କାଲି ଆସିବ ୫ ରାଜ୍ୟର ଜନାଦେଶ, କଣ ରହିବ ରାଜ୍ୟପାଳଙ୍କ ଭୂମିକା ?

1 min read

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତାକାଲି ଆସିବ । ଯଦି ଗଣତି ଫଳାଫଳରେ କାହାରିକୁ ବହୁମତ ନ ମିଳେ ତ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଆସନ୍ତୁ ୫ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ନଜର ପକାଇବା ଉକ୍ତ ରାଜ୍ୟଗୁଡ଼ିକର ରାଜ୍ୟପାଳଙ୍କ ଉପରେ । ଜାଣିବା ସଂଖ୍ୟା ଗଣିତରେ କ’ଣ କରିପାରିବେ ରାଜ୍ୟପାଳ ।

ବିଧାନସଭା ନିର୍ବାଚନ ପରେ କୌଣସି ରାଜନୈତିକ ଦଳକୁ ସରକାର ଗଠନ ପାଇଁ ଡାକିଥାନ୍ତି ରାଜ୍ୟପାଳ । ଏଥିପାଇଁ ନିର୍ବାଚନ ଫଳାଫଳରେ କୌଣସି ଏକ ନିର୍ଦ୍ଦିଷ୍ଟ ଦଳକୁ ବହୁମତ ନ ମିଳିଲେ ରାଜ୍ୟପାଳଙ୍କ ଭୂମିକା ବଢ଼ିଯାଏ । ଏମିତି ସ୍ଥିତିରେ ରାଜ୍ୟପାଳ ପ୍ରଥମେ ଅଧିକ ଆସନ ଜିତିଥିବା ଦଳକୁ ଡାକିଥାନ୍ତି । ଦ୍ୱିତୀୟରେ ରାଜ୍ୟପାଳ କୌଣସି ମେଣ୍ଟକୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଥିଲେ ଆମନ୍ତ୍ରଣ କରିପାରନ୍ତି ।

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ

5 States Election Results Role Of Governor

୫ ରାଜ୍ୟ ନିର୍ବାଚନରେ ସମସ୍ତଙ୍କ ନଜର ରହିଛି ୟୁପି ଉପରେ । କାରଣ କୁହାଯାଏ ଉତ୍ତରପ୍ରଦେଶ ରାଜନୀତି ହିଁ ଦେଶରେ ପରିବର୍ତ୍ତନ ଆଣେ । ଅର୍ଥାତ୍ ୟୁପିରେ ପରିବର୍ତ୍ତନ ମାନେ କହିବାକୁ ଗଲେ ଦେଶ କିଛି ନୂଆ ଚାହୁଁଛି । ଏବେ ୟୁପିର ରାଜ୍ୟପାଳ ଅଛନ୍ତି ଆନନ୍ଦୀ ବେନ ପଟେଲ । ପୂର୍ବରୁ ଗୁଜରାଟରେ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ଥିଲେ ଆନନ୍ଦୀ ବେନ । ୧୯୯୪ରେ ଆନନ୍ଦୀ ବେନ ଗୁଜରାଟରୁ ରାଜ୍ୟସଭାକୁ ସାଂସଦ ଭାବେ ଯାଇଥିଲେ । ପରେ ୧୯୯୮ରେ ବିଧାନସଭା ନିର୍ବାଚନ ଜିତି ଶିକ୍ଷା ମନ୍ତ୍ରୀ ହୋଇଥିଲେ । ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ବି ମନ୍ତ୍ରୀ ରହିଥିଲେ ଆନନ୍ଦୀ ବେନ । ୨୦୧୪ରେ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଆନନ୍ଦୀ ବେନଙ୍କୁ ମିଳିଥିଲା କ୍ଷମତା । ଆଜୀବନ ବିଜେପି ସହ ରହିଥିବା ଆନନ୍ଦୀବେନ ମୋଦିଙ୍କର ବି ବେଶ୍ ପ୍ରିୟ । ୟୁପି ପୂର୍ବରୁ ଆନନ୍ଦୀ ବେନ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ରାଜ୍ୟପାଳ ଥିଲେ ।

ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ

5 States Election Results Role Of Governor

କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲ ବନୱାରୀ ଲାଲ୍ ପୁରୋହିତ । ଏବେ ସେ ପଞ୍ଜାବ ରାଜ୍ୟପାଳ ଅଛନ୍ତି । ୧୯୭୮ରେ ପ୍ରଥମଥର ପାଇଁ ନାଗପୁର ପୂର୍ବ ଆସନରୁ ବିଧାୟକ, ୧୯୮୪ରେ କଂଗ୍ରେସ ଟିକେଟରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୯ରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ । ୨୦୦୩ରେ ନିଜେ ଏକ ଦଳ ଗଢ଼ିଥିଲେ । ପରେ ପୁଣିଥରେ ୨୦୦୯ରେ ବିଜେପିରେ ଯୋଗ ଦେଇଥିଲେ । ୨୦୧୬ରେ ବନୱାରୀଙ୍କୁ ଆସାମ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା । ଏହା ପରେ ୨୦୧୭ରେ ସେ ତାମିଲନାଡ଼ୁ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୧ରେ ପଞ୍ଜାବ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା ।

ଗୋଆ ରାଜ୍ୟପାଳ ଏସ୍, ଶ୍ରୀଧରନ ପିଲ୍ଲାଇ

5 States Election Results Role Of Governor

ABVPରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏସ୍ ଶ୍ରୀଧରନ ପିଲ୍ଲାଇ । ଯୁବାବସ୍ଥାରୁ ବିଜେପିର ବିଶ୍ୱସ୍ତ ଏସ୍ ଶ୍ରୀଧରନ ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ କେରଳ ବିଜେପି ପ୍ରଦେଶ ସଭାପତି ଥିଲେ । ୨୦୦୪ରେ ପ୍ରଥମଥର ପାଇଁ କେରଳ ଓ ଲାକ୍ଷାଦ୍ୱୀପରେ ବିଜେପି ମିଳିତ ଭାବେ ୨ଟି ଲୋକସଭା ଆସନ ଜିତିଥିଲା । ୨୦୧୮ରେ ପୁଣି ଥରେ ଏସ୍ ଶ୍ରୀଧରନ କେରଳ ରାଜ୍ୟ ବିଜେପି ଅଧ୍ୟକ୍ଷ ହୋଇଥିଲେ । ୨୦୧୯ ଅକ୍ଟୋବରରେ ଏସ୍ ଶ୍ରୀଧରନଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ଏବେ ସେ ଗୋଆ ରାଜ୍ୟପାଳ ଅଛନ୍ତି ।

ମଣିପୁର ରାଜ୍ୟପାଳ ଲା ଗଣେଶନ

5 States Election Results Role Of Governor

୧୯୭୦ ମସିହାରୁ ବିଜେପି ସହିତ ଜଡ଼ିତ ଲା ଗଣେଶନ । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଜାତୀୟ ସମ୍ପାଦକ ଭାବେ ସେ କାର୍ଯ୍ୟ କରି ସାରିଛନ୍ତି । ୫ ଦଶନ୍ଧିରୁ ଅଧିକ ସମୟ ଧରି ବିଜେପି ସହ ଜଡ଼ିତ ଲା ଗଣେଶନ ଏବେ ମଣିପୁର ରାଜ୍ୟପାଳ ଅଛନ୍ତି ।

ଉତ୍ତରାଖଣ୍ଡ ରାଜ୍ୟପାଳ ଗୁରମିତ୍ ସିଂହ

5 States Election Results Role Of Governor

ସେନାରୁ ରାଜ୍ୟପାଳ । ୨୦୨୧ ସେପ୍ଟେମ୍ବର ୧୫ରେ ଗୁରମିତ୍ ସିଂହ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ପ୍ରଥମଥର ପାଇଁ ସୈନ୍ୟ ପୃଷ୍ଠଭୂମିରୁ ଜଣେ ଅଧିକାରୀଙ୍କୁ ରାଜ୍ୟପାଳ କରାଯାଇଥିଲା । ଯାହାଙ୍କର କୌଣସି ସମ୍ପର୍କ ନା ବିଜେପି ନା କୌଣସି ରାଜନୈତିକ ଦଳ ସହ ରହିଛି ।