ଫୋର୍ବସ ତାଲିକାରେ ୧୦ ଜଣ ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ

1 min read

ନୂଆଦିଲ୍ଲୀ:  ଅପରାଧର ଦୁନିଆ ଭୟ ଉପରେ ଚାଲେ । ଆତଙ୍କର ଚେହେରା ସବୁ ଡରକୁ କରନ୍ତି ଅସ୍ତ୍ର । ଦୁନିଆରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ଆତଙ୍କର ରାଜତ୍ୱ ସୀମା ସରହଦ ଟପି ଯାଇଛି । ସେମାନେ ଅପରାଧ ଦୁନିଆର ବାଦଶା’,ସେମାନଙ୍କ ପାଇଁ ଆତଙ୍କ ହିଁ ଧର୍ମ । ଅପରାଧ ବ୍ୟବସାୟ ।


ଡୋକୁ ଉମରାଓ:
ଡୋକୁ ଉମରାଓଙ୍କୁ ଋଷ୍ର ଓସାମା ବିନ୍ ଲାଡେନ୍ କୁହାଯାଏ । ଫୋର୍ବସର ମୋଷ୍ଟ ଓ୍ୱାଣ୍ଟେଡ୍ ଟପ୍-୧୦ ଅପରାଧୀଙ୍କ ଲିଷ୍ଟରେ ପ୍ରଥମ ସ୍ଥାନରେ ରହିଛି ଏହି ଅପରାଧୀର ନାମ । ଦକ୍ଷିଣ ଋଷକୁ ଏକ ଇସଲାମିକ୍ ସାମ୍ରାଜ୍ୟରେ ପରିଣତ କରିବା ଉମରାଓର ଲକ୍ଷ୍ୟ । ୨୦୧୦ରେ ଋଷରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ଉମରାଓର ହାତ ଥିଲା । ମସ୍କୋରେ କେତେକ ସ୍ଥାନରେ ବିସ୍ଫୋରଣ ପଛରେ ଉମରାଓର ହାତ ଥିବାକୁ ନେଇ ତାକୁ ଦୋଷୀ ପ୍ରମାଣିତ କରାଗଲା । ଯାହାପରେ ଉମରାଓ ବିଷୟରେ ସୂଚନା ଦେଲେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା ।

ଜୋଆକ୍ୱିନ୍ ଗଜମ୍ୟାନ:
ଜୋଆକ୍ୱିନକୁ ଦୁନିଆର ସବୁଠାରୁ ବଡ଼ ଅପରାଧୀ କୁହାଯାଏ । ଯିଏ ଏଲ ଚାପୋ ନାମରେ ଜଣାଶୁଣା । ମ୍ୟାକ୍ସିକୋରୁ ଆମେରିକା ପର୍ଯ୍ୟନ୍ତ ଲମ୍ବିଥିଲା ଏଲ ଚାପୋର ଡ୍ରଗ୍ସ ଧନ୍ଦା । ଏଲ ଚାପୋକୁ ପାବ୍ଲୋ ଏସ୍କୋବାର ପରେ ଦୁନିଆର ସବୁଠୁ ଧନୀ ଓ କୁଖ୍ୟାତ ଡ୍ରଗ୍ ମାଫିଆ ବୋଲି କୁହାଯାଏ । ଆମେରିକାକୁ ଡ୍ରଗ୍ସ ଚୋରା ଚାଲଣ କରି ଏହି ଅପରାଧି ଡ୍ରଗ୍ ଏନଫୋର୍ସମେଣ୍ଟ୍ ଏଜେନ୍ସୀ-ଡିଇଏ ଓ ଏଫ ବି ଆଇ ନଜରକୁ ଆସିଥିଲା । ମେକ୍ସିକୋରେ ସେ ଗଂଜେଇ ଚାଷ ଓ କୋକେନ ତିଆରିକୁ କର୍ପୋରେଟ୍ ଢାଂଚା ଦେଇଥିଲା । ତେବେ ଏବେ ଏଲ୍ ଚାପୋ ଆମେରିକା ଜେଲରେ ଦିନ ଗଣୁଛି । ଆମେରିକା ବହୁ ଚେଷ୍ଟା ପରେ ତାକୁ ଗିରଫ କରିଥିଲା । କିନ୍ତୁ ଏଲ ଚାପୋର ବ୍ୟବସାୟ ଏବେ ମଧ୍ୟ ଚାଲିଛି । ଏଲ ଚାପୋରେ ସେନାପତି ଓ ପରିବାରର ଅନ୍ୟ ସଦସ୍ୟ ଡ୍ରଗ୍ସ ବେପାରକୁ ଏବେ ପରିଚାଳନା କରୁଛନ୍ତି । ଏଲ ଚାପୋ ଉପରେ ନେଟଫ୍ଲିକ୍ସର ସିରିଜ୍ ନାର୍କୋସ ଖୁବ୍ ହିଟ୍ ହୋଇଥିଲା ।


