୧୩ଟି ନଦୀ ଜଳ ପ୍ରଦୂଷଣ ମୁକ୍ତ ହୋଇପାରିଛି, ଆଗକୁ ଆଉ ୬ରେ ଆସିବ ସୁଧାର

ଭୁବନେଶ୍ୱର: ରାଜ୍ୟରେ ନଦୀଜଳ ପ୍ରଦୂଷଣ ସ୍ଥିତିରେ ଆସିଛି ଅନେକ ସୁଧାର । ୨୦୧୮ରେ ରାଜ୍ୟର ମୋଟ ୧୯ଟି ନଦୀରେ ପ୍ରଦୂଷଣ ଥିଲା । ଏହି ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର କମିଟି ଗଠନ କରାଯାଇ ନିୟମିତ ତଦାରଖ ସହିତ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଫଳରେ ୧୯ଟି ନଦୀ ମଧ୍ୟରୁ ୧୩ଟି ନଦୀର ଜଳ ପ୍ରଦୂଷଣ ମୁକ୍ତ ହୋଇପାରିଛି । ଅବଶିଷ୍ଟ ୬ଟି ନଦୀ ଗଙ୍ଗୁଆ, ଦୟା, କାଠଯୋଡି, ବ୍ରାହ୍ମଣୀ, ସେରୁଆ ଓ ମଙ୍ଗଳାରେ ନଦୀଜଳ ପ୍ରଦୂଷିତ ଥିଲେ ବି ଚିନ୍ତାଜନକ ନୁହେଁ ।

ତଥାପି ଏହାକୁ ରୋକିବା ପାଇଁ ଜଳସମ୍ପଦ ବିଭାଗ ଓ ନଗର ଉନ୍ନୟନ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପଞ୍ଚାୟତିରାଜ ବିଭାଗ ଆଦିର ସମନ୍ବୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ମୁଖ୍ୟତଃ ସହରରୁ ନିର୍ଗତ ହେଉଥିବା ବର୍ଜ୍ୟକୁ ନଦୀରେ ଛଡା ଯାଉଥିବାରୁ ନଦୀଜଳ ପ୍ରଦୂଷିତ ହେଉଥିବା ଜଣାପଡିଛି । ଏଥିପାଇଁ ସହରର ବିଭିନ୍ନ ଶିଳ୍ପ ସଂସ୍ଥା ଓ ବର୍ଜ୍ୟଜଳକୁ ନଦୀ ଓ ନାଳରେ ନଛାଡିବାକୁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ସହିତ ନଦୀଜଳକୁ ସ୍ବଚ୍ଛ ରଖିବାକୁ ନିୟମିତ ବ୍ୟବଧାନରେ ନାଳରେ ପାଣି ଛାଡିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ନଦୀ କୂଳରେ ଥିବା ରାଉରକେଲା, ସମ୍ବଲପୁର, କଟକ ଓ ଭୁବନେଶ୍ବର ଆଦି ସହର ଗୁଡିକରେ ମଳ ଉପଚାର କେନ୍ଦ୍ର ପ୍ରତିଷ୍ଠା କରାଯିବା ପରେ ନଦୀରେ ପ୍ରଦୂଷଣ ହ୍ରାସ ପାଇଛି । ଯାହାକୁ ନେଇ ଜାତୀୟ ସବୁଜ ଟ୍ରିବ୍ୟୁନାଲ ସନ୍ତୋଷ ପ୍ରକାଶ କରିବା ସହ ଓଡିଶାକୁ ଏକ୍ଷେତ୍ରରେ ମଡେଲ ବୋଲି ଦର୍ଶାଇଛନ୍ତି । ଫଳରେ ଓଡିଶାର ଏହି ମଡେଲକୁ ଦେଖିବାକୁ ପୂର୍ବରୁ ପଞ୍ଜାବରୁ ସ୍ବତନ୍ତ୍ର ଟିମ ଆସି ଫେରିଥିବା ବେଳେ ବର୍ତ୍ତମାନ ମଳ ଉପଚାର ପ୍ରକଳ୍ପ ପରିଦର୍ଶନ କରିବାକୁ ଉତ୍ତର ପ୍ରଦେଶ ଓ ଅରୁଣାଚଳ ପ୍ରଦେଶରୁ ଟିମ୍ ଆସୁଛନ୍ତି ।

ଆବଶ୍ୟକ ପଦକ୍ଷେପ ଗ୍ରହଣ ପରେ ରାଜ୍ୟରେ ପ୍ରଦୂଷିତ ତାଲିକାରେ ଥିବା ସମସ୍ତ ୬ଟି ନଦୀର ସ୍ଥିତିରେ ସୁଧାର ଆସିବ ବୋଲି ଆଶା ରଖିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଡ. କେ. ମୁରୁଗେସନ । ସାଧାରଣତଃ ଅକ୍ଟୋବର ଓ ନଭେମ୍ବର ମାସରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ଦିଲ୍ଲୀରେ ସର୍ବାଧିକ ୪ଗୁଣା ବୃଦ୍ଧି ପାଉଛି । ତୁଳନାତ୍ମକ ଭାବେ ଭୁବନେଶ୍ବରରେ ସାମାନ୍ୟ ବୃଦ୍ଧି ପାଉଥିଲେ ସୁଦ୍ଧା ତାହା ଚିନ୍ତାଜନକ ନଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କହିଛନ୍ତି ।