ବିଜନେସ୍ ୱାର୍ଲ୍ଡର ୪ ଠକଙ୍କ କଳା କାରନାମା ଉପରେ ତିଆରି ହେଉଛି ୱେବ୍ ସିରିଜ୍

1 min read
Four Bad Boys Billionaires Of Business World A Web Series Made On Them

ନୂଆଦିଲ୍ଲୀ: ବିଜୟ ମାଲ୍ୟା, ନିରବ ମୋଦି, ସୁବ୍ରତ ରାୟ ଅବା ରାମଲିଙ୍ଗା ରାଜୁ । ସମସ୍ତେ ଗୋଟିଏ କାରଣ ପାଇଁ ପ୍ରସିଦ୍ଧ ‘ଫ୍ରଡ୍’ । ଏହି ସମସ୍ତେ ଠକେଇ କରିଛନ୍ତି । ଏମିତି ଛୋଟମୋଟ ଠକେଇ ନୁହେଁ । ଠକେଇ କରିଛନ୍ତି ହଜାର କୋଟି କୋଟି ଟଙ୍କାର । ଏମାନଙ୍କ ମଧ୍ୟରୁ କିଏ ଧରାପଡ଼ିଛି ତ ଆଉ କିଏ ଗିରଫ ହେବା ପୂର୍ବରୁ ଦେଶ ଛାଡ଼ି ପଳାଇ ଯାଇଛି । ଏମାନଙ୍କ ଠକେଇ ଏତେ ବଡ଼ ଯେ- ଦେଶରେ ଏମିତି କେହି ନଥିବେ ଯାହାଙ୍କୁ ଏ ବିଷୟରେ ଜଣାନଥିବ । ଏମାନଙ୍କ ଠକେଇକୁ ନେଇ ତିଆରି ହେବାକୁ ଯାଉଛି ୱେବ୍ ସିରିଜ୍ । ଏବେ ଯାଏଁ ସୁବ୍ରତ ରାୟ, ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ଠକାମୀର ପର୍ଦ୍ଦାଫାସ ହୋଇସାରିଛି । ଯେତେବେଳେ କି ରାମଲିଙ୍ଗା ରାଜୁଙ୍କ ଠକେଇର କଳା ପେଡ଼ିର ଚିଠା ଏଯାଏଁ ଖୋଲିନାହିଁ ।

Four Bad Boys Billionaires Of Business World A Web Series Made On Them

ରାମଲିଙ୍ଗା ରାଜୁ- ସ୍ପିନିଂ ମିଲରୁ ସତ୍ୟମ

ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ରାମଲିଙ୍ଗା ରାଜୁ । ସତ୍ୟମ କମ୍ପୁଟର ସର୍ଭିସେସ୍ ଆରମ୍ଭ ପୂର୍ବରୁ ରାଜୁ ହୋଟେଲ, ସ୍ପିନିଂ ମିଲ୍ ଓ ରିୟଲ ଇଷ୍ଟେଟରେ ବି ଭାଗ୍ୟ ପରୀକ୍ଷା କରିଥିଲେ । ରାଜୁ ବିଜୟୱାଡ଼ାର ଲୋୟଲ କଲେଡରୁ ବି.କମ୍ ପରେ ଆମେରିକାର ଓହିୟୋ ବିଶ୍ୱବିଦ୍ୟାଳୟରେ ଏମବିଏ କରିଥିଲେ । ପ୍ରଥମେ ରାଜୁ ସ୍ପିନିଂ ମିଲ୍ ଆରମ୍ଭ କରିଥିଲେ, ଯାହାର ନାଁ ରଖିଥିଲେ ଶ୍ରୀ ସତ୍ୟମ । ପରେ ଏହା ଟେକ୍ନୋଲଜି କମ୍ପାନୀ ଭାବେ ଛିଡ଼ା ହୋଇଥିଲା । ଯାହାପରେ ଆରମ୍ଭ ହୋଇଥିଲା ରାଜୁଙ୍କ ମିଛ ବ୍ୟବସାୟ ।

