ବସ୍ତର ମାଓବାଦୀଙ୍କୁ ଗୁଳି ଯୋଗାଇବା ଅଭିଯୋଗରେ ୨ପୋଲିସ ଗିରଫ !

1 min read

ରାୟପୁର: ମାଓବାଦୀ ହିଂସା ଦ୍ୱାରା ପ୍ରଭାବିତ ସୁକମା ଜିଲ୍ଲାରୁ ଛତିଶଗଡ ପୋଲିସ ୪ ଜଣ ବ୍ୟକ୍ତିଙ୍କୁ ମାଓବାଦୀଙ୍କୁ ଗୁଳିଗୋଳା ଯୋଗାଉଥିବା ଅଭିଯୋଗରେ ଗିରଫ କରିଛି । ଏହି ୪ ଜଣ ବସ୍ତରରେ ସକ୍ରିୟ ଥିବା ବେଆଇନ ଘୋଷିତ ସିପିଆଇ(ମାଓବାଦୀ)କୁ ଗୁଳି ଯୋଗାଉଥିବା ଜଣା ପଡିଛି । ପୋଲିସ ସେମାନଙ୍କଠାରୁ ୬୯୫ ଗୁଳି ଜବତ କରିଛି । ଗୁଳି ସବୁ ଏକେ-୪୭ ଓ ଇନସାସ ରାଇଫଲ ପାଇଁ ଉଦ୍ଧିଷ୍ଟ ଥିଲା ।

ଛତିଶଗଡ ପୋଲିସ ଅନୁସାରେ ଓଡ଼ିଶାରୁ ଦୁଇ ଜଣ ବ୍ୟକ୍ତି ମନୋଜ ଶର୍ମା ଓ ହରିଶଙ୍କର ଗେଡାମ ମାଲକାନଗିରି ରୋଡରେ ସୁକମା ଦେଇ କଙ୍କର ଆସୁଥିବା ସୂଚନା ସେମାନଙ୍କୁ ମିଳିଥିଲା । ସେମାନେ ଗୁଳି କଙ୍କରରେ ରହୁଥିବା ଗଣେଶ କୁଞ୍ଜମ ଓ ଆତ୍ମାରାମ ନରେତିଙ୍କୁ ଦେବାର ଥିଲା । ଏହି ଦୁଇ ବ୍ୟକ୍ତିଙ୍କର ମାଓବାଦୀ ନେତା ଦର୍ଶନ ପେଡା ସହ ସିଧାସଳଖ ସମ୍ପର୍କ ରହିଛି । ଜୁନ୍ ୪ ତାରିଖରେ ଏହି ୪ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲଣ କରାଯାଇଥିଲା ।

ପରେ ମଙ୍ଗଳବାର ଦିନ ଏସଆଇଟି ଯାଂଚରୁ ଏହି କାଣ୍ଡ ସହ ପୋଲିସର ସମ୍ପର୍କ ଥିବା ଜଣା ପଡିଥିଲା । ଏସଆଇଟି ତଦନ୍ତରୁ ଦୁଇ ଜଣ କନେଷ୍ଟବଲ ଏଏସଆଇ ଆନନ୍ଦ ଜାଟବ ଓ କନେଷ୍ଟବଲ ସୁବାସ ସିଂଙ୍କ ସମ୍ପର୍କ ଥିବା ଜଣା ପଡିଥିଲା । ଦୁଇ କନେଷ୍ଟବଲଙ୍କୁ ପୋଲିସ ଗିରଫ କରିଛି । ଅଧିକ ତଦନ୍ତରୁ ସେମାନେ ଏକାକୀ ଅପରେଟ୍ କରୁଥିଲେ କି ସେମାନଙ୍କ ପଛରେ ଆଉ କିଏ ଥିଲା ତାହା ଜଣା ପଡିବ ।

Leave a Reply