ନୂଆଦିଲ୍ଲୀ: ଭାରତ ଫେସବୁକ୍ ପଲିସି ମୁଖ୍ୟ ଅଙ୍ଖି ଦାସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଜନସେବା କ୍ଷେତ୍ରରେ ନିଜ ପାଇଁ ସୁଯୋଗ ଖୋଜିବା ଉଦ୍ଦେଶ୍ୟରେ ସେ ଏଭଳି କରିଥିବା ସୂଚନା ମିଳିଛି । ଫେସବୁକ ପରିଚାଳନା ନିର୍ଦ୍ଦେଶକ ଅଜିତ ମୋହନ ଏସମ୍ୱନ୍ଧିତ ସୂଚନା ଗଣମାଧ୍ୟମକୁ ଦେଇଛନ୍ତି । ସେ କହିଛନ୍ତି ଭାରତରେ ଫେସବୁକକୁ ସକ୍ରିୟ କରିବାରେ ଅଙ୍ଖିଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଥିଲା ।

କମ୍ପାନୀର ପ୍ରଗତୀ ପାଇଁ ଗଲା ୯ ବର୍ଷ ଧରି ସେ ନିରନ୍ତ ଭାବେ ପ୍ରଚେଷ୍ଟା କରୁଥିଲେ । ତାଙ୍କ ଚେଷ୍ଟାର ଫଳ ମଧ୍ୟ କମ୍ପାନୀକୁ ମିଳିଛି । ଫେସବୁକର ପୂରା ଟିମ୍ ତାଙ୍କ ଅବଦାନକୁ ସମ୍ମାନ ଦେବା ସହ ତାଙ୍କର ଆଗାମୀ ଭବିଷ୍ୟତ ସଫଳ ହେଉ ବୋଲି କାମନା କରୁଛି । ଉଲ୍ଲେଖଯୋଗ୍ୟ ଅଙ୍ଖି ଦାସ ବିଗତ ଦିନରେ ଚର୍ଚ୍ଚାରେ ଥିଲେ । ଫେସବୁକ ଭାରତରେ ଭାଜପା ସରକାରକୁ ସମର୍ଥନ କରୁଥିବା ଓ ଭାଜପା ସମର୍ଥିତ ହିଂସାତ୍ମକ ବିଷୟବସ୍ତୁ ପ୍ରୋତ୍ସାହନ ଦେଉଥିବାର ଆରୋପ ତାଙ୍କ ଉପରେ ଲାଗିଥିଲା ।

ଫେସବୁକର ପଲିସି ଦାୟିତ୍ୱରେ ଥିବା ଅଙ୍ଖି ଦାସଙ୍କ ସଂସଦୀୟ କମିଟି ଜେରା ମଧ୍ୟ କରିଥିଲା । ତେବେ ଓ୍ୱାଲ ଷ୍ଟ୍ରିଟ୍ ଜର୍ନାଲରେ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତରେ ଏହି ବିବାଦ ଜୋର ଧରିଥିଲା । ୨୦୧୪ ନିର୍ବାଚନ ପରେ ଅଙ୍ଖି ବିଜେପି ସରକାର ସପକ୍ଷରେ ପୋଷ୍ଟ କରିଥିବା ଅଭିଯୋଗ ମଧ୍ୟ ତାଙ୍କ ସହ ଯୋଡି ହୋଇ ରହିଛି ।

Leave a Reply