Ramalinga Raju

ଏମିତି ଥିଲା କାରନାମା

୨୦୦୯ ମସିହା ଜାନୁଆରୀ ୭ । ଗୋଟିଏ ଦିନରେ ସଫ୍ଟୱେର କମ୍ପାନୀ ସତ୍ୟମର ସେୟାର ୭୮ ପ୍ରତିଶତ ଖସି ଯାଇଥିଲା । କମ୍ପାନୀର ସଂସ୍ଥାପକ ଓ ଅଧ୍ୟକ୍ଷ ରାମଲିଙ୍ଗା ରାଜୁ, ଯିଏକି ନିଜ କମ୍ପାନୀରେ ୭୮୦୦ କୋଟି ଟଙ୍କାର ଦୁର୍ନୀତି କରିଥିଲେ । ନିବେଶକଙ୍କ ୧୪ ହଜାର କୋଟି ଟଙ୍କା ବୁଡ଼ି ଯାଇଥିଲେ । ଏଥିପାଇଁ ରାଜୁ ଏବେ ଅନ୍ୟ କିଛି ଅଧିକାରୀଙ୍କ ସହ ଜେଲରେ । ୧୯୮୭ ମସିହାରେ ସତ୍ୟମ କମ୍ପାନୀର ଆରମ୍ଭ କରିଥିଲେ ରାଜୁ । ସେତେବେଳେ ଇନଫୋସିସ୍, ଟିସିଏସ, ୱିପ୍ରୋ ଭଳି କମ୍ପାନୀ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲେ । ପଛରେ ପଡ଼ିଯିବା ଡରରେ ରାଜୁ ଆକାଉଣ୍ଟିଂକୁ ହାତ କରିଥିଲେ । କମ୍ପାନୀର ଲାଭକୁ ଏମିତି ଭାବେ ବଢ଼ାଇ ଚଢ଼ାଇ ଦେଖାଉଥିଲେ ଯେ ଟଙ୍କାଟିଏ ଲାଭ ହୋଇ ନଥିଲେ ମଧ୍ୟ ୪ ଟଙ୍କା ହୋଇଥିବା ଦାବି କରୁଥିଲେ କାଗଜପତ୍ରରେ । କମ୍ପାନୀ ଦାବି କରିଥିଲା ବ୍ୟାଙ୍କ ଖାତାର ୫ ହଜାର କୋଟି ଟହ୍କା ବ୍ୟାଙ୍କ ବାଲାନ୍ସ ରହିଛି । କିନ୍ତୁ କେହି ସତ ଜାଣିବାକୁ ଚେଷ୍ଟା କଲେନି । ପରେ ଜଣାପଡ଼ିଲା ରାଜୁଙ୍କ ନିକଟରେ କିଛି ଟଙ୍କା ହିଁ ନାହିଁ ।

Ramalinga Raju

କାଗଜରେ କୋଟିପତି

ରାଜୁଙ୍କ କଳା କାରନାମା ପର୍ଦ୍ଦାଫାସ ହେବା ପରେ ସେ ମନ ଇଚ୍ଛା ନିଷ୍ପତ୍ତି ଆରମ୍ଭ କରି ଦେଇଥିଲେ । ଯାହାର ବିରୋଧ କରିଥିଲେ ସେୟାର ହୋଲ୍ଡର୍ସ । ପ୍ରଥମେ ରାଜୁ ନିଜର ଅନ୍ୟ ୨ଟି କମ୍ପାନୀ ମେଟାସ୍ ଇନ୍ଫ୍ରା ଓ ମେଟାସ ରିୟଲ ଇଷ୍ଟେଟକୁ ସତ୍ୟମରେ ମିଶାଇବାକୁ ପ୍ରସ୍ତାବ ରଖିଥିଲେ । ଯେଉଁଥିରେ କମ୍ପାନୀର ଏଡିଆରରେ ୫୧ ପ୍ରତିଶତ ହ୍ରାସ ପାଇଥିଲା । ଯେତେବେଳେ ସ୍ଥିତି ହାତରୁ ଖସିଗଲା ତ ରାଜୁ ମାନିଗଲେ ସେ କିଭଳି ମିଛ ଭାବେ କମ୍ପାନୀର ଲାଭ ଦେଖାଉଥିଲେ । ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ତ ଦୂରର କଥା ତା ନିକଟରେ ବ୍ୟବସାୟ ଚଳାଇବାକୁ ଟଙ୍କା ନଥିଲା । ଏହାପରେ ରାଜୁକୁ ୨୦୧୫ରେ ୭ ବର୍ଷର ଜେଲ ସହ ୫ କୋଟି ଟଙ୍କା ଜରିମାନା କରାଯାଇଥିଲା ।

