କେଉଁଠୁ ଆସିଲା ଏତେ ଟଙ୍କା: ଗଲା ବର୍ଷ ଥିଲା ଆୟ ୧୦ ଲକ୍ଷ, ଚଳିତ ବର୍ଷ ଗୋଟିଏ ବ୍ୟାଙ୍କ୍ ଖାତାରେ ୨ କୋଟି ୪୮ ଲକ୍ଷ

1 min read

ଭୁବନେଶ୍ୱର: ଭାବି ସମୁଦି ଓ ଜୁଆଁଇଙ୍କୁ ସାର୍ଟିଫିକେଟ୍ ଦେଉଥିଲେ ପ୍ରଦୀପ ପାଣିଗ୍ରାହୀ । ପାଠକ ସିନିୟର ଓଡ଼ିଶାର ଜଣେ ସଚ୍ଚୋଟ ଅଫିସର ବୋଲି କହୁଥିଲେ । ଭାବି ଜୁଆଁଇଙ୍କ ଚାକିରିକୁ ନେଇ ମଧ୍ୟ ବଡ ବଡ କଥା କହୁଥିଲେ । ଯେତେବେଳେ ଜନବିରୋଧୀ କାର୍ଯ୍ୟପାଇଁ ବିଜେଡିରୁ ତଡା ଖାଇଲେ ସେତେବେଳେ ପାଲଟା ପ୍ରଶ୍ନ କରିଥିଲେ କ’ଣ ଜନବିରୋଧୀ କାମ କରିଥିଲି ? ଏବେ ଗୋପାଳପୁର ବିଧାୟକଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଛି ପ୍ରଶ୍ନ ଉଠୁଛି । ଯାହାର ଉତ୍ତର ପ୍ରଦୀପଙ୍କୁ ଦେବାକୁ ପଡିବ । କାରଣ ସେ ନିଜେ ହିଁ କହିଥିଲେ ମୋ ଜନବିରୋଧୀ କାମର ପ୍ରମାଣ ଦିଅ । ବ୍ୟାଙ୍କ ଆକାଉଣ୍ଟ ଡିଟେଲରୁ ଯାହା ତଥ୍ୟ ସାମ୍ନାକୁ ଆସୁଛି  ସେଥିରୁ ଜଣା ପଡୁଛି ଯେ,ଗତବର୍ଷ ୧୦ ଲକ୍ଷ ଟଙ୍କା ଉପରେ ଆୟକର ଦେଇଥିବା ପ୍ରଦୀପଙ୍କ ଆକାଉଣ୍ଟରେ ଏବର୍ଷ ୨ କୋଟି ୪୮ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଥିଲା । ଗୋଟିଏ ବର୍ଷ ମଧ୍ୟରେ ଆୟ ୧୦ ଲକ୍ଷ ଟଙ୍କାରୁ ୨ କୋଟି ୪୮ ଲକ୍ଷ ଟଙ୍କା କେମିତି ହେଲା ତାହାକୁ ପ୍ରଦୀପ ଅତିକମରେ ବୁଝାଇ କହିବା ଆବଶ୍ୟକ । କାରଣ ଏହା ଦ୍ୱାରା ଓଡ଼ିଶା ତଥା ବିଶେଷକରି ତାଙ୍କରି ନିର୍ବାଚନ ମଣ୍ଡଳିର ବେକାର ଯୁବକଙ୍କ କିଛି ଶିକ୍ଷା ପାଇ ପାରିବେ । ସେମାନେ ଚାକିରି ପାଇଁ ଦଲାଲଙ୍କୁ ଟଙ୍କା ଦେଇ ପଛରେ ପଶ୍ଚତାପ କରିବେ ନାହିଁ ।

ପ୍ରଦୀପଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ ଅନେକ ପ୍ରଶ୍ନ ଉଠାଉଛି । ସେହି ମଧ୍ୟରୁ କିଛି ପ୍ରଶ୍ନ ଉପରେ ଆସନ୍ତୁ ନଜର ପକାଇବା ଓ ଆଶା କରିବ ପ୍ରଦୀପ ଏହି ସବୁ ପ୍ରଶ୍ନର ଉତ୍ତର ଦେବେ । କାରଣ ସେ ଲୋକାୟୁକ୍ତ ଆଇନ୍ ଅନୁସାରେ ଜଣେ ପବ୍ଲିକ୍ ସର୍ଭାଣ୍ଟ୍

ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହି ପ୍ରଶ୍ନ ସବୁର ଉତ୍ତର ଦେବେ କି ?

