ମୂର୍ତ୍ତି ବିବାଦରେ ହାଇକୋର୍ଟର ଶୁଣାଣି; ୯ଟି ମଣ୍ଡପରେ ବଡ ମୂର୍ତ୍ତି ଓ ସବୁଠି ହେବ ପୂଜା…

କଟକ: ଦୁର୍ଗାପୂଜା ମୂର୍ତ୍ତି ବିବାଦ ମାମଲାରେ ହାଇକୋର୍ଟ ଶୁଣାଣି କରିଛି । ଶୁଣାଣିରେ କଟକ ସହରର ୯ଟି ବଡ ମୂର୍ତ୍ତି ପୂଜାକୁ ଅନୁମତି ମିଳିଛି । ତେବେ ଏହି ୯ଟି କମିଟି ପକ୍ଷରୁ ସମସ୍ତ ତଥ୍ୟ କୋର୍ଟ ସମ୍ମୁଖରେ ରଖାଯାଇଥିଲା । ସେହିଭଳି ଆଡଭୋକେଟ୍ ଜେନେରାଲ୍ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷ ରଖି ତଥ୍ୟ ଉପସ୍ଥାପିତ କରିଥିଲେ । ସମସ୍ତ ପକ୍ଷର ତର୍କ ଶୁଣି ସାରିବା ପରେ କୋର୍ଟ ଏଭଳି ନିଷ୍ପତ୍ତି ନେଇଛି ।

ତେବେ ରାଜ୍ୟ ସରକାରଙ୍କ ପାର୍ବଣ ଗାଇଡଲାଇନ ଆଧାରରେ ହିଁ ଏହି ପୂଜା କମିଟି ପୂଜା କରିପାରିବ ବୋଲି ସ୍ପଷ୍ଟ ଶଦ୍ଦରେ କୁହାଯାଇଛି । କରୋନା କଟକଣାରେ କୌଣସି ଖିଲାପ ଦେଖାଗଲେ, କାର୍ଯ୍ୟାନୁଷ୍ଠାନ ହେବ । ତେବେ ଭସାଣୀ ନିଷ୍ପତ୍ତିକୁ ସରକାର ପ୍ରଶାସନ ହାତରେ ଟେକିଛନ୍ତି । ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଦେଖି ଏସମ୍ୱନ୍ଧୀତ ନିଷ୍ପତ୍ତି ନେବେ ବୋଲି କୋର୍ଟ କହିଛି ।

ଅନ୍ୟ ପକ୍ଷରେ କମିଶନରେଟ୍ ପୋଲିସ ପାର୍ବଣ ଋତୁ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି । ଚାନ୍ଦା ଆଦାୟ ଏକ ପ୍ରକାର ବଟି ଆଦାୟ ବୋଲି କହିଛି । କମିଟି କାହାରିକୁ ଚାନ୍ଦା ପାଇଁ ବାଧ୍ୟ କରିପାରିବ ନାହିଁ ବୋଲି କହିଛି । ଏଭଳି ଅଭିଯୋଗ ସାମ୍ନାକୁ ଆସିଲେ, ସଂମ୍ପୃକ୍ତ କମିଟି ବଟି ଆଦାୟ କରୁଛି ବୋଲି ଧରି ନିଆଯିବ ଓ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିଶନରେଟ୍ ପୋଲିସ୍ ସ୍ପଷ୍ଟ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ସମସ୍ତ ପୂଜା ମଣ୍ଡପ ୪ଫୁଟ ମଧ୍ୟରେ ମୂର୍ତ୍ତି କରିବାକୁ ସେପ୍ଟେମ୍ବର ୧୦ ତାରିଖରେ ଗାଇଡ୍‌ଲାଇନ ଜାରି କରିଥିଲେ ରାଜ୍ୟ ସରକାର। ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ପୋଲିସ କମିଶନର ମଧ୍ୟ ଗତ ସେପ୍ଟେମ୍ବର ୧୭ ତାରିଖରେ ସମାନ ନିର୍ଦ୍ଦେଶନାମା ଦେଇଥିଲେ। ରାଜ୍ୟ ସରକାର ଓ ପୋଲିସ କମିଶନରଙ୍କ ଏହି ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜ୍ଜୁ ମାମଲାର ଶୁଣାଣି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଚାଲିଥିଲା।

ଗତ ସେପ୍ଟେମ୍ବର ୩୦ ତାରିଖରେ ପୋଲିସ କମିଶନରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଗତ ୯ ତାରିଖରେ ପୋଲିସ କମିଶନର ସାନି ସତ୍ୟପାଠ ଦାଖଲ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଜବାବ ଦାଖଲ କରାଯାଇଥିଲା । ତେବେ ଏବେ ଶୁଣାଣି ଆସିବା ପରେ କଟକର ସବୁଠି ମୂର୍ତ୍ତି ପୂଜା ହେବା ସହ ୯ଟି ବଡ ମୂର୍ତ୍ତି ପୂଜା ପାଇବ ।

 

 

Leave a Reply