ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ବାହାରେ ବିନା ଦେୟରେ ଶ୍ରମିକ ସହାୟତା ହେଲ୍ପ ଲାଇନ୍‌ ନମ୍ବର ଓ ଶ୍ରମିକଙ୍କ ଅଭିଯୋଗ ସମାଧାନ ପାଇଁ ଇ-ଶ୍ରମିକ ସମାଧାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରମିକଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍‌ ଘୋଷଣା କରାଯାଇଛି ।ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ୨୦ଟି ବ୍ଲକରେ ଅତିରିକ୍ତ ୧୦୦ ଦିନର କାର୍ଯ୍ୟ ସହ ବର୍ଦ୍ଧିତ ମଜୁରୀ ଲାଗୁ କରାଯାଇଛି । ୨୦୨୦ ସୁଦ୍ଧା ପ୍ରବାସୀ ଶ୍ରମିକ ଚିହ୍ନଟ ପ୍ରକ୍ରିୟା ସରିବ । ୨୦ ବ୍ଲକର ସବୁ ପଞ୍ଚାୟତକୁ ଜୀବିକା ମିଶନର ସଘନ ପଞ୍ଚାୟତ ଭାବେ ଗ୍ରହଣ କରାଯାଇଛି ।ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରାଯାଇଛି । ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ବୀମା ସୁବିଧା ହୋଇଛି । ବ୍ୟାଙ୍କିଂ ସୁବିଧା ପାଇଁ ଏସଏଚଜି ସଦସ୍ୟଙ୍କୁ ବ୍ୟାଙ୍କ ମିତ୍ର ଭାବେ ନିଯୁକ୍ତି ଦିଆଯାଇଛି । ପ୍ରବାସୀ ଶ୍ରମିକ ସହାୟତା ପାଇଁ ପ୍ରତି ପଞ୍ଚାୟତରେ ଶ୍ରମିକ ମିତ୍ର ନିଯୁକ୍ତ କରାଯାଇଛି । ବିଡିଓଙ୍କ ନିରାପତ୍ତା ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ଆବେଦନ ସୁବିଧା ରହିଛି ।ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ସହାୟତା ଦିଆଯାଉଛି । ଓଡ଼ିଆ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀରେ ଶ୍ରମିକମାନଙ୍କ ପାଇଁ ଓଡ଼ିଆ ହେଲ୍ପ ଡେସ୍କ ରହିଛି । ତେବେ କର୍ଣ୍ଣାଟକ, କେରଳ, ତାମିଲନାଡୁ ଓ ଗୁଜରାଟରେ ଶୀଘ୍ର ହେଲ୍ପ ଡେସ୍କ ଖୋଲାଯିବ ।

Leave a Reply