  • ଗତ ଚାରି ମାସ ମଧ୍ୟରେ ବ୍ରହ୍ମପୁର କୋର୍ଟପେଟାର ICICI ବ୍ୟାଙ୍କରେ ଥିବା ପ୍ରଦୀପଙ୍କ ଖାତା(୨୦୩୬୦୧୫୦୧୯୪୮)ରେ ୨ କୋଟି ୮ ଲକ୍ଷ ଟଙ୍କା ଜମା ହୋଇଛି । କେଉଁ ସ୍ରୋତରୁ ଏତେ ଟଙ୍କା ଆସିଛି ?
  • ଗଂଜାମ ଜିଲ୍ଲାର ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁଙ୍କ ସଂପର୍କୀୟ ରବିନ୍ଦ୍ର ସାହୁଙ୍କ ସହ ନିଜ ସଂପର୍କ ବାବଦରେ ପ୍ରଦୀପ ପାଣିଗ୍ରାହୀ  ସ୍ପଷ୍ଟ କରିବେ କି ?
  • ରବିନ୍ଦ୍ର ସାହୁ ପ୍ରଦୀପଙ୍କ ବ୍ୟାଙ୍କ ଖାତାରେ ମୋଟ ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି । ଏବେ ପ୍ରଦୀପ ସ୍ପଷ୍ଟ କରିବେ କି ରବିନ୍ଦ୍ର କ’ଣ ପାଇଁ ଏତେ ଟଙ୍କା ତାଙ୍କ ଖାତାରେ ଜମା କରିଥିଲେ ?
  • ସୁର୍ଯ୍ୟ ଫିଲିଂ ଷ୍ଟେଶନ ଯାହାର ମାଲିକ ହେଉଛନ୍ତି ମଦ ବ୍ୟବସାୟୀ ସୁର୍ଯ୍ୟ ସାହୁ ସେ ଅଗଷ୍ଟ ୨୭ ତାରିଖରେ ପ୍ରଦୀପଙ୍କ ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା ଜମା କରିଥିଲେ । ଏତେ ଟଙ୍କା ଜମା କରିବାର କାରଣ ବାବଦରେ ପ୍ରଦୀପ ଏବେ ଉତ୍ତର ରଖିବେ କି ?
  • ସେହିଭଳି ଦିଲ୍ଲୀପ ପାଣିଗ୍ରାହି (ପ୍ରଦୀପଙ୍କ ଭାଇ) ମଧ୍ୟ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ । ଚାକିରି ଦେବା ନାମରେ ବେକାର ଯୁବକଙ୍କଠାରୁ ସଂଗ୍ରହ କରାଯାଇଥିବା ଟଙ୍କା କ’ଣ ପ୍ରଦୀପଙ୍କ ଆକାଉଣ୍ଟକୁ ଯାଇଥିଲା ?
  • ଏସ.କେ ମହାରଣା କିଏ ? ଯିଏ କି ପ୍ରଦୀପଙ୍କ ବ୍ୟାଙ୍କ ଖାତାରେ ୨୫ ଲକ୍ଷ ଟଙ୍କା ଜମା କରିଥିଲା । ଟାଟା କଲୋନିରେ ରହୁଥିବା ଦଲାଲ ବୁଲୁ ଗୌଡ ଜରିଆରେ ବାଲି ମାଫିଆ ଠାରୁ ସଂଗ୍ରହ କରାଯାଇଥିବା ଟଙ୍କାର ଏହି ୨୫ ଲକ୍ଷ ସହ କୌଣସି ସଂପର୍କ ରହିଛି କି ?  ମଦ ଓ ବାଲି ମାଫିଆ ସହ ଆପଣଙ୍କ ସଂପର୍କ ସେତୁ କ’ଣ ବୁଲୁ ଗୌଡ ?
  • ସେହିଭଳି ପ୍ରଦୀପଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିବା ଝୁନୁ ପାଣିଗ୍ରାହୀ କିଏ ? ଲାଂଜିଆପଲ୍ଲୀର ବେକାର ଯୁବକଙ୍କୁ ଚାକିରି ଦେବା ନାମରେ ଯେଉଁ ଅର୍ଥ ଆଦାୟ ହୋଇଥିଲା ଏହି ଟଙ୍କା ସହିତ ତାର ସଂପର୍କ ରହିଛି କି ?
  • ଏହା କେବଳ ଗୋଟିଏ ଆକାଉଣ୍ଟରେ ଡିପୋଜିଟ୍ ହୋଇଥିବା ଟଙ୍କା ସଂପର୍କିତ ସୂଚନା । ପ୍ରଶ୍ନ ଉଠୁଛି ଯେ, ନିଜକୁ ଲୋକଙ୍କ ସାଥୀ ବୋଲି ଦାବି କରୁଥିବା ପ୍ରଦୀପଙ୍କର ଆଉ କେତୋଟି ଆକାଉଣ୍ଟ୍ ରହିଛି ?
  • ଗତ ବର୍ଷ ପ୍ରଦୀପ ଆଇଟିଆର ଫାଇଲରେ ନିଜ ଆୟ ୧୦ ଲକ୍ଷ ବୋଲି ଦର୍ଶାଇ ଥିଲେ । ଚଳିତ ବର୍ଷ କେମିତି ତାଙ୍କ ଆକାଉଣ୍ଟକୁ ଅଚାନକ ୨ କୋଟି ୪୮ ଲକ୍ଷ ଟଙ୍କା ଆସିଗଲା ?
  • ଏସବୁ ଲେଣଦେଣ କେବଳ ଗୋଟିଏ ଆକାଉଣ୍ଟରେ ହୋଇଛି । ଅନ୍ୟ ବ୍ୟାଙ୍କରେ ପ୍ରଦୀପ କେତେ ଲେଣଦେଣ କରିଛନ୍ତି ? ପ୍ରଦୀପଙ୍କ ପକ୍ଷରେ ଏବେ ନିଜ ଆର୍ଥିକ ଲେଣଦେଣ ବାବଦରେ ସୂଚନା ଦେବାର ସମୟ ଆସିନାହିଁ କି ? ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ବ୍ୟାଙ୍କ ଖାତା ବାବଦରେ ସେ କ’ଣ କହିବେ ?
  • ମଦ ଓ ବାଲି ମାଫିଆ ପାଇଁ ପ୍ରଦୀପ କ’ଣ ସବୁ ଗୁରୁତ୍ୱପୂର୍ଣ୍ଣ କାମ କରୁଥିଲେ ଯେ, ତାଙ୍କ ଆକାଉଣ୍ଟକୁ ଏତେ ବଡ ରକମ ଆସୁଥିଲା ?

