ବୟଫ୍ରେଣ୍ଡ କଣ ଏମିତି କଲା ଯେଉଁଥିପାଇଁ ଇଞ୍ଜିନିୟରିଂ ଛାତ୍ରୀ ଝୁମା ହାରିଲେ ଜୀବନ ?

ଭୁବନେଶ୍ୱର : ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଏବେ ଘଟଣାକୁ ଅଧିକ ରହସ୍ୟାବୃତ କରିଛି । ଘରୋଇ ଇଞ୍ଜିନିୟରିଂ କଲେଜର ତୃତୀୟ ବର୍ଷ କମ୍ପ୍ୟୁଟର ସାଇନ୍ସର ଛାତ୍ରୀ ଥିଲେ ଝୁମା ଦେବନାଥ । ଝୁମାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ପୋଲିସ ସୂଚନା ଦେଇସାରିଛି ।


ତେବେ ଯେଉଁ ଯୁବକ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଛି ସେ ହେଉଛନ୍ତି ଝୁମା ପଢ଼ୁଥିବା କଲେଜର ଚତୁର୍ଥ ବର୍ଷର କମ୍ପ୍ୟୁଟର ସାଇନ୍ସ ଛାତ୍ର ରାହୁଲ କୁମାର । ରାହୁଲଙ୍କ ଘର ଝାଡ଼ଖଣ୍ଡରେ ବୋଲି ସୂଚନା ଦେଇଛି ପୋଲିସ । ସନ୍ଦେହ କରାଯାଉଛି ଯେ, ରାହୁଲ ଓ ଝୁମାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ଉଭୟ ଗୋଟିଏ କଲେଜରେ ମଧ୍ୟ ପାଠ ପଢୁଥିଲେ । ତେବେ କଣ ହେଲା ଯେଉଁ କାରଣରୁ ଜୀବନ ହାରିଲେ ଝୁମା ।


ପୋଲିସର ସୂଚନା ଅନୁସାରେ ବୟଫ୍ରେଣ୍ଡ ରାହୁଲ, ଝୁମା ରହୁଥିବା ହଷ୍ଟେଲ ଆଗରେ ହଙ୍ଗାମା କରିଥିଲେ । ଝୁମା ଫୋନ୍ ନଉଠାଇବାରୁ ସାଇକୋ ଭଳି ବ୍ୟବହାର କରୁଥିଲେ ରାହୁଲ । ପାଟିତୁଣ୍ଡ ଶୁଣି ପାଖଆଖ ଲୋକ ଆସିବା ସହ ପୋଲିସକୁ ଖବର ଦିଆଯାଇଥିଲା । ଏହାପରେ ପୋଲିସ ଆସି ମୃତଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ସୂଚନା ପ୍ରଦାନ କରିଥିଲା । ଆଜି ପଶ୍ଚିମବଙ୍ଗରୁ ଝୁମାଙ୍କ ପରିବାର ଲୋକ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଝୁମାଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ତେବେ ରାହୁଲ କାହିଁକି ବାରମ୍ବାର ଝୁମାଙ୍କୁ ଫୋନ୍ କରୁଥିଲା । ଉଭୟଙ୍କ ମଧ୍ୟରେ କିଛି କଳି ଝଗଡ଼ା ହୋଇଥିଲା କି ? ଉଭୟଙ୍କ ମଧ୍ୟରେ ସତରେ କଣ ଥିଲା ପ୍ରେମ ସଂପର୍କ ? ନା ରାହୁଲ ଝୁମାଙ୍କୁ  ଏକତରଫା ପ୍ରେମ କରୁଥିଲେ ? ରାହୁଲ ସ୍ୱଭାବରେ ସାଇକୋ ପ୍ରବୃତ୍ତିର ଥିଲେ କି ? ତାଙ୍କର ଏହି ପ୍ରବୃତ୍ତି ପାଇଁ ଝୁମା ଏଭଳି ଚରମ ପଦକ୍ଷେପ ନେଇ ନାହାନ୍ତି ତ ? ତେବେ ସବୁ କିଛି ସନ୍ଦେହ ଘେରରେ ରହିଛି । ପୋଲିସ ତଦନ୍ତ ପରେ ହିଁ ସବୁ ସତକଥା ସାମ୍ନାକୁ ଆସିବ ବୋଲି କୁହାଯାଉଛି । ଝୁମାଙ୍କ ମୃତ୍ୟୁ ପଛରେ ବୟଫ୍ରେଣ୍ଡ କାରଣ ନା ଅନ୍ୟ କିଛି ଘଟଣା ପାଇଁ ତାଙ୍କର ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ।

Leave a Reply