ରଥଯାତ୍ରା ନେଇ ମତ ରଖିଲେ ରାଜନୈତିକ ଦଳ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା

Political reaction over Car Festival

ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ କେମିତି ହେବ ରଥଯାତ୍ରା ? ଘୋଷଯାତ୍ରାରେ ସାମାଜିକ ଦୂରତା ରକ୍ଷା ସମ୍ଭବ ତ ? ଏଭଳି ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ଜଗନ୍ନାଥପ୍ରେମୀଙ୍କ ମନରେ । ଘୋଷଯାତ୍ରା ପାଖେଇ ଆସୁଥିବା ବେଳେ ରଥଟଣା ହେବ କି ନାହିଁ ସେ ନେଇ ରାଜ୍ୟ ସରକାର କୌଣସି ଠୋସ୍ ନିଷ୍ପତ୍ତି ନେଇନାହାଁନ୍ତି । ରାଜନୈତିକ ବିରୋଧୀ କଂଗ୍ରେସ, ବିଜେପି କୋଭିଡ୍ କଟକଣା ମାନି ରଥଯାତ୍ରା କରିବାକୁ ଦାବି କରୁଛନ୍ତି । ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛି ବିଜେଡି ।

କୋଭିଡ୍ ଗାଇଡଲାଇନ୍ ଅନୁସରଣ କରି ରଥଯାତ୍ରା କରିବାକୁ କଂଗ୍ରେସ ଦାବି କରିଛି । ରାଜ୍ୟ ଓ ଦେଶ ବିଦେଶର କୋଟି କୋଟି ଜଗନ୍ନାଥ ପ୍ରେମୀ ରଥଯାତ୍ରାକୁ ଅପେକ୍ଷା କରିଛନ୍ତି । ରଥଯାତ୍ରା କରାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ପୋଲିସ ଅଧିକାରୀଙ୍କ ସହ କଂଗ୍ରେସ ଆଲୋଚନା କରିଛି ।

ସ୍ନାନ ଯାତ୍ରା ଭଳି ବିନା ଭକ୍ତରେ ରଥଯାତ୍ରା ହୋଇପାରିବ । ରାଜ୍ୟ, ଦେଶ, ବିଦେଶର କୋଟି କୋଟି ଜଗନ୍ନାଥ ପ୍ରେମୀ ଏହି ନିଷ୍ପତ୍ତିକୁ ଚାହିଁ ବସିଛନ୍ତି । ବିରୋଧି ମାନେ ସରକାରଙ୍କୁ ରଥଯାତ୍ରା କରାଇବାରେ ସମସ୍ତ ସହାୟତା ଦେବେ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ।

ତେବେ, ରଥଯାତ୍ରା ନ ହେଉ ବୋଲି ସରକାର କହିନାହାଁନ୍ତି କି ସବୁ ପ୍ରସ୍ତୁତିରେ ଉଣା କରାଯାଇ ନାହିଁ । ଶେଷ ମୁହୂର୍ତ୍ତ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ବିଜେଡି କହିଛି । ଯଦି ବିପଦ ଆଶଙ୍କା ନହୁଏ ତେବେ ରଥଯାତ୍ରା ପାଇଁ ବିକଳ୍ପ ରାସ୍ତା ବାହାରି ପାରେ । ସରକାର ସତର୍କ ଓ ସଜାଗ ଅଛନ୍ତି । ଭକ୍ତଙ୍କ ଭାବାବେଗକୁ ସରକାର ସମ୍ମାନ ଦେଇ ଆସିଛନ୍ତି ବୋଲି ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ।

ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସଦସ୍ୟ ରଘୁନାଥ ମହାପାତ୍ର । ଲୋକ ଗହଳି ନ ହେଉ । ଯାହା ଘର ବଡ଼ଦାଣ୍ଡରେ, ସେମାନେ ଝରକାରୁ ଦେଖନ୍ତୁ, ବାକି ଟିଭିରେ ଦେଖିବେ । ପୁରୀକୁ ସଟଡାଉନ୍ କରି ସେବାୟତ ଓ ପୋଲିସ ରଥ ଟାଣିବେ । କିଛି ସେବାୟତ ରଥ ଉପରେ ରହିବେ, ବାକି ରଥ ଟାଣିବେ । ସମସ୍ତେ ତ ଟାଣନ୍ତି ନାହିଁ, କେବଳ ହାତ ଦେଇଥାନ୍ତି । ପ୍ରଭୁଙ୍କ ଇଚ୍ଛାରେ ରଥ ଗଡ଼େ । ରଥଯାତ୍ରା ଓ ନୀତିକାନ୍ତି ହେଉ । ଯଦି ପରିସ୍ଥିତି ଖରାପ ହୁଏ, ରଥଯାତ୍ରା ନ ହେଉ ବୋଲି ସେ ମତ ଦେଇଛନ୍ତି । ରଥ ନ ଚଢ଼ିଲେ କଣ ପ୍ରଭୁ ରହିବେନି ? ଆଗରୁ ବି ପ୍ରଭୁ ପାତାଳି ହେବାବେଳେ ବହୁତ ଥର ରଥଯାତ୍ରା ବନ୍ଦ ହୋଇଛି । ହେଲେ ସବୁ ଚୂଡ଼ାନ୍ତ ହୋଇଛି । ପ୍ରଭୁଙ୍କ ଇଚ୍ଛାରେ ଏତେ କାମ ଆଗେଇଲାଣି, ସବୁ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Leave a Reply