ସମ୍ବିଧାନ ଦିବସ କଣ ? କାହିଁକି ପାଳୁଛି ସାରା ଦେଶ ଏହି ଦିନକୁ ?

ନୂଆଦିଲ୍ଲୀ : ସମ୍ବିଧାନ ଭାରତର ଆତ୍ମା । ଏହାକୁ ଭିତ୍ତି କରି ଆଗେଇ ଚାଲିଛି ଆମ ଗଣତାନ୍ତ୍ରିକ ବ୍ୟବସ୍ଥା । କେତେବେଳେ ଆଇନ ଓ ଅଧିକାରର ସୂକ୍ଷ୍ମ ଜାଲରେ ତ କେତେବେଳେ ନୀତି ନୈତିକତାର ପରିଧି ଭିତରେ । ଏମିତି ଆଗେଇ ଚାଲିଛି ଆମ ସମାଜ, ସଭ୍ୟତା ଓ ସାମାଜିକ ଏବଂ ରାଜନୀତିକ ଚଳଣି । ତେଣୁ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ସମ୍ବିଧାନ ପାଲଟିଛି ଏକ ଅଭିନ୍ନ ଅଙ୍ଗ । ଆଜି ହେଉଛି ସମ୍ବିଧାନ ଦିବସ । ଏହାର ଅର୍ଥ ଓ ସଜ୍ଞ୍ୟାକୁ ମର୍ମେ ମର୍ମେ ଅନୁଭବ କରିବାର ଦିନଟିଏ ।

କାହିଁକି ପାଳନ ହୁଏ ସମ୍ବିଧାନ ଦିବସ ?
୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସମ୍ବିଧାନ ସଭା ଦ୍ୱାରା ଗୃହୀତ ହୋଇଥିଲା ଆମ ସମ୍ବିଧାନ । ତା ପର ବର୍ଷ ଅର୍ଥାତ ୧୯୫୦ ଜାନୁଆରୀ ୨୬ରୁ ଏହାକୁ ଲାଗୁ କରାଯାଇଥିଲା । ୨୦୧୫ରେ ଭାରତୀୟ ସମ୍ବିଧାନର ଜନକ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତି ଅବସରରେ ପ୍ରଥମ ଥର ପାଇଁ ସମ୍ବିଧାନ ଦିବସ ପାଳିତ ହୋଇଥିଲା ।

କେମିତି ହୋଇଥିଲା ଆରମ୍ଭ ?
୧୧ ଅକ୍ଟୋବର ୨୦୧୫ରେ ମୁମ୍ବାଇର ଇନ୍ଦୁ ମିଲସ୍ ପରିସରରେ ଆମ୍ବେଦକର ମେମୋରିଆଲ ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ପାଳନ ସଂପର୍କରେ ଘୋଷଣା କରିଥିଲେ । ତାଙ୍କ ଘୋଷଣାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା । ୧୯ ନଭେମ୍ବରରେ ଏନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ଦିବସରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ବିଭିନ୍ନ କର୍ମଶାଳା ଆୟୋଜିତ ହୋଇଆସୁଛି । ଆଗାମୀ ପିଢ଼ିକୁ ସମ୍ବିଧାନ ବାବଦରେ ଅଧିକ ମାର୍ଗଦର୍ଶନ କରିବା ଏହି ଦିବସର ଲକ୍ଷ୍ୟ ।

ଭାରତୀୟ ସମ୍ବିଧାନକୁ ବିଶ୍ୱର ଏକ ପ୍ରମୁଖ ସମ୍ବିଧାନଭାବରେ ଗ୍ରହଣ କରାଯାଉଛି । ଏଥିରେ ୩୯୫ ଆର୍ଟିକିଲ୍ ୨୨ଟି ପାର୍ଟରେ ରହିଛି । ଦେଶର ନାଗରିକଙ୍କୁ ୬ଟି ମୌଳିକ ଅଧିକାର ଦେଇଛି ଆମ ସମ୍ବିଧାନ । ବିଶ୍ୱରେ ସବୁଠାରୁ ଦୀର୍ଘ ସମୟ ଧରି ଲେଖାଯାଇଥିବା ସମ୍ବିଧାନ ମଧ୍ୟରେ ଭାରତର ସବୁଠାରୁ ଆଗରେ ରହିଛି ।

ଆଜି ଏଥିପାଇଁ ସଂସଦରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ । ସେହିପରି ଓଡ଼ିଶା ବିଧାନସଭାରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସମ୍ବିଧାନ ଦିବସ ବିଭିନ୍ନ ସ୍କୁଲ କଲେଜରେ ମଧ୍ୟ ପାଳନ କରାଯାଉଛି ।

Leave a Reply