’ସବୁଦିନ ପାଇଁ ଯାଉଛି, କ୍ଷମା କରିଦେବ’…କ୍ରେଡିଟ୍ କାର୍ଡ ବିଲକୁ ନେଇ ଚିନ୍ତାରେ ଥିଲେ ଯୁବକ, ନେଲେ ଏମିତି ପଦକ୍ଷେପ

1 min read

ମୁମ୍ବାଇ: କ୍ରେଡିଟ କାର୍ଡ ବିଲ୍ ଏବଂ ପଇସା ଅସୁଲ୍ କରିବା ପାଇଁ ବାରମ୍ବାର ଆସୁଥିବା ଏଜେଣ୍ଟଙ୍କ ଧମକପୂର୍ଣ୍ଣ କଲରେ ବ୍ୟତିବ୍ୟସ୍ତ ହୋଇ ଜଣେ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି । ଯଦିଓ ପୋଲିସର ସଜାଗତା ଫଳରେ ତାଙ୍କୁ ଉଦ୍ଧାର କରାଯାଇପାରିଛି ।

ପୋଲିସର ସୂଚନାନୁସାରେ, ୩୨ ବର୍ଷୀୟ ଏହି ଯୁବକ  ମୁମ୍ବାଇର ମୁଲୁନ୍ଦର ବାସିନ୍ଦା ହୋଇଥିବା ବେଳେ  ତାଙ୍କ ପତ୍ନୀ ଜଣେ ନର୍ସ।

ଲକଡାଉନ୍ ଫଳରେ ରାଜୀବ (ଛଦ୍ମନାମ)ଙ୍କ ଆର୍ଥିକ ଅବସ୍ଥା ବିଗିଡି ଯାଇଥିଲା । ଆଉ ଏଭଳି ସ୍ଥଳେ ତାଙ୍କୁ ୮୦ ହଜାର ଟଙ୍କାର କ୍ରେଡିଟ କାର୍ଡ ବିଲ୍ ପଇଠ କରିବାର ଥିଲା ।

ଅନ୍ୟପକ୍ଷରେ କ୍ରେଡିଟ୍ କାର୍ଡ କମ୍ପାନୀ ଏଜେଣ୍ଟମାନଙ୍କର ବାରମ୍ବାର କଲ୍ ଯୋଗୁଁ ସେ ଚାପଗ୍ରସ୍ତ ହେବାକୁ ଲାଗିଥିଲେ । ପରେ ଏଜେଣ୍ଟଙ୍କ ଧମକରୁ ମୁକ୍ତି ପାଇବା ପାଇଁ ସେ ନିଜକୁ ଶେଷ କରିଦେବେ ବୋଲି ଭାବିନେଇଥିଲେ ।

ପରିଶେଷରେ ଗତ ଶନିବାର ଏକ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ମୋବାଇଲକୁ ଶେଷଥର ପାଇଁ ଏକ ମେସେଜ୍ ପଠାଇଥିଲେ, ଯେଉଁଥିରେ ସେ ଲେଖିଥିଲେ- ‘ସବୁଦିନ ପାଇଁ ଛାଡି ଚାଲିଯାଉଛି, ମୋତେ କ୍ଷମା କରିଦେବ’।

ରାଜୀବଙ୍କର ଏଭଳି ମେସେଜ୍ ଦେଖି ତୁରନ୍ତ ତାଙ୍କ ପତ୍ନୀ ଏହାକୁ ସୋସିଆଲ୍ ମିଡିଆରେ ଛାଡି ଦେଇଥିଲେ । ସୗେଭାଗ୍ୟବଶତଃ ଏହି ପୋଷ୍ଟକୁ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଦେଖିବା ସହ ଜଣେ ସମାଜ ସେବୀଙ୍କୁ ପଠାଇ ଦେଇଥିଲେ । ଏହିପରି ଭାବେ ଖବରଟି ଯାଇ ଜୋନ୍-୭ର ଡିସିପି ପ୍ରଶାନ୍ତ କଦମଙ୍କ ପାଖରେ ପହଞ୍ଚିଥିଲା ।

ଡିସିପି ଏହି ସୂଚନାକୁ ଗମ୍ଭୀରତାର ସହ ନେଇ ମାତ୍ର ୭ରୁ ୮ ମିନିଟ ମଧ୍ୟରେ ରାଜୀବଙ୍କ ଫୋନ୍ ନମ୍ବରକୁ ଟ୍ରାକ୍ ତାଙ୍କ ପାଖରେ ପହଞ୍ଚିଥିଲେ ।

ତେବେ ପୋଲିସର ସହାୟତାରେ ରାଜୀବଙ୍କୁ ଆତ୍ମହତ୍ୟା କରିବାରୁ ରୋକାଯାଇପାରିଥିଲା। ପରେ ତାଙ୍କୁ ଥାନାକୁ ଅଣାଯାଇ କାଉନସିଲିଂ କରିବା ସହ ଘରକୁ ଛାଡି ଦିଆଯାଇଥିଲା ।

Leave a Reply