ଜିଦ୍‌ରେ ଅଟଳ ଭାରତ, ସୀମାରୁ ପଛକୁ ହଟିବାକୁ ଚୀନ୍‌ ବାଧ୍ୟ !

1 min read

ନୂଆଦିଲ୍ଲୀ: ଲଦାଖରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଭାରତ ଏବଂ ଚୀନ ମଧ୍ୟରେ ଷଷ୍ଠ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି । ଏହି ବୈଠକରେ ଅଗଷ୍ଟ ୨୯ ପରେ ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରୁ ଚୀନ ହଟିଯାଇଥିବା କହିଛି ଭାରତ । ଅନ୍ୟପଟେ ଭାରତ ଏହି ବୈଠକରେ କହିଛି ଯେ, ଏପ୍ରିଲ-ମେ ୨୦୨୦ ପୂର୍ବରୁ ଚୀନ୍ ପୂର୍ବ ଲଦାଖର ଯେଉଁ ସ୍ଥାନରେ ଥିଲା ସେହି ଅଞ୍ଚଳକୁ ଫେରିଯିବା ଉଚିତ । କିନ୍ତୁ ଚୀନ୍ ଚାହୁଁଛି ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ଦିଗରୁ ଭାରତ ପଛକୁ ଫେରିଯାଉ।

ଭାରତ ପାଇଁ ଦକ୍ଷିଣ ଉପକୂଳ ଗୁରୁତ୍ୱପୂର୍ଣ୍ଣ 

ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ତଟ ଭାରତ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଭାରତୀୟ ସେନାଙ୍କ କବଜାରେ ରହିଛି । ସବୁ ସମୟରେ ଏହି ଅଞ୍ଚଳରେ ଭାରତୀୟ ସେନାର ସ୍ଥିତି ଭଲ ରହିଛି । ଅଧିକରୁ ଅଧିକ ଭାରତୀୟ ସେନା ଏହି ସ୍ଥାନରେ ମୁତୟନ ରହିଛନ୍ତି । ଅନ୍ୟପଟେ ହ୍ରଦର ଉତ୍ତର ଅଞ୍ଚଳରେ ଭାରତୀୟ ସୈନିକମାନେ କେବଳ ପାଟ୍ରୋଲିଂ କରନ୍ତି ।

କେବଳ ଏହି କାରଣରୁ ଭାରତ-ଚୀନ୍ ଆଲୋଚନା ବେଳେ ଭାରତୀୟ ସୈନିକମାନଙ୍କୁ ଏଠାରୁ ପଛକୁ ହଟିବାକୁ ଚୀନ୍ ଦାବି କରୁଛି । ହ୍ରଦର ଦକ୍ଷିଣ ଭାଗ ଚୁସୁଲ ଏବଂ ରେଜାଙ୍ଗ ଲା’ର ନିକଟବର୍ତ୍ତୀ ଅଞ୍ଚଳ । ଚୁସୁଲ କ୍ଷେତ୍ର ହେଉଛି ଏମିତି ଏକ କ୍ଷେତ୍ର ଯେଉଁଠାରୁ ଆକ୍ରମଣ କରିବା ପାଇଁ ସହଜ ହୋଇଥାଏ । ଏହାକୁ ଲଞ୍ଚ ପ୍ୟାଡ୍ ଭଳି ବ୍ୟବହାର କରାଯାଇପାରେ । କାରଣ ଏହି ଅଞ୍ଚଳରେ ଅଧିକାଂଶ ସ୍ଥାନ ସମତଳ ।

୧୯୬୨ ଯୁଦ୍ଧ ସମୟରେ ଚୀନ୍ ପେଙ୍ଗୋଙ୍ଗ୍ ହ୍ରଦର ଉଭୟ ଉତ୍ତର ଏବଂ ଦକ୍ଷିଣ ଭାଗକୁ ଭାରତ ବିରୁଦ୍ଧରେ ବ୍ୟବହାର କରିଥିଲା । ଯାହା ଫଳରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ତିକ୍ତତାକୁ ଶେଷ କରିବା ପାଇଁ ଦୁହେଁ ଆଲୋଚନା ଜାରି ରଖିବାକୁ ଏବଂ ଯୋଗାଯୋଗ ବଜାୟ ରଖିବାକୁ ସହମତି ପ୍ରକାଶ କରିଛନ୍ତି ।

ଏହାପୂର୍ବରୁ ସୋମବାର ଦିନ ଭାରତ ଏବଂ ଚୀନ୍ ସେନା ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ଯାହା ଦୀର୍ଘ ସମୟ ଧରି ଚାଲିଥିଲା । ପ୍ରାୟ ୧୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଭାରତ ପକ୍ଷରୁ ଦୃଢ଼ ଦାବି ରଖାଯାଇଥିଲା । ଭାରତ ପକ୍ଷରୁ କୁହାଯାଇଥିଲା ଯେ, ଚୀନ୍ ସେନା ତୁରନ୍ତ ସମସ୍ତ ବିବାଦୀୟ ସ୍ଥାନରୁ ଓହରିଯାଉ । ଏଥି ସହିତ ଚୀନ୍ ସେନା ହିଁ ପଛକୁ ହଟିବାର ପ୍ରକ୍ରିୟା ଆରମ୍ଭ କରୁ ବୋଲି ଭାରତ ଦାବି ରଖିଥିଲା । କାରଣ ଚୀନ୍ ପ୍ରଥମେ ସୀମାରେ ବିବାଦ ସୃଷ୍ଟି କରିଥିଲା ।

ଏହା ସହ ଭାରତ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯଦି ଚୀନ୍ ସମ୍ପୂର୍ଣ୍ଣ ରୂପେ ଫେରି ନ ଯାଏ ତେବେ ଭାରତୀୟ ସେନା ପ୍ରବଳ ଥଣ୍ଡାରେ ମଧ୍ୟ ସୀମାରେ ମୂତୟନ ରହିବେ ।

Leave a Reply