ନ୍ୟାୟ ମାଗୁଚି ପରୀ: ମାଇଲେଜ ନେବାକୁ ନୟାଗଡ଼ରେ ବିଜେପି ଓ କଂଗ୍ରେସର ଡ୍ରାମାବାଜି

ଭୁବନେଶ୍ୱର: ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ଦୋଷୀଙ୍କୁ ଧରିବା ପାଇଁ ଏସ୍‌ଆଇଟି ଚଳାଇଛି ମାରାଥନ ଛାନ୍‌ଭିନ୍‌ । ଅନ୍ୟପଟେ ବିରୋଧୀ କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗରେ ରାଜନୀତି ଆରମ୍ଭ କରିଦେଇଛନ୍ତି । ପରୀର ପରିବାର ଲୋକଙ୍କୁ ସମବେଦନା ଜଣାଇବା ନାଁରେ ଦଳର ତୁଙ୍ଗ ନେତା ନୟାଗଡ଼ରେ ଡେରା ପକାଇଛନ୍ତି । ତେବେ ପରୀକୁ ନେଇ ରାଜନୀତି ନକରିବାକୁ ନିବେଦନ କରିଛି ବିଜେଡି । ଉଭୟ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଓ ପରୀ ମୃତ୍ୟୁ ମାମଲାରେ ପୀଡିତାଙ୍କୁ ନ୍ୟାୟ ମିଳିବ ବୋଲି ବିଜେଡି କହିଛି ।

ମାତ୍ର ୪ରୁ ୫ ଦିନରେ ଖୁବ ଗୁଡାଏ ତଥ୍ୟ ପାଇଛି ସ୍ବତନ୍ତ୍ର ତଦନ୍ତକାରୀ ଦଳ । ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ଦକ୍ଷ ପୋଲିସ ଅଧିକାରୀ ଅରୁଣ ବୋଥ୍ରାଙ୍କ ତତ୍ତ୍ବାବଧାନରେ ଚାଲିଛି ତଦନ୍ତ । ଏସଆଇଟି ଗଠନକୁ ୫ ଦିନ ହୋଇଥିବାବେଳେ ଘଟଣାରେ ସଂପୃକ୍ତି ସନ୍ଦେହରେ ବାବୁଲି ନାୟକଙ୍କ ଘରେ ଖାନତଲାସି କରାଯାଇଛି । ବାବୁଲି ନାୟକ ଓ ତାଙ୍କ ପୁଅଙ୍କୁ ଅରୁଣ ବୋଥ୍ରା ପଚରାଉଚରା କରିଛନ୍ତି । ବାବୁଲି ନାୟକଙ୍କ ଯାନବାହନ ଓ ଡ୍ରାଇଭରଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି । ତେବେ ଆଉ ୨ ସପ୍ତାହ ଅପେକ୍ଷା କରିବାକୁ କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ନ୍ୟାୟ ମାଗୁଚି ପରୀ । ପରୀକୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଥିବାବେଳେ ବିରୋଧୀ ଏହି ପ୍ରସଙ୍ଗରୁ ମାଇଲେଜ ନେବାକୁ ପଛାଉନାହାନ୍ତି । ସମବେଦନା ଜଣାଇବା ଆଳରେ ରାଜରାସ୍ତାରେ ଚାଲିଛି ହାଇ ପ୍ରୋଫାଇଲ ଡ୍ରାମା । ପିସିସି ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ବରେ କଂଗ୍ରେସ ପ୍ରତିନିଧି ଦଳ ପରୀ ଗାଁରେ ପହଞ୍ଚି କରିଛି ରାଜନୈତିକ ସମାବେଶ । ଏପରି ଏକ ସମ୍ବେଦନଶୀଳ ମାମଲାରେ ନେତାଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସ୍ବାଗତ କରିବା କେତେ ଦୂର ଯୁକ୍ତିଯୁକ୍ତ ? ବିଜେପି ବି ରାଜକୀୟ ଠାଣିରେ ପହଞ୍ଚିଥିଲା ଯଦୁପୁରରେ । ହାଥରସ କିମ୍ବା ରାଜଧାନୀ ନାବାଳିକା ନ୍ୟାୟ ବେଳକୁ ମୁହଁରେ ତୁଣ୍ଡି ଦେଇ ବସିଥିବା ବିଜେପି ନେତା ସମ୍ବିତ ପାତ୍ରଙ୍କ ନେତୃତ୍ବରେ ପହଞ୍ଚିଥିଲା ବିଜେପି । ସିବିଆଇ ତଦନ୍ତ ଦାବି କରିବା ସହ ଅନିର୍ଦ୍ଦିଷ୍ଟ କାଳ ଆରମ୍ଭ କରିଦେଇଛି ଧାରଣା ଡ୍ରାମା । ସେପଟେ ପରୀ ମୃତ୍ୟୁ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ କରୁଛି, ଏହାକୁ ରାଜନୀତି କୁଟାଖିଅ କରାନଯାଉ ବୋଲି ଲେନିନ କହିଛନ୍ତି । ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା ବେଳେ ସମ୍ବିତ ପାତ୍ର ଓ ଚେଲ୍ଲାକୁମାର କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଲେନିନ୍ କହିଛନ୍ତି ଯେ, ଘଟଣାରେ ଗଣମାଧ୍ୟମ କର୍ମଚାରୀଙ୍କ ସଂପୃକ୍ତି ରହିଛି । ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ସହଯୋଗ କଲେ ତଦନ୍ତ ଆଗକୁ ଯିବ । ପରୀ ନ୍ୟାୟ ପାଉ, ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ପୀଡ଼ିତା ବି ନ୍ୟାୟ ପାଉ । କିନ୍ତୁ ଏହାକୁ ନେଇ ଶସ୍ତା ରାଜନୀତି ବନ୍ଦ ହେଉ ବୋଲି କହିଛି ବୁଦ୍ଧିଜୀବୀ ମହଲ ।

 

Leave a Reply