କରୋନା ମୁକାବିଲା ନେଇ ସରକାରୀ କର୍ମଚାରୀଙ୍କ ଦରମା କାଟିବ ଏହି ରାଜ୍ୟ

ତେଲେଙ୍ଗାନା: କରୋନା ଦୋହଲାଇ ଦେଇଛି ଆର୍ଥିକ ମେରୁଦଣ୍ଡ । ବନ୍ଦ ହୋଇଛି ଦୋକାନ ବଜାର, ଗୋଟିଏ ପ୍ରକାର ଠପ୍‌ ହୋଇଯାଇଛି ବ୍ୟବସାୟ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ କିଛି ଖୋଲିନାହିଁ । ଯାହାର ପ୍ରଭାବ ଦେଖିବାକୁ ମିଳିଛି ରାଜସ୍ୱ ଆଦାୟ ଉପରେ । ପୂର୍ବାପେକ୍ଷା କମିଛି ରାଜସ୍ୱ ଆଦାୟ । ଏଭଳି ପରିସ୍ଥିତିର ମୁକାବିଲା ନେଇ ତେଲେଙ୍ଗାନା ସରକାର ଆପଣାଇଛନ୍ତି ଭିନ୍ନ ଉପାୟ । ସରକାରୀ କର୍ମଚାରୀଙ୍କ ଦରମାର ପ୍ରାୟ ୧୦%ରୁ ୭୫% ପର୍ଯ୍ୟନ୍ତ ଟଙ୍କା କାଟିବା ନେଇ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ।

ଖୋଦ୍‌ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ସମେତ ସମସ୍ତ ବର୍ଗର ଅଧିକାରୀ ଏବଂ କର୍ମଚାରୀଙ୍କ ଦରମା ବଡ଼ ଅଂଶ କଟାଯିବ । ଏଭଳି କି ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍‌ର ଟଙ୍କାର ମଧ୍ୟ କିଛି ଅଂଶ କଟାଯିବ ।

ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସୋମବାର ଅର୍ଥ ବିଭାଗର ଅଧିକାରୀଙ୍କ ସହିତ କରୋନା ନେଇ ରାଜ୍ୟରେ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ଦୀର୍ଘ ସମୟର ଆଲୋଚନା ପରେ ରାଜ୍ୟ ସରକାର ଦରମା କାଟିବା ନେଇ ନିଷ୍ପତ୍ତି ନେଇଛନ୍ତି । କରୋନା ପ୍ରଭାବରେ ରାଜ୍ୟର ରାଜସ୍ୱ ଆଦାୟ କମିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ସରକାର ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ, ରାଜ୍ୟର ମନ୍ତ୍ରୀ, ବିଧାନ ପରିଷଦର ସଦସ୍ୟ, ବିଧାନସଭାର ସଦସ୍ୟ, ନିଗମ ଅଧ୍ୟକ୍ଷ, ସ୍ଥାନୀୟ ନିଗମର ଦରମା ୭୫%, ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଭଳି ସେବାରେ ନିୟୋଜିତ ଅଫିସରଙ୍କ ଦରମାର ୬୦%, ଅନ୍ୟ ସବୁ ଶ୍ରେଣୀର କର୍ମଚାରୀଙ୍କ ଦରମାର ୫୦%, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମାର ୧୦% ଟଙ୍କା କଟାଯିବ । ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ୫୦% କଟାଯିବ । ଚତୁର୍ଥ ଶ୍ରେଣୀ ଅବସରପ୍ରାପ୍ତ କର୍ମଚାରୀଙ୍କ ୧୦% ଟଙ୍କା କଟାଯିବ । ତେଲେଙ୍ଗାନାରେ କୋଭିଡ ୧୯ ଦ୍ୱାରା ସଂକ୍ରମିତ ମାମଲା ଲଗାତାର ବଢ଼ିବାରେ ଲାଗିଛି । ଏଭଳି ସମୟରେ ରାଜ୍ୟର ଆର୍ଥିକ ସ୍ଥିତି ଖରାବ ହେବା ଆଶଙ୍କା କରିଛନ୍ତି ରାଜ୍ୟ ସରକାର ।

Leave a Reply