ରାଜଧାନୀରେ ସୋନୁ, ସବ୍ୟଙ୍କୁ ପ୍ରଶଂସା କରି ହୋର୍ଡିଂ

ଭୁବନେଶ୍ୱର: କରୋନା ଲକଡାଉନ୍ ଯୋଗୁଁ ବନ୍ଦ ହୋଇଯାଇଥିଲା ରୋଜଗାର । ଭିଟାମାଟି ଛାଡ଼ି କାମ ପାଇଁ ଯାଇଥିବା ପ୍ରବାସୀ ପର ରାଇଜରେ ଫସି ରହିଥିଲେ । କାମ ବନ୍ଦ ଥିବାରୁ କଷ୍ଟକର ହୋଇ ପଡ଼ିଥିଲା ଚଳିବା । ସେମାନଙ୍କ ଆଖିରେ ନାଚୁଥିଲା ଜନ୍ମମାଟି । ତେବେ, ବସ୍ କି ଟ୍ରେନ୍ କିଛି ଚାଲୁନଥିବାରୁ କେହି ଫେରି ପାରୁନଥିଲେ । ପ୍ରବାସୀ ଶ୍ରମିକଙ୍କ ଏଭଳି ଦୁଃସ୍ଥିତିରେ ସେମାନଙ୍କୁ ସାହାଯ୍ୟ କରିଥିଲେ ରୂପେଲି ପରଦାର କଳାକାର । ଏଭଳି କଳାକାରଙ୍କୁ ସମ୍ମାନ ଜଣାଇଛି ଭୁବନେଶ୍ୱରର କଳ୍ପନା ଛକ ଟୋକା ସଂଘ ।

ଆସନ୍ତୁ ଜାଣିବା ସେହି କଳାକାର ମାନଙ୍କୁ । ବଲିଉଡର ଜଣାଶୁଣା ନାଁ ସୋନୁ ସୁଦ୍ । ସ୍କ୍ରିନର ଏହି ଖଳନାୟକ ଏବେ ସଭିଙ୍କ ପାଇଁ ହିରୋ । ବିହାରୀ ହୁଅନ୍ତୁ କି ବଙ୍ଗାଳୀ ଅବା ଓଡ଼ିଆ ଲକଡାଉନରେ ସମସ୍ତଙ୍କୁ ସାହାଯ୍ୟ କରି ସେ ଆଜି ଘରେ ଘରେ ସଭିଁଙ୍କ ମନେ ଜିଣି ପାରିଛନ୍ତି ।

ସେହିପରି ଆଉ ଜଣେ କଳାକାର ହେଉଛନ୍ତି ସବ୍ୟସାଚୀ ମିଶ୍ର। ଶାନ୍ତ ସ୍ୱଭାବର ସବ୍ୟ ବି ଲକଡାଉନରେ ଅସହାୟଙ୍କୁ ସାହା ହୋଇଛନ୍ତି । ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ଘରକୁ ଫେରାଇ ଆଣିବାରେ ସହାୟତା କରିଛନ୍ତି ସବ୍ୟ ।ଯାତ୍ରାରେ ଅଙ୍ଗ ପ୍ରଦର୍ଶନୀ ପାଇଁ ଚର୍ଚ୍ଚାରେ ଥିବା ରାନୀ ପଣ୍ଡା ଏବେ ଲାଇମ୍ ଲାଇଟରେ । ଲକଡାଉନରେ ଯାତ୍ରା ପାର୍ଟି ସବୁ ବନ୍ଦ ରହିଥିବା କଳାକାରଙ୍କ ରୋଜଗାର ବି ନାହିଁ । କିନ୍ତୁ, ରାନୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୫୦ ହଜାର ଟଙ୍କା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏଭଳି କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ କଳ୍ପନା ଛକ ଟୋକା ସଂଘ ପକ୍ଷରୁ ହୋର୍ଡିଂ ଲଗାଯାଇଛି ।

Leave a Reply