ହସ୍ପିଟାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ, ଡାକ୍ତର କହୁଛନ୍ତି କିଡ୍‌ନୀ ସମସ୍ୟା..

1 min read
Kamala Pujari

କୋରାପୁଟ: ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । କୋରାପୁଟ ମେଡିକାଲ କଲେଜ ହସପିଟାଲର ମେଡିସିନ ବିଭାଗର ମହିଳା ଓ୍ୱାର୍ଡରେ ଭର୍ତ୍ତି ହୋଇଛନ୍ତି ପୂଜାରୀ । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି, କୋରାପୁଟ ବିଧାୟକ ରଘୁରାମ ପଡାଲ, ରାଜ୍ୟ ବିହନ ନିଗମ ଅଧକ୍ଷ ଇଶ୍ୱର ପାଣିଗ୍ରାହୀ ଓ ରାଜ୍ୟ ଯୋଜନା ବୋର୍ଡର ଉପାଧକ୍ଷ ସଂଜୟ ଦାସ ବର୍ମା ହସପିଟାଲରେ ପହଞ୍ଚି କମଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି । କମଳାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନେତାମାନେ ।

ମଙ୍ଗଳବାର ରାତିରେ ଜୟପୁର ଜିଲ୍ଲା ହସ୍‌ପିଟାଲରୁ କୋରାପୁଟ ମେଡିକାଲ କଲେଜ ହସପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ସହ କିଡ୍‌ନୀ ଜନିତ ସମସ୍ୟା ଥିବା କହିଛନ୍ତି ଡାକ୍ତର । କୋରାପୁଟ ଜିଲ୍ଲାପାଳ ହସପିଟାଲରେ ପହଞ୍ଚି କମଳାଙ୍କ ସହ ଆଲୋଚନା କରିଛନ୍ତି ।

କମଳା ପୂଜାରୀ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଳକ ଅନ୍ତର୍ଗତ କାଣ୍ଡକିଗୁଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାମ କାଣ୍ଡକି । ଶ୍ୱଶୁରଘର ଗାଁ ପାତ୍ରପୁଟ । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି ।

ସେ ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା ନିମନ୍ତେ ପ୍ରାରମ୍ଭିକ ଅବସ୍ଥାରେ ୨୧ ଜଣ ଉତ୍ସର୍ଗୀକୃତ ତଥା କର୍ମଠ ମହିଳାଙ୍କୁ ନେଇ ନିଜ ଗାଆଁଁରେ “ତ୍ରୀନାଥ ଠାକୁର ବନ ସୁରକ୍ଷା ସମିତି” ନାମକ ଏକ ସଂଘ ଗଠନ କରି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କାମ କରିଥିଲେ । ସେ ଜୟପୁରସ୍ଥିତ ଏମ୍‌ଏସ୍‌ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍‌ରେ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ଉପଯୁକ୍ତ ତାଲିମ ପାଇଥିଲେ । ପରବର୍ତ୍ତୀ ସମୟରେ ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବୀକ ଚାଷ କରି ଲୋକ ଲୋଚନକୁ ଆସିଥିଲେ ।

ତାଙ୍କୁ ୨୦୧୯ରେ ପଦ୍ମଶ୍ରୀ ପୁରଷ୍କାର ଦିଆଯାଇଥିଲା । ଉନ୍ନତ କିସମର ଦେଶୀ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ୨୦୦୨ ମସିହାରେ ତାଙ୍କୁ “ଇକ୍ୱେଟର ଇନିସିଏଟିଭ୍‌ ଆଓ୍ୱାର୍ଡ” ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭାରତ ସରକାର ୨୦୦୩ ମସିହାରେ ତାଙ୍କୁ “କୃଷି ବିଶାରଦ” ସମ୍ମାନରେ ସମ୍ମାନିତ କରିଥିଲେ । ଖାଲି ସେତିକି ନୁହେଁ ତାଙ୍କୁ କୃଷି ସମ୍ମାନ, ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ ମଧ୍ୟ ଦିଆଯାଇଛି । ଓଡ଼ିଶା ସରକାର କମଳାଙ୍କ ସମ୍ମାନାର୍ଥେ OUATର ମହିଳା ଛାତ୍ରୀନିବାସକୁ କମଳାଙ୍କ ନାମରେ ନାମିତ କରିଛନ୍ତି ।

Leave a Reply