ଜେଲେନସ୍କିଙ୍କ ବୁଦ୍ଧି ଉଦୟ: ଋଷ ସର୍ତ୍ତ ଆଗରେ ନୁଆଁଇଲେ ମୁଣ୍ଡ

1 min read

କିଭ୍: ଦଗାଦିଆ ନାଟୋର ନାଟରେ ଦେଶ ବରବାଦ ହେବା ପରେ ଜେଲେନସ୍କିଙ୍କ ବୁଦ୍ଧି ଉଦୟ ହୋଇଛି । ସେ ଏବେ ଯୁଦ୍ଧକୁ ଅଧିକ ଦିନ ଟାଣିବାକୁ ଚାହୁଁନାହାନ୍ତି । ଯାହାର ସଂକେତ ସେ ଦେଇଛନ୍ତି । ନାଟୋ ଆମକୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁନି, ଆମେ ମଧ୍ୟ ଆଉ ନାଟୋର ସଦସ୍ୟ ହେବାକୁ ଇଚ୍ଛୁକ ନୁହେଁ ବୋଲି ଜେଲେନସ୍କି କହିଛନ୍ତି ।

ଋଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଭୟାବହ ଯୁଦ୍ଧ ମଧ୍ୟରେ ଏହି ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ୍ ଏବେ ଋଷର ସର୍ତ୍ତ ମାନିବାକୁ ପ୍ରସ୍ତୁତ ହୋଇଛି। ଫଳରେ ଯୁଦ୍ଧ ବନ୍ଦ ହେବା ଆଶା ବଢ଼ିଛି । ଜେଲେନସ୍କି କହିଛନ୍ତି ‘ୟୁକ୍ରେନ୍ ନାଟୋରେ ସଦସ୍ୟତା ପାଇଁ ଆଗ୍ରହୀ ନାହିଁ । ୟୁକ୍ରେନ ଉପରେ ଋଷ ଆକ୍ରମଣର ମୁଖ୍ୟ କାରଣ NATO । ଏହାର ସଦସ୍ୟ ହେବାକୁ ଚାହିଁବାରୁ ରୁଷ ଆକ୍ରମଣ କରିଛି । ଫଳରେ ହଜାର ହଜାର ଲୋକଙ୍କ ମୁଣ୍ଡ ଗଡ଼ିଛି।’

ୟୁକ୍ରେନର ଏଭଳି ସ୍ଥିତିରେ ନାଟୋ କି ଆମେରିକା କେହି ସାହାଯ୍ୟ କରିନାହାଁନ୍ତି । ଏହି କାରଣରୁ ନାଟୋ ପ୍ରତି ତାଙ୍କର ଆଉ ଆନ୍ତରିକତା କମିଥିବା ଓ ସେ ଏହାର ସଦସ୍ୟ ହେବାକ ଚାହୁଁ ନଥିବା ଜେଲେନସ୍କି କହିଛନ୍ତି । ଏହାସହ ସେ ଆହୁରି କହିଛନ୍ତି ଯେ, ଆମକୁ ସଦସ୍ୟ ଭାବେ ନେଇ ନାଟୋ ଋଷ ସହ ଶତ୍ରୁତା କରିବାକୁ ଚାହୁଁନି । କାରଣ ନାଟୋ ଋଷକୁ ଭୟ କରୁଛି ।

କେବଳ ଏତିକି ନୁହେଁ, ଜେଲେନସ୍କି ୟୁକ୍ରେନର ବିଦ୍ରୋହୀ ଅଞ୍ଚଳ ଡୋନେସ୍କ ଓ ଲୁହାନସ୍କ ଉପରେ ମଧ୍ୟ ଆଲୋଚନା କରିବାକୁ ପ୍ରସ୍ତୁତ । ଯାହାକୁ ଯୁଦ୍ଧର କିଛିଦିନ ପୂର୍ବରୁ ଋଷ ସ୍ବତନ୍ତ୍ର ରାଷ୍ଟ୍ର ମାନ୍ୟତା ଦେଇଥିଲା ।

ଆମେରିକାର ଏକ ଟିଭି ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେବା ଅବସରରେ ନାଟୋ, ପୁଟିନ ଓ ଋଷର ଆଭିମୁଖ୍ୟକୁ ନେଇ ଆଲୋଚନା କରିଥିଲେ ଜେଲେନସ୍କି। ତାଙ୍କର ଏହି ଇଣ୍ଟରଭ୍ୟୁ ପରେ ୟୁକ୍ରେନକୁ ଶାନ୍ତି ଫେରିବାର ଆଶା ଉଭା ହୋଇଛି। ସାରା ବିଶ୍ବକୁ ଚିନ୍ତାରେ ପକାଇଥିବା ଋଷ-ୟୁକ୍ରେନ ଯୁଦ୍ଧରେ ପୂର୍ଣ୍ଣ ବିରାମ ଲାଗିବାର ସମ୍ଭାବନା ବଢ଼ିଛି।

ସେପଟେ ୟୁଦ୍ଧ ବନ୍ଦ ପାଇଁ ୟୁକ୍ରେନ ଆଗରେ ସର୍ତ୍ତ ରଖିଛି ମସ୍କୋ । ୟୁକ୍ରେନ ଭବିଷ୍ୟତରେ ନେଟୋର ସଦସ୍ୟ ନହେବ ତାହା ସ୍ପଷ୍ଟ କରିବା ସହ ସମ୍ବିଧାନରେ ପରିବର୍ତ୍ତପ କରିବ । ୨୦୧୪ରୁ ୟୁକ୍ରେନଠାରୁ ଋଷ ନେଇଥିବା କ୍ରିମିଆକୁ ଋଷର ବୋଲି ସ୍ବୀକାର କରିବ ଓ ଡୋନେସ୍କ ଓ ଲୋହାନସ୍କକୁ ସ୍ବତନ୍ତ୍ର କ୍ଷେତ୍ରର ମାନ୍ୟତା ଦେବାକୁ ସର୍ତ୍ତ ରଖିଛି ଋଷ ।

NATOକୁ କାହିଁକି ବିପଦ ମାନୁଛି ଋଷ ?

