ପୋଲିସ ବାନ୍ଧି ନେଲେ ବି ଆପଣଙ୍କ ଏହି ସବୁ ଅଧିକାର ରହିଛି

ସଂଶୋଧିତ ନାଗରିକତ୍ୱ ଆଇନକୁ ନେଇ ଦେଶବ୍ୟାପୀ ବିରୋଧ ଜାରି ରହିଛି । ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହିଂସା ଭିଆଉଛନ୍ତି । ଯାହାକୁ ପ୍ରଶମିତ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ୧୪୪  ଧାରା ଲାଗୁ କରାଯାଇଛି । ତଥାପି କିଛି ସ୍ଥାନରେ ଲୋକେ କର୍ଫ୍ୟୁ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏଥିଲାଗି ପୋଲିସ ଶହ ଶହ ସଂଖ୍ୟାରେ ବିକ୍ଷୋଭକାରୀଙ୍କୁ ଅଟକ କରିଛି । ଯଦି ଆପଣ ବି କୌଣସି ପ୍ରକାର ବିକ୍ଷୋଭ କିମ୍ବା ପ୍ରତିବାଦରେ ସାମିଲ ହୋଇ ଅଟକ ହୁଅନ୍ତି, ତେବେ ଜାଣିରଖନ୍ତୁ ଅଟକ ପରେ ବି ଆପଣଙ୍କ କ’ଣ କ’ଣ ଅଧିକାର ରହିଛି ।

  • ଅଟକ ହେବା ଗିରଫ ହେବା ସହ ସମାନ ନୁହଁ ।
  • ପୋଲିସ ଦ୍ୱାରା ଅଟକ ହୋଇଥିବା ବ୍ୟକ୍ତିଙ୍କୁ ଅଟକ ହେବାର ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ହାଜର କରେଇବାକୁ ପଡ଼େ ।
  • ସେମାନେ କାହିଁକି ଅଟକ ହୋଇଛନ୍ତି । କେଉଁ କେଉଁ ଧାରାରେ ପୋଲିସ ତାଙ୍କୁ ଅଟକ କରିଛି ସେ ନେଇ ଜାଣିବାର ଅଧିକାର ରହିଛି ।
  • ଅଟକ ହୋଇଥିବା ବ୍ୟକ୍ତି ନିଜ ଓକିଲଙ୍କୁ ଡାକିବା ପାଇଁ ପୋଲିସକୁ କହିପାରିବେ । ପଚରାଉଚରା ବେଳେ ମଧ୍ୟ ଓକିଲ ଉପସ୍ଥିତ ରହିପାରିବେ ।
  • ପଚରାଉଚରା ବେଳେ ତାଙ୍କର ଚୁପ୍‌ ରହିବାର ମଧ୍ୟ ଅଧିକାର ରହିଛି । କାହିଁକି ନା’ ସେ ଦେଇଥିବା ଉତ୍ତର ତାଙ୍କ ବିରୋଧରେ କୋର୍ଟରେ ବ୍ୟବହାର ହୋଇପାରେ ।
  • ପଚରାଉଚରା ବେଳେ ଅଟକ ହୋଇଥିବା ବ୍ୟକ୍ତି ଚାହିଁଲେ ଚୁପ୍‌ ରହିବା ସହ ପୋଲିସ ଦ୍ୱାରା ଦିଆଯାଇଥିବା କୌଣସି କାଗଜପତ୍ର, ବଣ୍ଡରେ ଦସ୍ତଖତ କରିବାକୁ ବାଧ୍ୟ ନୁହଁନ୍ତି ।
  • ଅଟକ ହୋଇଥିବା ବ୍ୟକ୍ତି ଆହତ କିମ୍ୱା ଗୁରୁତର ହୋଇଥିଲେ ସେ ଚିକିତ୍ସା କରାଇପାରିବେ ।
  • ଅଟକ ହୋଇଥିବା ବ୍ୟକ୍ତି ଯଦି ଜଣେ ମହିଳା, ତା’ହେଲେ ତାଙ୍କୁ ଜଣେ ମହିଳା କର୍ମଚାରୀ ହିଁ ଅଟକ କରିପାରିବେ । ସୂର୍ଯ୍ୟାସ୍ତ ପୂର୍ବରୁ କିମ୍ୱା ସୂର୍ଯ୍ୟୋଦୟ ପରେ ଅଟକ କରିପାରିବେ ।
  •  ପୋଲିସ ଦ୍ୱାରା ଅଟକ ହେବା ପରେ ତାଙ୍କୁ କୁଆଡେ ନିଆଯାଉଛି ସେ ନେଇ ଜାଣିବାର ଅଧିକାର ରହିଛି ।

Leave a Reply