୨୪ ଘଣ୍ଟାରେ ଦେଶରେ ୮୬,୯୬୧ ନୂଆ ପଜିଟିଭ ଚିହ୍ନଟ, ୧୧୩୦ ମୃତ

ନୂଆଦିଲ୍ଲୀ: ଦେଶରେ ଥମିବାର ନାଆ ଧରୁନି କରୋନା କାୟା । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ସଂଖ୍ୟା ମୁତାବକ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫୪ ଲକ୍ଷରେ ପହଞ୍ଚିଛି । ସୂଚନା ଅନୁଯାୟୀ ଦେଶରେ ୨୪ ଘଣ୍ଟାରେ ୮୬,୯୬୧ ମାମଲା ସାମ୍ନାକୁ ଆସିଛି । ଯାହା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪,୮୭,୫୮୦ରେ ପହଞ୍ଚିଛି । ତେବେ ଅନ୍ୟପଟେ ଆଜି ୧୧୩୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଦେଶରେ ଏଯାବତ କରୋନା ଭାଇରସ ଦ୍ୱାରା ୮୭,୮୮୨ ଲୋକଙ୍କର ମୃତ୍ୟୁ ହୋଇସାରିଛି ।

ଗୋଟିଏ ଦିନରେ ୯୩,୩୫୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଯାବତ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୪୩,୯୬,୩୯୯ ପହଞ୍ଚିଛି । ଆଶ୍ୱସ୍ତିର କଥା ଏହା ଯେ ସଂକ୍ରମିତଙ୍କ ସଂଖ୍ୟା ଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି । କ୍ରମାଗତ ତୃତୀୟ ଦିନ ପାଇଁ ସଂକ୍ରମିତଙ୍କ ସଂଖ୍ୟାଠାରୁ ଅଧିକ ସୁସ୍ଥ ସଂଖ୍ୟା ରହିଛି । ଦେଶର ରିକଭରୀ ହାର ୮୦.୧୧% ରେ ପହଞ୍ଚିଛି । ବର୍ତ୍ତମାନ, ମୋଟ ସକ୍ରିୟ ମାମଲା ୧୮.୨୮% ଅର୍ଥାତ୍ ୧୦,୦୩,୨୯୯ ରହିଛି । ମୃତ୍ୟୁ ହାର ୧.୬ % ରେ ରହିଥିବାବେଳେ ପଜିଟିଭିଟି ହାର ୧୧.୮୮% ରହିଛି । ଅର୍ଥାତ ଯେତିକି ନମୁନା ଟେଷ୍ଟ କରାଯାଉଛି, ସେଥିମଧ୍ୟରୁ ୧୧.୮୮ ପ୍ରତିଶତ ମାମଲା ପଜିଟିଭି ବାହାରୁଛି । ବିଗତ ୨୪ ଘଣ୍ଟାରେ ୭,୩୧,୫୩୪ ଟେଷ୍ଟ ହୋଇଛି । ଏଯାବତ ମୋଟ ୬,୪୩,୯୨,୫୯୪ଟି ନମୁନା ଟେଷ୍ଟ ହୋଇଛି ।

ସୂଚନା ଅନୁଯାୟୀ ଏଯାବତ କେବଳ ସେପ୍ଟେମ୍ବର ମାସରେ ୧୮,୬୬,୩୩୫ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୧୫,୩୯,୨୭୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୨୩,୪୧୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ୨ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ଲଗାତାର ଭାବେ ପ୍ରତିଦିନ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି ।

Leave a Reply