୪୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ: ୮୭୬ରେ ପହଞ୍ଚଲା ସଂକ୍ରମିତଙ୍କ ସଂଖ୍ୟା

2 min read

ଭୁବନେଶ୍ୱର: ରାଜ୍ୟରେ ଥମୁନି କରୋନା । ଦିନକୁ ଦିନ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ନିୟମିତ ଭାବରେ ବାହାରୁଛନ୍ତି ସଂକ୍ରମିତ । ସୋମବାର ପୁଣି ରାଜ୍ୟରେ ୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ-୩, ଗଞ୍ଜାମ-୧୫ଜଣ, ଖୋର୍ଦ୍ଧା-୧, କଟକ-୧, ବୌଦ୍ଧ ୧, ବଲାଙ୍ଗୀର ୨, ନୟାଗଡ଼ ୩, କନ୍ଧମାଳ ୨, ପୁରୀ ୪, ଯାଜପୁରରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି ।  ୩ ଜଣ କେନ୍ଦ୍ରାପଡ଼ାର ହୋଇଥିବା ବେଳେ ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ।

ଏତଦ୍‌ବ୍ୟତୀତ ଅନ୍ୟ ୧୫ ଜଣ ଚିହ୍ନଟ ହୋଇଥିବା ସଂକ୍ରମିତ ଗଞ୍ଜାମ ଜିଲ୍ଲାର । ସେମାନଙ୍କ ମଧ୍ୟରୁ ୧୪ ଜଣ ସୁରତ ଫେରନ୍ତା ସେମାନେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ  । ଅନ୍ୟ ଜଣେ ବେଙ୍ଗାଲୁରୁ ଫେରନ୍ତା । ଖୋର୍ଦ୍ଧା ଜିଲ୍ଲାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେ ବି ଜଣେ ସୁରତ ଫେରନ୍ତା । କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ । ସେହିଭଳି କଟକରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ମହାରାଷ୍ଟ୍ର ଫେରନ୍ତା ଏବଂ ସେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ବଲଙ୍ଗୀରରୁ ମଧ୍ୟ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନେ ମଧ୍ୟ ସୁରତ୍‌ ଫେରନ୍ତା ଏବେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ । ନୟାଗଡ଼ା ଜିଲ୍ଲାରୁ ମଧ୍ୟ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ସେମାନେ ଅହମ୍ମଦାବାଦ ଫେରନ୍ତା ଏବଂ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ । କନ୍ଧମାଳରୁ ଚିହ୍ନଟ ୨ ସଂକ୍ରମିତ ତାମିଲନାଡ଼ୁ ଫେରନ୍ତା ସେମାନେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ । ପୁରୀରୁ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୨ ଜଣ ତାମିଲନାଡ଼ୁ  ଓ ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା । ୩ ଜଣ ଯାକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ । ତେବେ ଜଣେ ସ୍ଥାନୀୟ ବାସିନ୍ଦା ମଧ୍ୟ ସଂକ୍ରମିତ ହୋଇଛନ୍ତି । ତେବେ ଏବେବି ଯାଜପୁରରୁ ପଶ୍ଚିମବଙ୍ଗ ଫେରନ୍ତା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛି । ଯାଜପୁରରୁ ଚିହ୍ନଟ ମୋଟ ୧୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ ପଶ୍ଚିମବଙ୍ଗ ଫେରନ୍ତା ଏବଂ ଜଣେ ତେଲେଙ୍ଗାନା, ୪ ଜଣ ଆନ୍ଧ୍ର ପ୍ରଦେଶ ଏବଂ ୪ ଜଣ ଅହମ୍ମଦାବାଦ ଫେରନ୍ତା । ତେବେ ଏଯାବତ୍‌ ରାଜ୍ୟରେ ମୋଟ ସଂକ୍ରମିତଙ୍କ  ସଂଖ୍ୟା ୮୭୬ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୫୨ ଟି ଆକ୍ଟିଭ୍‌ କେସ୍‌ ରହିଛି । 

Leave a Reply