ଅପେକ୍ଷାର ଅନ୍ତ : ୨୯ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଚଳିତବର୍ଷ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଫେବୃଆରୀ ୧୯ତାରିଖରୁ ମାର୍ଚ୍ଚ ୨ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୬ ମେ ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା।

ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। କିନ୍ତୁ କରୋନା ଯୋଗୁଁ ଦେଶବ୍ୟାପି ଲକଡାଉନ୍ ଘୋଷଣା ହୋଇଥିଲା । ସେଥିପାଇଁ  ଖାତା ଦେଖା ସ୍ଥଗିତ ରହିଥିଲା । ସେହିପରି ମେ ମାସ ୨୦ ତାରିଖରେ ଖାତା ଦେଖାଯିବା ନେଇ ସ୍ଥିର ହୋଇଥିଲା । କିନ୍ତୁ  ଅମ୍ଫାନ୍ ବାତ୍ୟା ଦାଉ ସାଧିଥିଲା । ଅମ୍ଫାନ ପାଇଁ ଏହା ମେ ୨୧ ତାରିଖକୁ ପରିବର୍ତ୍ତନ କରାଯାଇଥିଲା। କିନ୍ତୁ ବାତ୍ୟା ପ୍ରଭାବିତ ଅଂଚଳ ଗୁଡିକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖାତା ଦେଖା ସ୍ଥଗିତ ରଖାଯାଇଥିଲା।

ମୋଟ ୬୦ଟି ସେଣ୍ଟରରେ ଖାତା ଦେଖା ହୋଇଛି । କରୋନା କଟକଣା ଯୋଗୁଁ ଖାତା ମୂଲ୍ୟାୟନ ବିଳମ୍ବ ହେବା ପରେ  ମେ’ ମାସ ୨୬ ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ କର୍ତ୍ତୃପକ୍ଷ ଜୋର ଦେଇଥିଲେ । ୪୫ ଦିନ ଭିତରେ ପରୀକ୍ଷାଫଳ ପ୍ରକାଶ ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖାତାଦେଖା ହୋଇଥିଲା ।

 

ପ୍ରିୟପ୍ରୀତମ ମହାନ୍ତି

Leave a Reply