ପୂର୍ବଶତ୍ରୁତାକୁ କେନ୍ଦ୍ରକରି ୪ ଜଣଙ୍କୁ ହାଣିଦେଲା ଦୁର୍ବୃତ୍ତ

ଭୁବନେଶ୍ୱର: ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାଲିପାଟଣା ଥାନା ପ୍ରଧାନପାଟଣାରେ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି । ଗୁରୁତରମାନେ ହେଲେ ପ୍ରଧାନପାଟଣାର ସରୋଜ ନାଥ, ରଞ୍ଜନ ସାହୁ, ଦିପକ ନାଥ ଏବଂ ମନୋଜ ସାହୁ । ସେପଟେ ଆକ୍ରମଣକାରୀ ରମାକାନ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାର ପ୍ରଥମିତ ତଦନ୍ତ ଆରମ୍ଭ କରିଛି । ଫେରାର ହୋଇଥିବା ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ପୋଲିସ ତାର ଜାଲ ବିଛାଇଛି ।

ସୂଚନା ଅନୁଯାୟୀ, ଠିକାଦାର କାର୍ଯ୍ୟକୁ ନେଇ ପ୍ରଧାନପାଟଣା ଗ୍ରାମବାସୀଙ୍କ ସହ ରମାକାନ୍ତଙ୍କ ପୂର୍ବଶତ୍ରୁତା ଥିବା ଜଣାପଡ଼ିଛି । କାର୍ଯ୍ୟକୁ ନେଇ ଅନେକ ବାର ମଧ୍ୟ ଝଗଡ଼ା ହୋଇଛି । କିନ୍ତୁ ବୁଧବାର ରାତିରେ ଝଗଡ଼ା ତାର ସୀମା ଲଙ୍ଘିଥିଲା । ରାତ୍ରି ପ୍ରାୟ ୯ଟାରେ ରଞ୍ଜନ ସାହୁଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲା ରମାକାନ୍ତ । ଗ୍ରାମର ଅନ୍ୟମାନେ ଘଟଣା ସ୍ଥଳରେ ପହଁଞ୍ଚିବା ବେଳେ ରମାକାନ୍ତ ଘର ଭିତରୁ ଏକ ଭୁଜାଲି ଆଣି ସରୋଜ, ରଞ୍ଜନ, ଦୀପକ, ମନୋଜଙ୍କୁ ହାଣିଥିଲେ । ଆକ୍ରମଣରେ ସମସ୍ତଙ୍କ ମୁଣ୍ଡ, ହାତ ଓ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ବାଲିପାଟଣା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply