ବିବାଦୀୟ ରାଜ୍ୟ ବିରୋଧୀ ଟ୍ୱିଟ୍ କରି ଫସିଲେ ବୈଜୟନ୍ତ ପଣ୍ଡା, ରାଜ୍ୟ ସାରା ବିରୋଧ ପ୍ରଦର୍ଶନ…

1 min read

ଭୁବନେଶ୍ୱର/ଝାରସୁଗୁଡା: ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଛ ଅଶ୍ଳୀଳ ଭିଡିଓ ପ୍ରସଙ୍ଗରେ ଓଟିଭି ସାମ୍ୱାଦିକ ରମେଶ ରଥ ଗିରଫ ହେଲେ । ତାଙ୍କ ପକ୍ଷରେ ଓକିଲାତି କରିବାକୁ ଯାଇ ବୈଜୟନ୍ତ ପଣ୍ଡା ଓଡିଶାକୁ ପାକିସ୍ତାନ ସହ ତୁଳନା କରିବାକୁ ମଧ୍ୟ ପଛାଇଲେ ନାହିଁ । ତେବେ ବୈଜୟନ୍ତଙ୍କ ଏଭଳି ମନ୍ତବ୍ୟ ପରେ ସାରା ରାଜ୍ୟରେ ତାଙ୍କ ପ୍ରତି ଆକ୍ରୋଶ ଦେଖିବାକୁ ମିଳିଛି । ବୈଜୟନ୍ତଙ୍କର ଏଭଳି ମନ୍ତବ୍ୟକୁ ରାଜ୍ୟ ବିରୋଧୀ ବୋଲି କୁହାଯିବା ସହ ସେ ଏହି ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ଭୁଲ୍ ପ୍ରାର୍ଥନା କରନ୍ତୁ ବୋଲି ଦାବି ଉଠିଛି ।

ରାଜ୍ୟର କୋଣ ଅନୁକୋଣରୁ ଲୋକେ ଏବେ ତାଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟାଶୀଳ ହେଉଛନ୍ତି । ଏପରିକି ବୈଜୟନ୍ତଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରିବା ପାଇଁ ମଧ୍ୟ ଦାବି ଉଠୁଛି । ସେହିଭଳି କ୍ୟାପିଟାଲ ଥାନାରେ ବୈଜୟନ୍ତଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ଯୁବ ଅଭିଯାନ ଓଡିଶା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରି ବୈଜୟନ୍ତ ନିଜ ହୀନ ମାନସିକତାର ପରିଚୟ ଦେଇଛନ୍ତି । ଦେଶଦ୍ରୋହ ମାମଲାରେ ତାଙ୍କୁ ଗିରଫ କରାଯାଉ । ରାଜ୍ୟବାସୀଙ୍କ ଭାବନା ସହ ଖେଳିବାକୁ ତାଙ୍କର କୌଣସି ଅଧିକାର ନାହିଁ ।

ସେହିଭଳି ଆଜି ଅପରାହ୍ଣ ୪.୪୫ ମିନିଟରେ “Odisha Student and Youth Forum” ତରଫରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କ କୁଶପୁତଳିକା ଦାହ କରାଯିବ  । ଏଥିସହ ବୈଜୟନ୍ତ ପଣ୍ଡା ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ ମଧ୍ୟ ଦାବି କରାଯିବ। ସେହିଭଳି ବୈଜୟନ୍ତଙ୍କ ଟ୍ୱିଟକୁ ବିରୋଧକରି ଆଜି ଝାରସୁଗୁଡାର ଖିଦମତ କମିଟି,  ସଙ୍ଗିନୀ ପରି ଅନେକ ସାମାଜିକ ସଙ୍ଗଠନ ଝାରସୁଗୁଡା ରେଳ ଷ୍ଟେସନ ଆଗରେ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରିଛି। ବୈଜୟନ୍ତ ରାଜନୈତିକ ଲାଭ ପାଇଁ ଓଡିଶାର ମାନ ମହତ ଉପରେ କଟାକ୍ଷ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଛବିକୁ ମଳିନ କରିବାକୁ ଉଦ୍ୟମ କରିଥିବା ସଂଗଠନ ପକ୍ଷରୁ କୁହାଯାଇଛି ।

Leave a Reply