ଏକ କିଲୋ ମାଂସ ପ୍ରସ୍ତୁତ ପାଇଁ ଯେତିକି ପାଣି ଖର୍ଚ୍ଚ ହୁଏ, ସେତିକିରେ ଜଣେ ବର୍ଷେ ଗାଧୋଇ ପାରିବେ !

1 min read

ନୂଆଦିଲ୍ଲୀ: ଆଜି ବିଶ୍ୱ ଜଳ ଦିବସ । ଜଳ ସଂରକ୍ଷଣ ପାଇଁ ଜାତିସଂଘ ଉଦ୍ୟମରେ ଏହା ୧୯୯୩ ମସିହାରୁ ପାଳିତ ହୋଇ ଆସୁଛି । ଚଳିତ ବର୍ଷର ଥିମ୍ ହେଉଛି ‘ପାଣିର ମହତ୍ୱ’ । ପାଣିର ମହତ୍ୱ ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଦୁଃଖର କଥା ହେଉଛି ଆମେ ଏହାକୁ ଅଧିକ ଗୁରୁତ୍ୱ ଦେଇ ନଥାଉ । ଜୀବନର ଆରମ୍ଭ ହିଁ ପାଣିରୁ ହୋଇଥାଏ । ମା’ଗର୍ଭରେ ୯ ମାସ ରହିବାଠାରୁ ଚିତାଭଷ୍ମ ନଦୀ ଜଳରେ ପ୍ରବାହିତ କରିବା ପର୍ଯ୍ୟନ୍ତ, ଜଳ ଜୀବନରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।
ଆମେ ଦୈନନ୍ଦିନ ଜୀବନରେ ଯେଉଁ ସବୁ ବସ୍ତୁର ଉପଯୋଗ କରିଥାଉ ସେସବୁର ଉତ୍ପାଦନରେ କେତେ ପାଣି ଖର୍ଚ୍ଚ ହୋଇଥାଏ ଓ ସେହି ସବୁ ବସ୍ତୁ ବ୍ୟବହାରକୁ ଯଦି ନିୟନ୍ତ୍ରଣ କରାଯିବ ତେବେ କେତେ ଜଳ ସଂରକ୍ଷଣ ହେବ ତାହା ଜାଣିଲେ ଆପଣ ଚକିତ ହେବେ ।

ପୁଡୁଚେରିର ପୂର୍ବତନ ଉପ ରାଜ୍ୟପାଳ କିରନ ବେଦୀ ଏକ ଟ୍ୱିଟ୍ କରି ଏମିତି ସୂଚନା ଦେଇଛନ୍ତି ଯାହା ଆପଣଙ୍କୁ ଚକିତ କରିବ । ଏକ ଦୈନିକ ଖବରକାଗଜର କ୍ଲିପିଂ ସେୟାର କରି କିରନ ବେଦି ଲେଖିଛନ୍ତି ଯେ, ଏକ କିଲୋ ମାଂସ ପ୍ରସ୍ତୁତ କରିବାକୁ ସେତିକି ପାଣି ଆବଶ୍ୟକ ଯେତିକିରେ ଜଣେ ବ୍ୟକ୍ତି ଗୋଟିଏ ବର୍ଷ ସ୍ନାନ କରିପାରିବେ । ସେହିଭଳି ଏକ କିଲୋ ଚିକେନ୍ ଉତ୍ପାଦନ ପାଇଁ ଆବଶ୍ୟକ ପାଣିରେ ଜଣେ ବ୍ୟକ୍ତି ୪ ମାସ ଗାଧୋଇ ପାରିବେ । ଯଦି ଏକ କିଲୋ ଗହମ ଉତ୍ପାଦନ ପାଇଁ ଆବଶ୍ୟକ ପାଣିକୁ ଏକ କିଲୋ ମାଂସ ଉତ୍ପାଦନ ପାଇଁ ଆବଶ୍ୟକ ପାଣି ସହିତ ତୁଳନା କରାଯାଏ ତେବେ କିଲେ ମାଂସ ଉତ୍ପାଦନ ପାଇଁ ଆବଶ୍ୟକ ପାଣିର ଏକ ପ୍ରତିଶତରେ ଏକ କିଲୋ ଗହମ ଉତ୍ପାଦନ ହୋଇପାରିବ ।

ଏହି ତୁଳନାତ୍ମକ ଅଧ୍ୟୟନରୁ ଏବେ ସ୍ପଷ୍ଟ ଯେ, ମାଂସ ପ୍ରସ୍ତୁତି ପାଇଁ ଅଧିକ ପାଣି ଆବଶ୍ୟକ ହୋଇଥାଏ । ଅନ୍ୟପକ୍ଷରେ ଗହମ ପ୍ରସ୍ତୁତି ପାଇଁ କମ ଜଳ ଆବଶ୍ୟକ । ତେଣୁ ଜଳ ସଂରକ୍ଷଣ ପାଇଁ କେବଳ ପାଣି ଟ୍ୟାବ୍ ଉପରେ ନଜର ରଖିଲେ ହେବ ନାହିଁ । ଏହା ସହିତ ଆପଣଙ୍କୁ ଆପଣ କ’ଣ ଖାଉଛନ୍ତି ତା ଉପରେ ମଧ୍ୟ ନଜର ରଖିବାକୁ ପଡିବ । ଆପଣଙ୍କ ଖାଦ୍ୟ ଜଳ ନଷ୍ଟକୁ ରୋକିପାରିବ ।

Leave a Reply