ଆରପାରିରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ

1 min read

ରାୟପୁର: ଆଖି ବୁଜିଛନ୍ତି ଅଜିତ୍ ଯୋଗୀ । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀଙ୍କ ଦେହାନ୍ତ ହୋଇଛି । ୭୪ ବର୍ଷ ବୟସରେ ରାୟପୁରର ଏକ ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ଅଜିତ୍ ଯୋଗୀ ବେମାର ଥିଲେ । ମେ ୯ ତାରିଖରେ ହୃଦଘାତ ଯୋଗୁଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।

FILE

ଅଜିତଙ୍କ ପୁଅ ଅମିତ୍ ଯୋଗୀ ଟ୍ୱିଟରେ ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି । ଆସନ୍ତାକାଲି ଶନିବାର ଅଜିତ୍ ଯୋଗୀଙ୍କ ଅନ୍ତିମ ସଂସ୍କାର କରାଯିବ । ଯୋଗୀଙ୍କ ଜନ୍ମମାଟି ଗୋରେଲାରେ ଶେଷକୃତ୍ୟ ହେବ ।

ଅଜିତ ଯୋଗୀଙ୍କ ମୃତ୍ୟୁରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦୁଃଖ ପ୍ରକାଶ କରିଛନ୍ତି । ଯୋଗୀଙ୍କ ମୃତ୍ୟୁ ରାଜ୍ୟ ପାଇଁ ବଡ଼ କ୍ଷତି ବୋଲି ସେ କହିଛନ୍ତି । ସେହିଭଳି ବିଜେପି ନେତା ରମଣ ସିଂହ ମଧ୍ୟ ଅଜିତ୍ ଯୋଗୀଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଅଜିତ୍ ଯୋଗୀଙ୍କ ମୃତ୍ୟୁରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

FILE

ମଧ୍ୟପ୍ରଦେଶରୁ ଅଲଗା ହେବା ପରେ ଛତିଶଗଡ଼ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଜିତ୍ ଯୋଗୀ । ଜୀବନର ଶେଷ ଯାଏଁ ସେ ନିଜେ ଗଢ଼ିଥିବା ଜନତା କଂଗ୍ରେସ ସହ ଥିଲେ । ଏହା ପୂର୍ବରୁ ସେ ଲମ୍ବା ସମୟ ଧରି କଂଗ୍ରେସର ସାଥ୍ ଦେଇଥିଲେ । ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଥିବା ଅଜିତ୍ ଯୋଗୀ ବିଧାନସଭା, ଲୋକସଭା ଓ ରାଜ୍ୟସଭାକୁ ନିର୍ବାଚିତ ହେବା ସହ କେନ୍ଦ୍ରୀୟ କ୍ୟାବିନେଟର ସଦସ୍ୟ ଥିଲେ ।

Leave a Reply