ମନୋଜ କୁମାର ନାଏକଙ୍କ ଘର ଖାଲ ଜମିରେ ଥିବାରୁ ସେ ଏହାକୁ ୪ଫୁଟ ଉପରକୁ ଉଠାଇବାକୁ ଯୋଜନା ଆରମ୍ଭ କରିଛନ୍ତି । ପ୍ରାୟ ୧୨ଜଣ କୁଶଳୀ ଶ୍ରମିକ ଓ ୧୮୦ଟି ଜ୍ୟାକ୍‌ ସାହାଯ୍ୟରେ ତାଙ୍କ କୋଠାଘରକୁ ଉଠାଯାଉଛି । ୧୫ ଦିନରେ ପ୍ରାୟ ୨ଫୁଟ୍‌ ଉପରକୁ ଘର ଉଠାଯାଇଥିବା ବେଳେ କାର୍ଯ୍ୟ ସାରିବାକୁ ପ୍ରାୟ ୨ ମାସ ଲାଗିବ ବୋଲି ଠିକାଦାର କହିଛନ୍ତି ।

ମନୋଜଙ୍କ ଘର ଏକ ଖାଲୁଆ ଜମିରେ ଥିବା ବେଳେ ବର୍ଷାଦିନେ ପାଣି ପଶୁଥିଲା । ୟୁଟ୍ୟୁବ୍‌ରୁ ଠିକାଦାରଙ୍କ ଠିକଣା ପାଇ ମନୋଜ ନାଏକ ନିଜ ଘର ଉଠାଇବାକୁ ଯୋଗାଯୋଗ କରିଥିଲେ । ଏହି ପ୍ରକ୍ରିୟା ଦ୍ୱାରା ଘରପ୍ରତି କୌଣସି ବିପଦ ନଥିବା କହିଛନ୍ତି ଠିକାଦାର । ପୂର୍ବରୁ ଭୁବନେଶ୍ୱରରେ ଏଭଳି କୌଶଳରେ ଦୁଇରୁ ଅଧିକ ଥର ଘର ଉଠାଯାଇଛି । କେନ୍ଦୁଝର ସହରରେ ଏହା ପ୍ରଥମ ଘଟଣା ହୋଇଥିବାରୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ।

Leave a Reply