ସେବାୟତଙ୍କ ପାଇଁ ମନ୍ଦିରରେ ପଡିଥିଲା ତାଲା, ଆଜି ଖୋଲିଲା ମନ୍ଦିର

ଭୁବନେଶ୍ୱର: ଖୋଲିଲା କପିଳନାଥ ମନ୍ଦିର । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ବିବାଦକୁ ନେଇ ମନ୍ଦିରରେ ପଡିଥିଲା ତାଲା । ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଠାକୁରଙ୍କ ସେବାକୁ ନେଇ ବିବାଦ ଦେଖାଦେଇଥିଲା । ଫଳରେ କପିଳନାଥଙ୍କ ଯାତ୍ରା ବା ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଜାତ ଠାରୁ ବନ୍ଦ ରହିଥିଲା କପିଳନାଥ ମନ୍ଦିରର ମୁଖ୍ୟ ଦ୍ୱାର

ଦୀର୍ଘ 10ଦିନ ପରେ ଆଜି ଖୋଲିଲା କପିଳେଶ୍ବର ମନ୍ଦିର । ଶତାଧିକ ମହିଳା ଆସି ମନ୍ଦିରର ତାଲା ଭାଙ୍ଗିଥିବା ସୂଚନା ମିଳିଛି । ହାଣ୍ଡିଭଙ୍ଗା ଯାତ ଠାରୁ 10ଦିନ ଧରି ଠାକୁର ଥିଲେ ବିନା ନୀତିକାନ୍ତି ଓ ଭୋକ ଉପବାସରେ ଥିଲେ । ଚଳିତ ବର୍ଷ ମଧ୍ୟ ହୋଇପାରିନି କପିଳନାଥଙ୍କ ଯାତ୍ରା । ଦୁଇ ସେବାୟତଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଟ୍ରଷ୍ଟ ଓ ପ୍ରଶାସନ ପକ୍ଷରୁ ଅନେକ ଥର ଉଦ୍ୟମ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନଥିଲା ।

ଆଜି ମନ୍ଦିର ଦ୍ବାର ଖୋଲା ଯାଇଥିଲେ ବି ନିତିକାନ୍ତି କିଭଳି ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁରୁଣା ଭୁବନେଶ୍ବର ସ୍ଥିତ କପିଳନାଥ ମନ୍ଦିର ନିକଟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।