ଦରମା ମାଗିବାରୁ ଗଲା ଡାକ୍ତରଙ୍କ ଚାକିରି, ଏବେ ଠେଲାରେ ପତ୍ନୀଙ୍କ ସହ ବିକୁଛନ୍ତି ଚା’

1 min read

କରନାଲ(ହରିୟାଣା): ଲକଡାଉନ୍ ଭିତରେ ବହୁତ ଅଜବ ଖବର ଆସୁଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଡାକ୍ତର ସାଜିଛନ୍ତି କରୋନା ଯୋଦ୍ଧା । ଏଭଳି ଯୋଦ୍ଧା ଏବେ ରାସ୍ତା କଡ଼ରେ ଠେଲା ଧରି ଛିଡ଼ା ହେଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କରନାଲ ସହରରେ । ରାସ୍ତା କଡ଼ରେ ଜଣେ ଡକ୍ଟର ନବବିବାହିତା ସ୍ତ୍ରୀଙ୍କ ସହ ଚା ବିକୁଛନ୍ତି । ଡକ୍ଟରଙ୍କ କହିବା କଥା ହେଲା, ସେ ଯେତେବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦରମା ମାଗିଲେ ତ ତାଙ୍କୁ ବିଦା କରି ଦିଆଗଲା । ଚାକିରି ହରାଇଥିବା ଡକ୍ଟର ଜଣଙ୍କ ହେଉଛନ୍ତି ଗୌରବ ବର୍ମା । ଯିଏ କି, ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ, ୨ ମାସର ଦରମା ମିଳିନଥିଲା । ସେ ଯେତେବେଳେ ଦରମା ମାଗିଲେ ତାଙ୍କୁ ଅନ୍ୟତ୍ର ଟ୍ରାନ୍ସଫର କରିଦିଆଗଲା । ବଦଳିକୁ ବିରୋଧ କରିବାରୁ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ଏବେ ନବବିବାହିତ ଡାକ୍ତର ଦମ୍ପତି କରନାଲର ସେକ୍ଟର-୧୩ରେ ଠେଲାରେ ଚା ବିକ୍ରି କରୁଛନ୍ତି । ହସ୍ପିଟାଲ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି ।

ଏନେଇ ଡକ୍ଟର ଗୌରବ ବର୍ମା, ହସ୍ପିଟାଲର ମୁଖ୍ୟାଳୟ ସହ କଥାବାର୍ତ୍ତା ହୋଇଥିଲେ । କିନ୍ତୁ, କର୍ତ୍ତୃପକ୍ଷ କିଛି ଶୁଣି ନଥିଲେ । ବରଂ ତାଙ୍କୁ ଗାଜିଆବାଦ ବଦଳି କରି ଦିଆଗଲା । ବିବାଦ ତୀବ୍ର ହେବାରୁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ଏଥିରେ ଭାଙ୍ଗି ପଡ଼ିଥିବା ଡକ୍ଟର ଗୌରବ ବର୍ମା ସିଏମ୍ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ, ନ୍ୟାୟ ନମିଳିବାରୁ ଗୌରବ ହସ୍ପିଟାଲ ସମ୍ମୁଖରେ ଏକ ଠେଲାରେ ଚା ବିକ୍ରି କରୁଛନ୍ତି ।

ମାମଲାର ତଦନ୍ତ ଚାଲିଛି

ସିଭିଲ୍ ସର୍ଜନ ଡକ୍ଟର ଅଶ୍ୱିନୀ ଆହୁଜା ତାଙ୍କ ପାଖକୁ ଅଭିଯୋଗ ଆସିଥିବା କହିଛନ୍ତି । ଏହା ସମ୍ବନ୍ଧରେ ଏବେ କିଛି କହିବା ଠିକ୍ ହେବନାହିଁ । ଏହା ତଦନ୍ତ ସାପେକ୍ଷ । ତଦନ୍ତ ସମ୍ପୂର୍ଣ୍ଣ ହେଲା ପରେ ଯାଇ ସବୁକିଛି ସ୍ପଷ୍ଟ ହେବ । ଏବେ ମାମଲାର ଯାଞ୍ଚ ଚାଲିଛି ।

ହସ୍ପିଟାଲର ପକ୍ଷ

ହସ୍ପିଟାଲର କରନାଲ ୟୁନିଟ୍ ମୁଖ୍ୟ ଏହି ମାମଲାରେ ସ୍ପଷ୍ଟୀକରଣ ରଖି କହିଛନ୍ତି, ଲକଡାଉନ୍ ଯୋଗୁଁ ଦରମା ଦେବାରେ ଅସୁବିଧା ହେଉଥିଲା । ଡକ୍ଟର ଗୌରବ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭୂଲ । ସେ ଅନେକଥର ବେଆଇନ୍ କାର୍ଯ୍ୟ କରିଛନ୍ତି । ଯେଉଁଥିପାଇଁ ୩ରୁ ୪ ଥର ନୋଟିସ୍ ଦିଆଯାଇ ଚେତାବନୀ ଦିଆଯାଇଥିଲା । କମ୍ପାନୀର ବରିଷ୍ଠ ଅଧିକାରୀ ତାଙ୍କୁ ଭେଟିବାକୁ ଯାଇଥିଲେ । କିନ୍ତୁ, ଡାକ୍ଟର ଗୌରବ ଶର୍ମା ଭେଟିବାକୁ ମନା କରି ଦେଇଥିଲେ । ତାଙ୍କର କିଛି ଅସୁବିଧା ଥିଲେ ଏକାଠି ବସି ମାମଲାର ସମାଧାନ କରାଯାଇ ପାରିଥାନ୍ତା ।

Leave a Reply