ବଢିପାରେ ଲୋନ ମୋରେଟୋରିୟମ: ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର

1 min read

ନୂଆଦିଲ୍ଲୀ: ବଢିପାରେ ଲୋନ ମୋରେଟୋରିୟମ । ମୋରେଟୋରିୟମର ଅବଧି ୨ ବର୍ଷ ପର୍ଯ୍ୟନ୍ତ ବଢାଇବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି । ତେବେ ଏହି ମୋରେଟୋରିୟମ ସମସ୍ତଙ୍କୁ ନୁହେଁ  କିଛି କ୍ଷେତ୍ରକୁ ମିଳିପାରେ । କେଉଁ କେଉଁ ସେକ୍ଟରକୁ ମୋରେଟୋରିୟମର ସୁବିଧା ମିଳିବ ତା’ର ସୂଚୀ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି । ଆମେ ଏଭଳି ସେକ୍ଟରକୁ ବାଛୁଛୁ ଯେଉଁମାନଙ୍କୁ ସେମାନଙ୍କ କ୍ଷତିକୁ ଦେଖି ମୋରେଟୋରିୟମର ସୁବିଧା ଦିଆଯିବ ବୋଲି କେନ୍ଦ୍ର ସତ୍ୟପାଠରେ କହିଛି ।

ସୂଚନାଯୋଗ୍ୟ ଯେ, ମୋରେଟୋରିୟମ ଉପରେ ସୁଧକୁ ନେଇ ଗତ ଶୁଣାଣି ବେଳେ କେନ୍ଦ୍ର ଉପରେ ପ୍ରବଳ ବର୍ଷିଥିଲେ ସୁପ୍ରିମକୋର୍ଟ । ଆରବିଆଇର ବାହାନା ଦେଖାଇ କେନ୍ଦ୍ର ସରକାର ନିଜ ଦାୟିତ୍ୱରୁ ଲୁଚି ରହିପାରିବେନି ବୋଲି କୋର୍ଟ କହିଥିଲେ । ଗତକାଲିଠାରୁ ଇଏମଆଇ କୋହଳ ନୀତିର ଅବଧି ସମାପ୍ତ ହୋଇଥିବା ବେଳେ କେନ୍ଦ୍ର ସରକାର ଆଜି କୋର୍ଟରେ ଆଗାମୀ ଯୋଜନା ନେଇ ସତ୍ୟପାଠ ଉପସ୍ଥାପନା କରିଛନ୍ତି । କରୋନା କଟକଣା ସମୟରେ ଦେଶର ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ବିଭିନ୍ନ କମ୍ପାନୀ ଓ ଜନସାଧାରଣଙ୍କ ପାଇଁ ଇଏମଆଇ ଭରଣ ନେଇ କେନ୍ଦ୍ର ସରକାର ନିୟମ କୋହଳ କରିଥିଲେ । ଅଗଷ୍ଟ ୩୧ ପର୍ଯନ୍ତ ଏହି କୋହଳ କରାଯାଇଥିଲା ।

ଲୋନ ମୋରେଟୋରିୟମ ତଥା ଋଣ କିସ୍ତି ପରିଶୋଧ କରିବାକୁ ମିଳିଥିବା ସମୟ ମଧ୍ୟରେ ସୁଧ ଛାଡ ପାଇଁ ଅନୁରୋଧ କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥାରେ ସମସ୍ୟା ସରକାରଙ୍କ ଲକଡାଉନ କାରଣରୁ ଦେଖାଦେଇଛି ।

ସୁପ୍ରିମକୋର୍ଟ ସରକାରୀ ପକ୍ଷଙ୍କୁ କହିଛନ୍ତି ଯେ, ‘ଆପଣ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଏହି ମାମଲାରେ ନିର୍ଣ୍ଣୟ ନେଇଛନ୍ତି । ଆମେ ଏଥିରେ ରିଜର୍ଭ ବ୍ୟାଙ୍କର ଉତ୍ତର ଦେଖିଛୁ । କେନ୍ଦ୍ର ସରକାର ଆରବିଆଇ ପଛରେ ଲୁଚିବାକୁ ଚେଷ୍ଟା କରୁଛି । ’

ଗତ ମାର୍ଚ୍ଚରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଏହା ଅଧୀନରେ, କିସ୍ତି ଦେୟ ଉପରେ ୬ ମାସ ରିହାତି ଦିଆଯାଇଥିଲା, ଯାହା କମ୍ପାନୀ ଏବଂ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲା । ରିହାତି କିମ୍ବା କିସ୍ତି ଦେୟ ଉପରେ ପ୍ରତିବନ୍ଧକ ଅବଧି ୩୧ ଅଗଷ୍ଟରେ ଶେଷ ହେଉଛି ଏବଂ ଏହାକୁ ୩୧ ଅଗଷ୍ଟରୁ ଅଧିକ ବଢ଼ାଯାଇପାରିବ ନାହିଁ ।

ମୋରାଟୋରିୟମ କ’ଣ?

ବାସ୍ତବରେ, ଲୋନ ମୋରେଟୋରିୟମ ଏକ ପ୍ରକାର ସୁବିଧା ଯାହା କରୋନା ଦ୍ୱାରା ପ୍ରଭାବିତ ଗ୍ରାହକ କିମ୍ବା କମ୍ପାନୀମାନଙ୍କୁ ଦିଆଯାଉଥିଲା । ଏହା ଅଧୀନରେ ଗ୍ରାହକ କିମ୍ବା କମ୍ପାନୀ ସେମାନଙ୍କର ମାସିକ କିସ୍ତି ସ୍ଥଗିତ ରଖିପାରିବେ । ଏହି ସୁବିଧା ପାଇବାବେଳେ ତୁରନ୍ତ ରିଲିଫ୍ ମିଳୁଥିବା ସତ କିନ୍ତୁ ପରେ ଅଧିକ ଅର୍ଥ ଦେବାକୁ ପଡିବ । ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଏହି ସୁବିଧା କେବଳ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଉପଲବ୍ଧ ରହିଛି ।

ବ୍ୟାଙ୍କର୍ସ ମାନେ କରିଥିଲେ ଆବେଦନ

ସମ୍ପ୍ରତି ଦେଶର ଅନେକ ବଡ ବ୍ୟାଙ୍କର୍ସ ଏହି ସୁବିଧା ବୃଦ୍ଧି ନକରିବାକୁ ନିବେଦନ କରିଥିଲେ । HDFC ଲିମିଟେଡର ଚେୟାରମ୍ୟାନ୍ ଦୀପକ ପାରେଖ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଉଦୟ କୋଟାକ୍ କହିଛନ୍ତି ଯେ ଅନେକ ଲୋକ ଏହାର ଅଯଥା ଫାଇଦା ନେଉଥିବାରୁ ଏହି ସୁବିଧା ଆଗକୁ ବଢ଼ିବା ଉଚିତ ନୁହେଁ ।

 

Leave a Reply