ଅୟମାନ ଅଲ ଜବାହିରୀ:
ତାଲିବାନି ନେତା ଅୟମାନ ଅଲ ଜବାହିରୀକୁ ଦୁନିଆର ତୃତୀୟ ମୋଷ୍ଟ ଓ୍ୱାଣ୍ଟେଡ୍ କ୍ରିମିନାଲ କୁହାଯାଏ । କୁହାଯାଏ ୧୯୯୮ରେ ତଞ୍ଜାନିୟା ଏବଂ କେନ୍ୟାରେ ଥିବା ଆମେରିକା ଦୂତାବାସ ଉପରେ ହୋଇଥିବା ବୋମାମାଡ଼ର ମାଷ୍ଟର ମାଇଣ୍ଡ ଏହି ଅପରାଧୀ । ଏହି ବୋମାମାଡ଼ରେ ଶହଶହ ଲୋକଙ୍କ ଜୀବନ ଯାଇଥିଲା । ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଜବାହିରୀ ଅଲ କାଏଦାର ନୂଆ ମୁଖିଆ ହୋଇଥିଲା । ତେବେ 2020ରେ ଆଫଗାନିସ୍ତାନରେ ଅଲ ଜୱାହରୀ ଆମେରିକା ଆକ୍ରମଣରେ ନିହତ ହୋଇଥିଲା । ଲାଡେନର ମୃତ୍ୟୁ ପରେ ଅଲ କାଏଦାକୁ ନୂଆ ଜୀବନ ଦେଇଥିଲା ଅଲ ଜୱାହରୀ । ଅଲ ଜୱାହରୀ କାରଣରୁ ହିଁ ଅଲ କଏଦା ଏପର୍ଯ୍ୟନ୍ତ ତିଷ୍ଟି ରହିଛି ।


ଦାଉଦ ଇବ୍ରାହିମ୍:
ଭାରତର ସବୁଠାରୁ ବଡ଼ ମୋଷ୍ଟ ଓ୍ୱାଣ୍ଟେଡ୍ ଅପରାଧୀ ଦାଉଦକୁ ଫୋର୍ବସ ଦୁନିଆର ଚତୁର୍ଥ ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀର ଆଖ୍ୟା ଦେଇଥିଲା। ଦାଉଦ ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଜ ବିସ୍ଫୋରଣର ଷଡ଼ଯନ୍ତ୍ରକାରୀ ଥିଲା । ଯେଉଁଥିରେ ୨୫୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଭାରତୀୟ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ଦାଉଦ ଏବେ ପାକିସ୍ତାନ ଶରଣରେ । କରାଚିର କ୍ଲିଫ୍ଟନ ଷ୍ଟ୍ରିଟରେ ଥିବା ଆଲିଶାନ ବଙ୍ଗଳାରୁ ଦାଉଦ୍ ମୁମ୍ବାଇର ଅପରାଧ ଦୁନିଆକୁ ନିୟନ୍ତ୍ରଣ କରିଥାଏ । ଦାଉଦ ଗ୍ୟାଙ୍ଗକୁ ଡି-କମ୍ପାନୀ ବୋଲି କୁହାଯାଇଥାଏ । ଡି କମ୍ପାନୀ ପାଇଁ ୫ ହଜାର ଲୋକ କାମ କରନ୍ତି ବୋଲି ଫୋର୍ବସ ୨୦୧୧ରେ ଦାବି କରିଥିଲା । ଦାଉଦର ସମ୍ପର୍କ ଆଇଏସଆଇ,ଅଲକାଏଦା ଓ ତାଲିବାନ ସହିତ ରହିଛି । ଗୋଟିଏ ସମୟରେ ଦାଉଦ ବଲିଉଡକୁ ନିୟନ୍ତ୍ରଣ କରୁଥିଲା ।


