ଜନ୍ମରୁ ଭାତ ଖାଇ ନାହାନ୍ତି ବେବିନା; ପରିବାର ଚାହାନ୍ତି ସରକାରୀ ସାହାଯ୍ୟ

କ୍ଷୀର ଭଲ । ଶରିରକୁ ଦିଏ ପୋଷକ ତତ୍ୱ କିନ୍ତୁ ବେବିନା ପାଇଁ କ୍ଷୀର ଅଭିଶାପ ସାଜିଛି । କାରଣ ବେବିନା କ୍ଷୀର ଛଡା ଆଉ କିଛି ଖାଇ ପାରେନା । ବର୍ଷେ କି ଦୁଇ ବର୍ଷ ନୁହଁ ଦୀର୍ଘ ୧୪ ବର୍ଷ ଧରି କ୍ଷୀର ପିଇ ବଞ୍ଚିଛି ବେବିନା ।  କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ବୋଦାପଲିସା ପଞ୍ଚାୟତର ଶଙ୍କରପୁର ଗାଁର ବେବିନା ଜନ୍ମ ପରଠାରୁ କ୍ଷୀର ଛଡା ଆଉ କିଛି ମଧ୍ୟ ଖାଇନାହିଁ ।

ଦୀର୍ଘ ୧୪ ବର୍ଷ ହେବ ବିଛଣାରେ ପଡ଼ି ରହି ବେବିନା ଅନାଗତ ଭବିଷ୍ୟତ ଆଶଙ୍କାର ଜୀବନ ବ୍ୟତିତ କରୁଛି । କେନ୍ଦୁଝର ଜିଲ୍ଲାପାଳ ଅଫିସରୁ ମାତ୍ର ୫ କି.ମି  ଥିବା  ଶଙ୍କରପୁର ଗ୍ରାମର ବଡ଼ସାହିରେ ବେବିନାର ଘର । ବାପାଙ୍କ ନାମ ରୋହିତ ଚାନ୍ଦ ମହାନ୍ତ  । ରୋହିତ ଜୀବନ ଜୀବିକା ପାଇଁ ମୂଲ ଲାଗନ୍ତି । ମଜୁରୀ ଟଙ୍କାରେ ଚାଲେ ତାଙ୍କ ଅଭାବି ପରିବାର ।

୧୪ ବର୍ଷ ପୂର୍ବେ ୨୦୦୬ ଡିସେମ୍ବର ମାସ ରେ  ବେବିନାର ହୁଏ ଜନ୍ମ ।  ଘରକୁ ଲକ୍ଷ୍ମୀ ଆସିଲେ ବୋଲି ରୋହିତ ଓ ତାଙ୍କ ପରିବାର  ଖୁସି ହୋଇଥିଲେ। କିନ୍ତୁ ସେଇ ଖୁସୀ ଅସ୍ଥାୟୀ ଥିଲା । ଖୁସିରେ ଯାହାର ନାମ ବେବିନା ରଖିଥିଲେ,ଏବେ ସେ ପରିବାର ଓ ନିଜ ପାଇଁ ଆଣିଥିଲା ଦୁଃଖର ପାହାଡ । ବେବିନା ନା କେବେ ଚାଲିଲା ନା କେବେ କଥା କହି ପାରିଲା । କେବଳ ଏତିକି ନୁହେଁ, ବେବିନା ଦେଖି ମଧ୍ୟ ପାରେନି ।

ଝିଅ ବେବିନାକୁ ଭଲ କରିବା ପାଇଁ ରୋହିତ ଡାକ୍ତରଙ୍କ ପାଖକୁ ଧାଇଁଛନ୍ତି । ନିଜ ସୀମିତ ଆୟରେ ସବୁ ଚେଷ୍ଟା କରିଛନ୍ତି । କିନ୍ତୁ ବେବିନା ଭଲ ହୋଇନାହିଁ । ଶେଷରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ବେବିନାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ନେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ରୋହିତଙ୍କ ଭଳି ଦିନ ମଜୁରିଆଙ୍କ ପାଇଁ ଏହା ସାଧ୍ୟ ବାହାରେଥିଲା । ଫଳରେ ସେବେଠାରୁ ବେବିନା ଘରେ ପଡି ରହିଛି । ବିନା ଚିକିତ୍ସାରେ । ଆଉ କେଇ ଖଣ୍ଡ ବିସ୍କୁଟ ଓ କ୍ଷୀର ପିଇ ଗଲା ୧୪ ବର୍ଷ ହେଲା ବିଛଣାରେ ଘାଣ୍ଟି ହେଉଛି । ନିଜେ ଘାଣ୍ଟି ହେବା ସହ ଚିନ୍ତାରେ ତା ବାପା ମା’ ମଧ୍ୟ ଘାଣ୍ଟି ହେଉଛନ୍ତି ।

ନିଜ ଝିଅକୁ ଅନ୍ୟ ପିଲାଙ୍କ ଭଳି ଚାଲିବା ଓ ଖେଳିବାକୁ ଦେଖିବାକୁ ଚାହୁଁଥିବା ରୋହିତ ଏବେ ସରକାରୀ ସାହାଯ୍ୟ ଅପେକ୍ଷାରେ । ସରକାର ଯଦି କିଛି ସାହାଯ୍ୟ କରନ୍ତେ ତେବେ ତାଙ୍କ ବେବିନା ବିଛଣାରୁ ଉଠନ୍ତା । ଦୁନିଆ ଦେଖନ୍ତା । ନିଜେ ହସନ୍ତା ଓ ପରିବାର ମୁହଁର ହସ ଫୁଟନ୍ତା । ରୋହିତଙ୍କ ଦୁଃଖରେ ସମଦୁଃଖୀ ଗ୍ରାମବାସୀ ମଧ୍ୟ ଚାହାନ୍ତି ଯେ, ସରକାର ରୋହିତଙ୍କୁ ସାହାଯ୍ୟ କରନ୍ତୁ । ବେବିନାର ଚିକିତ୍ସା ଭାର ସରକାର ଉଠାନ୍ତୁ ଓ ମହନ୍ତ ପରିବାରକୁ ବଂଚିବାର ଖୁସି ଦିଅନ୍ତୁ ।

Leave a Reply