ଆଗକୁ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ, ହେଲେ ଶ୍ରୀମନ୍ଦିର ଖୋଲିବା ନେଇ ହୋଇନି ଚୂଡ଼ାନ୍ତ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନଥିବାବେଳେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଦର୍ଶନ ବ୍ୟବସ୍ଥା କରିବା ପାଇଁ ମତ ପ୍ରକାଶ ପାଇଛି । ଦର୍ଶନ ପାଇଁ ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି । କେହି କେହି ଅନ୍‌ଲାଇନ୍‌ ଦର୍ଶନ ନେଇ ମତ ରଖିଥିବା ବେଳେ କେହି ଏହାକୁ ବିରୋଧ କରିଛନ୍ତି ।

ଆସନ୍ତା ନଭେମ୍ବର ୨୭ ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଦୀର୍ଘବର୍ଷ ପରେ ଏହି ଦୁର୍ଲ୍ଲଭ ବେଶ ଯୋଗ ପଡୁଥିବାରୁ ଭକ୍ତ ଅପେକ୍ଷା କରିଛନ୍ତି । କିନ୍ତୁ କୋଭିଡ୍‌ କଟକଣା ଭିତରେ କେମିତି ମିଳିବ ବେଶ ଦର୍ଶନ ? କରୋନା ପାଇଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ଭିଡିଓ ଗ୍ରାଫି ମାଧ୍ୟମରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଦର୍ଶନ ବ୍ୟବସ୍ଥା କରିବାକୁ ମତ ପ୍ରକାଶ ପାଇଛି । ତେବେ ଏହା ପରମ୍ପରା ବିରୋଧୀ ଓ ଭିଡିଓ ଗ୍ରାଫି ଦର୍ଶନ ବିରୋଧରେ ଆନ୍ଦୋଳନ ଚେତାବନୀ ଦିଆଯାଇଛି । ଧର୍ମମାସ କାର୍ତ୍ତିକ ପରେ ଶ୍ରୀମନ୍ଦିର ଖୋଲିବା ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରହିଛି ।

ସରକାରଙ୍କ ନିଷ୍ପତ୍ତିକୁ ସମସ୍ତେ ମାନିବା ଉଚିତ୍ ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛି ମତ । ଶ୍ରୀମନ୍ଦିର ଖୋଲିଲେ ସରକାର ଏନେଇ ସ୍ୱତନ୍ତ୍ର ଏସ୍‌ଓପି କରିବାକୁ ମତ ପ୍ରକାଶ ପାଇଛି । ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ହୋଇ ଛିଡା ହୋଇଛି ଅଦୃଶ୍ୟ ଭୂତାଣୁ । କେବେ ଶ୍ରୀମନ୍ଦିର ଖୋଲିବ, କେବେ ମିଳିବ ଦର୍ଶନ ତାକୁ ହିଁ ଭକ୍ତଙ୍କ ଅପେକ୍ଷା  ।

Leave a Reply