ପାଣ୍ଡୋରା ବକ୍ସ ଏବେ ମାତ୍ର ଖୋଲିଛି । ଆଗକୁ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ । ପ୍ରଦୀପ ପାଣିଗ୍ରାହୀ କହି ଆସୁଛନ୍ତି ଯେ, ସେ କୌଣସି ପ୍ରକାରର ଜନବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ନଥିଲେ । ତେବେ ପ୍ରଶ୍ନ ହେଉଛି ଏଭଳି ବେନାମୀ ଟଙ୍କା ଲେଣଦେଣ ଯଦି ଅପରାଧ ଓ ଜନବିରୋଧୀ କାମ ନୁହେଁ ତେବେ ଆଉ କ’ଣ ? ଏହି ବ୍ୟାଙ୍କ ଟ୍ରାଂଜାକସନ ପ୍ରଦୀପଙ୍କ ଅପରାଧର ପ୍ରମାଣ ।ସେ କେଉଁଭଳି ଭାବେ ଗଂଜାମ ବାସିନ୍ଦାଙ୍କ ସହ ପ୍ରତାରଣ କରି ବେଆଇନ୍ ଭାବେ କୋଟିକୋଟି ଟଙ୍କା ଆୟ କରିଛନ୍ତି ତାହାର ଏହା ହେଉଛି ପ୍ରମାଣ  । ସବୁଠୁ ବଡ ପ୍ରଶ୍ନ ହେଉଛି ମୁହଁଟାଣ ଦେଖାଇ ପ୍ରମାଣ ମିଳିଲେ ଇସ୍ତଫା ଦେବି ବୋଲି କହୁଥିବା ପ୍ରଦୀପ ଏବେ ଇସ୍ତଫା ଦେବେ କି ?

Leave a Reply