ବହୁତ ଦଳ ଆସିବେ, ଅନେକ ପ୍ରତିଶ୍ରୁତି ଦେବେ ପରେ ସେମାନଙ୍କର ଦେଖା ମିଳିବ ନାହିଁ: କାର୍ତ୍ତିକ ପାଣ୍ଡିଆନ

ବୀରମହାରାଜପୁ: ବୀରମହାରାଜପୁରରେ ବିରୋଧୀଙ୍କ ଉପରେ ବର୍ଷିଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବିରୋଧୀ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ୍ କହି ନିର୍ବାଚନ ପରେ ସେମାନଙ୍କ ଦର୍ଶନ ମିଳିବ ନାହିଁ ବୋଲି କହିଛନ୍ତି ପାଣ୍ଡିଆନ। କେବଳ ଏତିକି ନୁହେଁ, ନୂଆ ରୋଜଗାର ସୃଷ୍ଟି ନେଇ ୨୦୧୪ରେ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ମନେ ପକାଇ ଦେଇଛନ୍ତି ପାଣ୍ଡିଆନ। ଏହା ସହିତ ୧୦ ବର୍ଷ ତଳେ ଧାନର ଏମଏସପି ବୃଦ୍ଧି ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି କେତେ ପୁରଣ ହୋଇଛି ବୋଲି ବୀରମହାରାଜପୁରରୁ ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ବିଜେଡ଼ିର ପ୍ରଚାର ସଭାରେ ଭାଷଣ ଦେଇ ପାଣ୍ଡିଆନ କହିଛନ୍ତି ଯେ, ବହୁତ ଦଳ ଆସିବେ, ଅନେକ ପ୍ରତିଶ୍ରୁତି ଦେବେ କିନ୍ତୁ ନିର୍ବାଚନ ପରେ ସେମାନଙ୍କର ଦେଖା ମିଳିବ ନାହିଁ। କେବଳ ବିଜେଡି ହିଁ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବ। ବିରୋଧି ଦଳ କଥା ବେଶି କୁହନ୍ତି, କାମ କମ କରନ୍ତି। ୨୦୧୪ ପୂର୍ବରୁ ସେମାନେ ପ୍ରତିବର୍ଷ ୨ କୋଟି ରୋଜଗାର ଦେବୁ ବୋଲି କହିଥିଲେ। ଧାନର ସର୍ବନିମ୍ନ ମୂଲ୍ୟ ଦୁଇଗୁଣ କରିବାକୁ ୨୦୧୪ରେ କହିଥିଲେ । ୧୦ ବର୍ଷ ପରେ ମଧ୍ୟ ସେହି ପ୍ରତିଶ୍ରୁତି ପୁରଣ ହୋଇପାରିଲା ନାହିଁ। ପୁଣି ଆଜି ସଂଧ୍ୟା ବେଳେ ସେମାନେ ମିଛ କହିବେ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ ଦେବୁ, ଏଇଟା କରିବୁ ସେଇଟା କରିବୁ କହିବେ କିନ୍ତୁ କିଛି କରିବେ ନାହିଁ । ଅନ୍ୟ ଯେଉଁମାନେ ଆସିବେ ସେମାନେ ବିକାଶ କାମରେ ବ୍ରେକ୍ ଲଗାଇବେ।

ମୁଖ୍ୟମନ୍ତ୍ରୀ ଯୁବପୀଢିକୁ ଶସକ୍ତ କରୁଛନ୍ତି। ଲୋକଙ୍କ ସାଥିରେ ରହି ସମସ୍ୟା ବୁଝିବା ସହ ତାକୁ ଦୂର କରୁଛନ୍ତି । ୯୫ ପ୍ରତିଶତ କଲେଜ ପଢୁଆ ପିଲା ସ୍କଲାରସିପ୍ ପାଉଛନ୍ତି। କେଉଁ ଡବଲ ଇଂଜିନ ସରକାରରେ ଏତେ ସ୍କଲାରସିପ୍ ମିଳୁନାହିଁ ବୋଲି କହିଛନ୍ତି ପାଣ୍ଡିଆନ। ନିର୍ବାଚନ କାଳରେ ଯେଉଁମାନେ ଆସି ବଡ଼ବଡ଼ ପ୍ରତିଶ୍ରୁତି ଦେବେ ସେମାନଙ୍କ ଦେଖା ନିର୍ବାଚନ ପରେ ମିଳିବ ନାହିଁ । ନବୀନ ସରକାର ଲୋକଙ୍କ ସରକାର ବୋଲି କହି ସେ କହିଥିଲେ ଯେ, ଆମେ ନିର୍ବାଚନ ଥିଲେ ଆସିବୁ ନଥିଲେ ବି ଆସିବୁ। ନିର୍ବାଚନ କାଳରେ ଆସୁଥିବା ଟୁରିଷ୍ଟ ମାନଙ୍କୁ ଚିହ୍ନିକି ରଖନ୍ତୁ। ସେମାନେ ନିର୍ବାଚନ ପରେ ଆସିବେ ନାହିଁ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।