ସିଡ଼ିରୁ ଖସି ପଡିଲେ ବଡିବିଲ୍ଡର, ଏଭଳି ଜୀବନ ବଞ୍ଚାଇଲା ଆମାଜନ୍ ଆଲେକ୍ସା

ନୂଆଦିଲ୍ଲୀ: ବଡିବିଲ୍ଡରଙ୍କ ଜୀବନ ବଞ୍ଚାଇଲା ଆମାଜନ୍ ଆଲେକ୍ସା । ଇଂଲଣ୍ଡର କେମ୍ବ୍ରିଜଶାୟରରେ ରହୁଥିବା ଜଣେ ୪୦ ବର୍ଷୀୟ ବ୍ରିଟିଶ ବଡିବିଲ୍ଡରଙ୍କ ଜୀବନ ବଞ୍ଚାଇଛି ଆଲେକ୍ସା ।

ଦାନ୍ତେ ମେକ୍ନଲ୍ଟି ନାମକ ଏହି ବଡିବିଲ୍ଡର ହେଉଛନ୍ତି ଜଣେ ଟେଲିକମ୍ ଇଞ୍ଜିନିୟର । ସୂଚନା ଅନୁସାରେ ଏହି ବ୍ୟକ୍ତି ଜଣକ ନିଜ କୁକୁରକୁ ବାହାରକୁ ବୁଲାଇବାକୁ ନେବା ବେଳେ ସିଡିରୁ ତଳକୁ ଖସି ପଡିଥିଲେ । ଏହି ଦୁର୍ଘଟଣାରେ ତାଙ୍କ ଶରୀରର ରକ୍ତ ପ୍ରବାହ ବ୍ଲକ୍ ହୋଇଯାଇଥିଲା ।

ଯାହା ଫଳରେ ସେ ବେହୋସ୍ ହୋଇଯାଇଥିଲେ । ଆଉ ଉଠିବା ବେଳକୁ ୫ ଘଣ୍ଟା ଅତିକ୍ରମ ହୋଇ ଯାଇଥିଲା ।ହେଲେ ସେ ନିଜ ଗୋଡକୁ ଠିକ୍ ଭାବେ ଅନୁଭବ କରିପାରୁନଥିଲେ । ତାଙ୍କୁ ନିଜ ଗୋଡ ଗୁଡିକ ଅକାମୀ ହେବା ପରି ଲାଗୁଥିଲା ।

ଏଭଳି ସମୟରେ ଘରେ କେହି ନଥିବା ବେଳେ ସେ କ’ଣ କରିବେ କିଛି ବୁଝି ପାରୁନଥିଲେ । ଏମିତିକି ତାଙ୍କ ପାଖରେ ଫୋନ୍ ବି ନଥିଲା । ହେଲେ ତାଙ୍କ ରେଞ୍ଜରେ ଥିବା ଆଲେକ୍ସାର ସହାୟତା ନେଇଥିଲେ ସେ । ଆଉ ଆଲେକ୍ସା ମାଧ୍ୟମରେ ନିଜ ସାଙ୍ଗକୁ ଫୋନ୍ ଲଗାଇଥିଲେ । ପରେ ସାଙ୍ଗ ଜଣକ ହସ୍ପିଟାଲକୁ ଫୋନ୍ କରିଥିଲେ । ଯାହା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହେଲେ ଡାକ୍ତରଙ୍କ କଥା ଶୁଣିବା ପରେ ସେ କ’ଣ କରିବେ କିଛି ଚିନ୍ତା କରିପାରି ନଥିଲେ । ଦୁର୍ଘଟଣାକୁ ଅଧିକ ସମୟ ବିତି ଯାଇଥିଲା ବେଳେ ଆବଶ୍ୟକ ସ୍ଥଳେ ତାଙ୍କର ଗୋଡ ମଧ୍ୟ କାଟିବାକୁ ପଡିପାରେ ବୋଲି ଡାକ୍ତର ପ୍ରକାଶ କରିଥିଲେ। ଏମିତିକି ସେ ଡିସ୍କେ୍ଲମର ସାଇନ୍ କରିବା ବେଳେ ନଭର୍ସ ହୋଇପଡିଥିଲେ ।

ତେବେ ଏକ ମାସ ହସ୍ପିଟାଲରେ ବିତାଇବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି । ଏବେ ସେ ଘରେ ରହି ଫିଜିଓଥେରାପି କରୁଥିବା ଜଣାପଡିଛି ।

Leave a Reply