ସେମିଅନ ମୋଗିଲେବିଚ୍:
ସେମିଅନ ଋଷରେ ସଙ୍ଗଠିତ ଅପରାଧର ଏକ ବଡ଼ ଚେହେରା । ୨୦୦୮ରେ ଟ୍ୟାକ୍ସ ଚୋରି ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା । କିନ୍ତୁ ତା’ ଓକିଲଙ୍କ ଯୁକ୍ତି ବଳରେ ଅଦାଲତ ୨୦୦୯ରେ ତାକୁ ମୁକ୍ତ କରିଥିଲେ । । ସେମିଅନ ଉପରେ ୧୫୦ ମିଲଅନ ଡଲାରର ଷ୍ଟକ୍ ଠକେଇ ଅଭିଯୋଗ ରହିଛି । ଏଥିପାଇଁ ସେମିଅନ ଉପରେ ବ୍ୟାନ ଲଗାଇବାକୁ ଦାବି କରିଥିଲା ଆମେରିକା । କେବଳ ସେତିକି ନୁହେଁ ସେମିଅନ ଋଷ୍ ଏବଂ ଆମେରିକାରେ ମଧ୍ୟରେ ଚାଲିଥିବା ଚୋରା ଅସ୍ତ୍ରଶସ୍ତ୍ର କାରବାର ମୁଖ୍ୟ କାର୍ପଟଦାର ବୋଲି ଅଭିଯୋଗ ହୁଏ ।


ନସୀର ଅଲ ବୁହାୟସୀ:
ବୁହାୟସୀ ଓସାମା ବିନ୍ ଲାଡେନର ପୂର୍ବ ସଚିବ । ଏହା ସହିତ ୟମନରେ ଅଲ କାଏଦାର ଏକ ବଡ଼ ନେତା । ଆମେରିକା ସମେତ କେତେକ ଦେଶ ଉପରେ ଆତଙ୍କୀ ଆକ୍ରମଣ କରିଥିବା ନେଇ ବୁହାୟସୀ ଉପରେ ଅଭିଯୋଗ ରହିଛି ।


ମେଟିଓ ମେସିନା ଡିନାରୋ:
ଡିନାରୋ ଇଟାଲୀର ସବୁଠାରୁ ବଡ଼ ମାଫିଆ । ତାକୁ ବସ୍ ଅଫ୍ ବସ ବା ମାଫିଆଙ୍କ ବସ ବୋଲି କୁହାଯାଏ । ଡିନାରୋର କେତେକ ସାଥୀ ଗିରଫ ହୋଇ ସାରିଥିଲେ ମଧ୍ୟ ତାକୁ ଏପର୍ଯ୍ୟନ୍ତ ଗିରଫ କରିବାରେ ପୋଲିସ ସକ୍ଷମ ହୋଇପାରିନାହିଁ ।

ଅଲିମଜହାଁ ତୋଖତାଖୁନୋବ:
ଅଲିମଜହାଁ ଉଜବେକିସ୍ତାନର ନାଗରିକ । କିନ୍ତୁ ଋଷ ହେଉଛି ତା’ର ଚରା ଭୁଇଁ । ଋଷରେ ତା’ ଗ୍ୟାଙ୍ଗ ସକ୍ରିୟ ରହିଛି । ଅନେକ ମାମଲାରେ ସେ ଋଷ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛି । ଡ୍ରଗ୍ସ ବେପାର ଠାରୁ ଆରମ୍ଭ କରି ଅସ୍ତ୍ର କାରବାର ଏବଂ ଚୋରା ଗାଡ଼ି ବେପାର,ସବୁଥିରେ ରହିଛି ଅଲିମର ଭାଗ । ଅଲିମର ଅପରାଧ ଆମେରିକାକୁ ମଧ୍ୟ ଚିନ୍ତାରେ ପକାଇଛି । ଏହି ଅପରାଧୀକୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ।

ଫିଲିସିଏନ କବୁଗା:
କବୁଗା ଆଫ୍ରିକାର ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ । ଆଫ୍ରିକାରେ ପ୍ରାୟ ୮ ଲକ୍ଷ ଲୋକଙ୍କ ହତ୍ୟାର ଅଭିଯୋଗ ତା’ ନାମରେ ରହିଛି । ୧୯୯୪ରେ ରୁଆଣ୍ଡା ଗୃହଯୁଦ୍ଧ କାଳରେ କବୁଗା ଆଦେଶରେ ନରସଂହାର ହୋଇଥିଲା ।

ଯୋଶେଫ୍ କୋନି:
ଯୋଶେଫ୍ ଲାଇସ ରେଜିଷ୍ଟାଣ୍ଟ ଆର୍ମିର ମୁଖିଆ କିନ୍ତୁ ଉଗାଣ୍ଡାରେ ସେ ଆତଙ୍କ ସୃଷ୍ଟି କରିଛି । ଉଗାଣ୍ଡା ସମେତ କେତେକ ଅଞ୍ଚଳରେ ସେ ନରସଂହାର କରିଛି । ଯୋଶେଫକୁ ୩୦ ହଜାର ପିଲାଙ୍କ ସମେତ ୬୦ ହଜାର ଲୋକଙ୍କ ଅପହରଣ, ହତ୍ୟା,ବଳାତ୍କାର ଏବଂ ସେକ୍ସ ସ୍ଲେଭରୀ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

Leave a Reply