ନିଆଁ ଆଁରେ କଅଁଳା କାନ୍ଦ, ଖେଳୁଖେଳୁ ଜଳିଗଲେ ୩ କୋମଳମତି କନ୍ୟା

କଳାହାଣ୍ଡି : ଶୀତୁଆ ଅପରାହ୍ନ । ଗାଁରେ ଖେଳରେ ମାତିଥିଲେ ୩ କୋମଳମତି କନ୍ୟା । ପାଖରେ ଥିଲା ପାଳ ଗଦା । ସେମାନେ ବା କେମିତି ଜାଣିବେ ପାଳଗଦାରେ ନିଆଁ ଧରିଲେ ଜୀବନ ଚାଲିଯିବା ବୋଲି । ଏ ଖେଳ ଯେ, ସେମାନଙ୍କ ପାଇଁ କାଳ ହେବ ତାହା ମଧ୍ୟ ପରିବାର ଲୋକ ଜାଣିନଥିବେ ।

ସତକୁ ସତ ଏଭଳି ଏକ ଚାଞ୍ଚଲ୍ୟକର ତଥା ଲୋମହର୍ଷକ ଘଟଣା କଳାହାଣ୍ଡିର ଧର୍ମଗଡ଼ରେ ଦେଖିବାକୁ ମିଳିଛି । କୋକସରା ବ୍ଲକ ବିଜମରା ଗାଁର ୩ ଜଣ ଶିଶୁ ଆଜି ଧାନ ଖଳାରେ ଖେଳୁଥିବା ସମୟରେ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ହୋଇ ଯାଇଥିଲା । ପ୍ରଥମେ ଧର୍ମଗଡ଼ ଏବଂ ପରେ ସେମାନଙ୍କୁ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ୩ ଶିଶୁଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବିଜମରା ପଞ୍ଚାୟତ ଡେଙ୍ଗାଗୁଡ଼ା ଗାଁର ହେମରାଜ ଦିଶାରୀଙ୍କ ଦୁଇ ଯାଆଁଳା ଝିଅ ରୋଜି ଓ ଡେଜୀ ଦିଶାରୀ ଏବଂ ତାଙ୍କ ମାମୁଁ ଝିଅ ରଚନା ରାଉତ ବୋଲି ଜଣାପଡିଛି। ସମସ୍ତଙ୍କର ବୟସ ୪ରୁ ୫ ବର୍ଷ ହେବ । ଗତକାଲିରାତିରେ ଧାନ ଖଳାରେ ଶୋଇଥିବା ବେଳେ ସଂପୃକ୍ତ ଖଳା ମାଲିକ ନିଆଁ ଲଗାଇ ଶୋଇଥିଲା । ଏହି ନିଆଁ ସକାଳେ ମଧ୍ୟ ଥିଲା । ଏହି ସମୟରେ ଖଳାରେ କେହିନଥିବା ବେଳେ ଆଜି ମଧ୍ୟାହ୍ନରେ ୩ ଶିଶୁ ଖେଳିବାକୁ ଆସି ନିଆଁ ଉପରେ ପାଳ ପକାଇ ନିଆଁ ଜାଳି ଖେଳୁଥିଲେ । ଏହି ସମୟରେ ନିଆଁ ହୁତୁ ହୁତୁ ହୋଇ ଜଳିବାସହ ଏହି ନିଆଁରେ ୩ ଜଣ ଶିଶୁ ଜଳିଯାଇଥିଲେ । ଚିତ୍କାର ଶୁଣି ଗ୍ରାମବାସୀ ମାନେ ଶିଶୁ ମାନଙ୍କୁ ଉଦ୍ଧାର କରି ଡାକ୍ତର ଖାନା ଆଣିଥିଲେ । ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇଛି । ଶିଶୁଙ୍କ ମୃତ୍ୟୁ ପରେ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply