ୱାର୍ଲ୍ଡ ଡାଇବେଟିସ୍‌ ଡେ’: ଓଡ଼ିଶା ପାଇଁ ଚିନ୍ତା, ଖୋର୍ଦ୍ଧାରେ ବେଶି ରୋଗୀ

ଭୁବନେଶ୍ୱର: ୱାର୍ଲଡ୍‌ ଡାଇବେଟିସ ଡେ’ । ଚିନ୍ତା ବଢ଼ାଉଛି ଡାଏବେଟିସ୍‌ ବା ମଧୁମେହ ରୋଗ । ଓଡ଼ିଶାରେ ଡାଇବେଟିସ୍‌ର ସ୍ଥିତି ଚିନ୍ତାଜନକ । ଦିନକୁ ଦିନ ବୃଦ୍ଧି ପାଉଛି ଏହି ରୋଗୀଙ୍କ ସଂଖ୍ୟା । କେବଳ ରୋଗୀସଂଖ୍ୟା ନୁହଁ, ଓଡ଼ିଶାରେ ମଧୁମେହଜନିତ ମୃତ୍ୟୁହାର ମଧ୍ୟ ବଢ଼ିବାରେ ଲାଗିଛି । ସମ୍ବଲପୁର ସ୍ଥିତି ଉଦ୍‌ବେଗଜନକ । ରାଜ୍ୟରେ ପ୍ରତିଦିନ ହାରାହାରି ୬ଜଣ ମଧୁମେହ ରୋଗରେ ପ୍ରାଣ ହରାଉଛନ୍ତି ।

ଦେଶର ୯ଟି ରାଜ୍ୟର ୨୮୪ଟି ଜିଲ୍ଲାରେ ପ୍ରାୟ ୩କୋଟି ଲୋକ ମଧୁମେହ ରୋଗରେ ଆକ୍ରାନ୍ତ । ଏହାରି ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛି ଓଡ଼ିଶା । ରିପୋର୍ଟ କହୁଛି, ଓଡ଼ିଶାରେ ପ୍ରତି ୨୪ ଘଣ୍ଟାରେ ଛଅ ଜଣଙ୍କ ମୃତ୍ୟୁ ହେଉଛି । ସମ୍ବଲପୁର, କଟକ, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାରେ ଲୋକଙ୍କ ରକ୍ତରେ ଶର୍କରା ଅଂଶ ଅଧିକ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ରାଜ୍ୟର ସର୍ବାଧିକ ମଧୁମେହ ରୋଗୀ ଅଛନ୍ତି ।

ରାଜ୍ୟରେ ମହିଳାଙ୍କଠାରୁ ପୁରୁଷ ମଧୁମେହ ରୋଗୀଙ୍କ ସଂଖ୍ୟା ଅଧିକ । ଝାଡ଼ଖଣ୍ଡର ଧାନବାଦରେ ୬.୫ପ୍ରତିଶତ ଲୋକଙ୍କ ମଧ୍ୟରେ ରକ୍ତ ଶର୍କରା ସହିତ ସମଗ୍ର ଦେଶରେ ଶୀର୍ଷରେ ଅଛି । ସେହିଭଳି ୩.୮ପ୍ରତିଶତ ସହିତ ୪ର୍ଥ ସ୍ଥାନରେ ଅଛି ସମ୍ବଲପୁର । ମଧୁମେହ ରୋଗରେ ଆକ୍ରାନ୍ତ ହେଲେ ଥକ୍କା ଲାଗିବା ଓ ଦୀର୍ଘଦିନ ଧରି ଘାଆ ନଶୁଖିବା ଭଳି ଲକ୍ଷଣ ଦେଖାଦେଇଥାଏ । ଅବହେଳା କଲେ ଦୃଷ୍ଟି ଶକ୍ତି ହରାଇବାର ଆଶଙ୍କା ଅଛି ।

ବଂଶଗତ ଅନୁସାରେ ଅଥବା ହଠାତ୍ ମଧୁମେହ ରୋଗରେ ଯେକେହି ଆକ୍ରାନ୍ତ ହୋଇପରାନ୍ତି । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏଦିଗରେ ସଚେତନ ହେବା ଜରୁରୀ । ମଧୁମେହ ସାଧାରଣତଃ ଲାଇଫଷ୍ଟାଇଲ୍ ଡିଜିଜ୍ । ନିୟନ୍ତ୍ରିତ ଜୀବନଚର୍ଯ୍ୟା ହିଁ ଡାଇବେଟିସକୁ ରୋକି ପାରିବ ।

Leave a Reply