ଋଷ ୟୁକ୍ରେନ ଯୁଦ୍ଧରେ ନାଟୋ ହେଉଛି କଳିର ମଞ୍ଜି। ପୁଟିନ ନାଟୋର ବିସ୍ତାରକୁ ଋଷ ପ୍ରତି ବିପଦ ବୋଲି ଭାବନ୍ତି । କାରଣ ନାଟୋ ହେଉଛି ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତି ଆମେରିକା ନେତୃତ୍ବାଧୀନ ସାମରିକ ସଂଗଠନ । କମ୍ୟୁନିଷ୍ଟ ସୋଭିଏତ ଋଷର ପ୍ରଭାବ ହ୍ରାସ ପାଇଁ ୧୨ଟି ରାଷ୍ଟ୍ରଙ୍କୁ ନେଇ ୪ ଏପ୍ରିଲ ୧୯୪୯ରେ ଏହାର ପ୍ରତିଷ୍ଠା ହୋଇଥିଲା । ଆଉ ଏହାର ମୁଖ୍ୟାଳୟ ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ରହିଛି । ଏବେ ନାଟୋରେ ୩୦ ଦେଶ ସଦସ୍ୟ ଅଛନ୍ତି ।

ସୋଭିଏତ ଋଷ ନେତୃତ୍ବାଧୀନ ୱାରସା ଚୁକ୍ତି ସଂଗଠନ ବିରୋଧରେ ନାଟୋର ଜନ୍ମ ହୋଇଥିଲା । ନାଟୋ ସମ୍ବିଧାନ ଅନୁସାରେ ମେଣ୍ଟର ଗୋଟିଏ ରାଷ୍ଟ୍ର ଉପରେ ଆକ୍ରମଣ ସଂଗଠନ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ ଓ ଏହାର ଜବାବ ୩୦ ରାଷ୍ଟ୍ରର ସେନା ମିଳିତ ଭାବେ ଦେବେ । ଦୀର୍ଘଦିନ ହେବ ୟୁକ୍ରେନ ନାଟୋର ସଦସ୍ୟ ହେବାକୁ ଉଦ୍ୟମ କରିଆସୁଛି । ଗତ ଡିସେମ୍ବରରେ ନାଟୋରେ ସାମିଲ ହେବାକୁ ୟୁକ୍ରେନ ପୁଣି ଥରେ ଇଚ୍ଛା ପ୍ରକାଶ କରିଥିଲା । ଯାହାକୁ ଋଷ ବିରୋଧ କରି ଆସିଛି । ଋଷ, ୟୁକ୍ରେନକୁ ବିରୋଧ କରିବାର କାରଣ ରହିଛି । ୟୁକ୍ରେନ ଓ ଋଷ ମଧ୍ୟରେ ୨୨ ଶହ କିଲୋମିଟରରୁ ଅଧିକ ସୀମା ସଂଯୋଗ କରୁଛି । ଯଦି ୟୁକ୍ରେନ ନାଟୋରେ ସାମିଲ ହୁଏ ତେବେ ଋଷ ସୀମାରେ ନାଟୋର ସାମରିକ ଘାଟି ପ୍ରତିଷ୍ଠା ହୋଇଯିବ । ଆମେରିକା ନେତୃତ୍ବାଧୀନ ନାଟୋ ଭବିଷ୍ୟତରେ କୌଣସି ଯୁଦ୍ଧ ପରିସ୍ଥିତି ଆଓିଲେ ଋଷକୁ ସହଜରେ ଘେରି ପାରିବେ ।

ୟୁକ୍ରେନର ନାଟୋ ପ୍ରେମକୁ ଚେକ୍ ଦେବାକୁ ଦୁଇଟି ବିଦ୍ରୋହୀ ଅଞ୍ଚଳ ଡୋନେସ୍କୋ ଓ ଲୋହାଂସ୍କୋକୁ ଋଷ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିଛି । ଋଷ ଚାହୁଁଛି, ୟୁକ୍ରେନ୍ ମଧ୍ୟ ଏହି ଦୁଇ ଅଂଚଳକୁ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେଉ । ଏପରି ହେଲେ ଋଷ ଓ ୟୁକ୍ରେନ ମଧ୍ୟରେ ଦୁଇଟି ‘ବଫର’ ଷ୍ଟେଟ୍ ରହିବ ଓ ଉଭୟ ରାଷ୍ଟ୍ରର ସୀମା ସଙ୍କୁଚିତ ହୋଇପାରିବ । ଧ୍ବଂସ ହେଉଥିବା ୟୁକ୍ରେନକୁ ଦେଖି ଜେଲେନସ୍କି ଏହି ଦୁଇ ରାଷ୍ଟ୍ରକୁ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେବାକୁ ମନ ସ୍ଥିର କରୁଥିବା ଅନୁମାନ କରାଯାଉଛି ।