ନିରବ ମୋଦି- ହୀରା ବ୍ୟବସାୟରୁ କଳା କାରନାମା

Nirav Modi

ଗୁଜରାଟରେ ଜନ୍ମ ଗ୍ରହଣ କରିଥିବା ନିରବ ମୋଦି ବେଲଜିୟମରେ ପଢ଼ିଥିଲେ, ବଢ଼ିଥିଲେ । ତାଙ୍କ ପରିବାର ପିଢ଼ି ପିଢ଼ି ଧରି ହୀରା ବ୍ୟବସାୟ କରି ଆସୁଛନ୍ତି । ହୀରାର ଚମକ ଥିବା ଭିତରେ ନିରବ ପିଏନବିର କିଛି ଅଧିକାରୀଙ୍କ ସହ ମିଶି ବିଦେଶୀ ସପ୍ଲାୟର୍ସଙ୍କ ପାଇଁ ନକଲି ରସିଦ୍ ତିଆରି କରନ୍ତି । ଏମିତିକି ପିଏନବି ଅଧିକାରୀ ନିୟମର ଉଲ୍ଲଂଘନ କରି ନିରବ ମୋଦିଙ୍କୁ ୧୩ ହଜାର କୋଟି ଟଙ୍କା ଋଣ ଦେଇଥିଲେ । ଯେତେବେଳେ ଘୋଟାଲା ଜଣାପଡ଼ିଲା ତ ନିରବ ରାତାରାତି ଦେଶ ଛାଡ଼ି ପଳାଇଥିଲେ । ଆଉ ପରେ ପରେ ବାହାରିଥିଲା ନିରବଙ୍କ ଠକେଇର କଳା ପେଡ଼ିର ଲମ୍ବା ଚିଠା ।

ବିଜୟ ମାଲ୍ୟା- ମଦରୁ ବିମାନ

Vijay Mallya

ମଦ ସମ୍ରାଟ ବିଜୟ ମାଲ୍ୟା । ଭାରତୀୟ ଟେଷ୍ଟ ବ୍ୟାଙ୍କ ସମେତ କେତକ ବ୍ୟାଙ୍କରୁ ୯୦୦୦ କୋଟିରୁ ଅଧିକ ଟଙ୍କା ଚୂନ ଲଗାଇଛନ୍ତି । ସଦାବେଳେ ରଙ୍ଗୀନ ମିଜାରରେ ରହୁଥିବା ମାଲ୍ୟା ପାର୍ଟି ଓ ମଦରେ ଭାସୁଥିଲେ । ବିଜୟ ମାଲ୍ୟା ୨୦୦୫ରେ କିଙ୍ଗଫିଶର ଏୟାରଲାଇନ୍ ଆରମ୍ଭ କରିଥିଲେ । ପରେ ପରେ କିଙ୍ଗଫିଶର କଳେବର ବଢ଼ାଇବା ପାଇଁ ୨୦୦୭ରେ ଦେଶର ପ୍ରଥମ କମ୍ ଭଡ଼ା ବିମାନ କମ୍ପାନୀ ଡେକ୍କନକୁ ବି କିଣି ନେଇଥିଲା । ଯାହାକି ମାଲ୍ୟାଙ୍କ ଜୀବନର ସବୁଠୁ ବଡ଼ ଭୁଲ୍ । ୫ ବର୍ଷ ଭିତରେ ମାଲ୍ୟାଙ୍କ କିଙ୍ଗଫିଶର ଏୟାରଲାଇନ୍ ବନ୍ଦ ହୋଇ ଯାଇଥିଲା । ତାଙ୍କର ସମ୍ପୂର୍ଣ୍ଣ ବ୍ୟବସାୟ ପ୍ରାୟ ବନ୍ଦ ହୋଇଯାଇଥିଲା । ସ୍ଥିତି ବିଗିଡ଼ିବା ଦେଖି ଗୋଟିଏ ଋଣ ଶୁଝିବାକୁ ଆଉ ୨ଟି ଋଣ ନେଇ ଚାଲିଥିଲେ ମାଲ୍ୟା । ଧୀରେ ଧୀରେ ଋଣଭାରରେ ବୁଡ଼ି ଯାଉଥିବା ମାଲ୍ୟା ଦେଶ ଛାଡ଼ି ପଳାଇଥିଲେ ।

