ଘୁଞ୍ଚିଲା ତାରିଖ, ୧୦ ତାରିଖ ଯାଏ ଫର୍ମ ପୂରଣ କରିପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

BSE Extends Form Filling Date Of Annual HSC Examination

ଭୁବନେଶ୍ୱର: ବଢିଲା ମାଟ୍ରିକ୍ ଫର୍ମ ପୂରଣ ଅବଧି । ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଘୁଂଚିଲା ଫର୍ମ ପୂରଣ ତାରିଖ । ୧୦ ତାରିଖ ମଧ୍ୟ ରାତ୍ର ଯାଏ ଫର୍ମ ପୂରଣ କରି ପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ମଙ୍ଗଳବାର ଥିଲା ଫର୍ମ ପୂରଣର ଶେଷ ତାରିଖ । ଏବେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ଓପନ ସ୍କୁଲ ପରୀକ୍ଷା ଓ ପତ୍ର ବିନିମୟ ପାଠ୍ୟକ୍ରମ ପରୀକ୍ଷା ପାଇଁ ଫର୍ମ ପୂରଣର ଶେଷ ତାରିଖ ଫେବୃଆରୀ ୧୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ କରୋନା ପାଇଁ ଏଥର ଫର୍ମ ପୁରଣ ପାଇଁ କୌଣସି ଫି’ ନିଆଯାଉ ନାହିଁ । ସରକାରଙ୍କ ପକ୍ଷରୁ ଏନେଇ ପୂର୍ବରୁ ଘୋଷଣା ହୋଇସାରିଛି । ଖାଲି ସେତିକି ନୁହେଁ କରୋନା ମହାମାରୀ ଯୋଗୁଁ ଏଥର ଛାତ୍ରଛାତ୍ରୀ ନିଜ ସ୍କୁଲରେ ହିଁ ମାଟ୍ରିକ୍‌ ପରୀକ୍ଷା ଦେବେ । ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ଅବଧିର ପରୀକ୍ଷା ହେବ । ତେବେ ଅନ୍ୟ ସ୍କୁଲ ଶିକ୍ଷକ ପରୀକ୍ଷା ନିରୀକ୍ଷକ ଦାୟିତ୍ୱରେ ରହିବେ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଟେଷ୍ଟପେପର ଦିଆଯାଉଛି । ୬ ଲକ୍ଷ ୨୦ ହଜାର ୫୦୮ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ପ୍ରଦାନ କରିବେ ସରକାର । କୋଭିଡ ଯୋଗୁଁ ପାଠ ପଢାରେ ସୃଷ୍ଟି ହୋଇଥିଲା ବ୍ୟାଘାତ । ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ବିଦ୍ୟାଳୟ । ସେପଟେ ବର୍ତ୍ତମାନ ସ୍କୁଲ ଖୋଲିଛି ଏବଂ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କ ହାତରେ ଖୁବ କମ୍‌ ସମୟ ରହିଛି । ଏପରିସ୍ଥଳେ ପିଲାଙ୍କୁ ୭୦୦ ପୃଷ୍ଠାର ଟେଷ୍ଟପେପର ମାଗଣା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର ।

Leave a Reply