ସୁବ୍ରତ ରାୟ- ନିଯୁକ୍ତିଦାତାରୁ ମିଛ ନିବେଶକ

Subrata Roy

ସହାରା ଇଣ୍ଡିଆ ପରିବାରର ପରିଚାଳନା ନିର୍ଦ୍ଦେଶକ ଓ ଅଧ୍ୟକ୍ଷ ସୁବ୍ରତ ରାୟ କେବେ ଦେଶର ଶକ୍ତିଶାଳୀ ବ୍ୟକ୍ତି ଥିଲେ । ଏମିତି କି ୨୦୧୨ରେ ଏକ ପତ୍ରିକା ତାଙ୍କୁ ଦେଶର ୧୦ ଜଣ ଶକ୍ତିଶାଳୀ ଲୋକଙ୍କ ମଧ୍ୟରେ ସ୍ଥାନିତ କରିଥିଲେ । ଭାରତୀୟ ରେଳବାଇ ପରେ ଦେଶରେ ଲୋକଙ୍କୁ ଅଧିକ ନିଯୁକ୍ତି ଦେଉଥିବା କମ୍ପାନୀ ଥିଲା ସୁବ୍ରତଙ୍କ ହାତରେ । ଏବେ ସେହି ସୁବ୍ରତ ଜେଲର ଚାରି କାନ୍ଥ ଭିତରେ । କାରଣ ସେ ଏକ ବଡ଼ ଠକାମୀ କରିଥିଲେ । ସାହାରା ଗ୍ରୁପର ଦୁଇ କମ୍ପାନୀ SIRECL ଓ SHICL ଜରିଆରେ କମ୍ପାନୀ ୨.୨୫ କୋଟି ନିବେଶକଙ୍କ ପ୍ରାୟ ୨୪ କୋଟି ଟଙ୍କା ଉଠାଇ ଥିଲା । ତେବେ, ଏହି ଟଙ୍କା କେଉଁଠି କେମିତି ଖର୍ଚ୍ଚ ହେଲା ତାର କୌଣସି ରେକର୍ଡ ନଥିଲା ।

Subrata Roy

ସେବିରେ ଅଭିଯୋଗ ହୋଇଥିଲା ସାହାରା ଗ୍ରୁପ୍ ୨ କମ୍ପାନୀ ଜରିଆରେ ବେଆଇନ୍ ଭାବେ ଟଙ୍କା ଉଠାଇଛି । ଅନିୟମିତତା ହୋଇଥିବା ଜାଣିବା ପରେ ସେବି ୨ କମ୍ପାନୀକୁ ବ୍ୟାନ୍ କରିବା ସହ ନିବେଶକଙ୍କ ଟଙ୍କାର ୧୫ ପ୍ରତିଶତ ସୁଧ ସହ ମୂଳଧନ ଫେରାଇ ଦେବାକୁ କହିଥିଲେ । ଯେତେବେଳେ ଯାଞ୍ଚ ହେଲା ତ ଜଣାପଡ଼ିଲା କମ୍ପାନୀରେ ନିବେଶକ ହିଁ ନାହାଁନ୍ତି । ଅର୍ଥାତ୍ ମିଛ ନିବେଶକ ଜରିଆରେ ମନି ଲଣ୍ଡ୍ରିଂ । ମାମଲା କୋର୍ଟରେ ପହଞ୍ଚିଥିଲା । ସୁପ୍ରିମକୋର୍ଟ ନିବେଶକଙ୍କ ଟଙ୍କା ଜମା କରିବାକୁ କହିଥିଲେ । ସେବିରେ ଗୋଟିଏ କିସ୍ତି ଜମା ଦେବା ପରେ ସାହାରା ଅନ୍ୟ କିସ୍ତି ଦେଇ ନଥିଲା । ଉଠାଇଥିବା ଟଙ୍କା କେମିତି ଖର୍ଚ୍ଚ ହେଲା ସେ ତଥ୍ୟ ବି ଦେଇନଥିଲା କମ୍ପାନୀ । ୨୦୧୪ରେ ସୁବ୍ରତ ରାୟଙ୍କୁ ଗିରଫ କରାଯାଇଥିଲା ସେ ଏବେ ଜେଲରେ ଅଛନ୍ତି ।

Leave a Reply