ନିର୍ବାଚନୀ ଋତୁରେ ବଢୁଛି ବିବାଦୀୟ ମନ୍ତବ୍ଯ, ମୋଦିଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ କଂଗ୍ରେସ

1 min read

ନୂଆଦିଲ୍ଲୀ: ବଢିବାରେ ଲାଗିଛି ବିବାଦୀୟ ମନ୍ତବ୍ଯ ସଂଖ୍ଯା । ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି କଥା କଟାକଟି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ବଗୁରୁ ବଦଳରେ ବିଷଗୁରୁ ବୋଲି କହିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ।

ମହିଳାଙ୍କ ମଙ୍ଗଳସୂତ୍ରକୁ ଛଡାଇ ନେଇଯିବାକୁ କଂଗ୍ରେସ ଯୋଜନା କରୁଛି ବୋଲି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ଯକୁ ସମାଲୋଚନା କରି ଜୟରାମ କହିଛନ୍ତି ପ୍ରଧାନମନ୍ତ୍ରୀ ପବିତ୍ର ମଙ୍ଗଳସୂତ୍ରକୁ ସମ୍ମାନ ଦିଅନ୍ତି ନାହିଁ । ଏହାକୁ ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି କଂଗ୍ରେସ । ରାଜସ୍ଥାନରେ ବାନସ୍ବରରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ- ଅନୁପ୍ରବେଶକାରୀ ଏବଂ ଯେଉଁମାନଙ୍କ ଅଧିକ ସନ୍ତାନ ରହିଛି ସେମାନଙ୍କ ହାତରେ ଲୋକଙ୍କ କଷ୍ଟ ଉପାର୍ଜିତ ଅର୍ଥ ଓ ସମ୍ପତ୍ତି ଟେକି ଦେବା ଲାଗି କଂଗ୍ରେସ ଯୋଜନା କରିଛି ।

ଅର୍ବାନ ନକ୍ସଲ ଯାହା ଚିନ୍ତା କରନ୍ତି କଂଗ୍ରେସ ତାହା ଚିନ୍ତା କରୁଛି । ମୋଦୀ କହିଥିଲେ- କ୍ଷମତାରେ ଥିବାବେଳେ କଂଗ୍ରେସ କହୁଥିଲା- ଦେଶର ସମ୍ବଳରେ ମୁସଲିମମାନଙ୍କ ପ୍ରଥମ ଅଧିକାର ରହିଛି । ଯଦି କଂଗ୍ରେସ ପୁଣି କ୍ଷମତାକୁ ଆସେ ତେବେ ସମସ୍ତଙ୍କ ସମ୍ପତ୍ତି ଏକାଠି କରିବା ସହ ଯେଉଁମାନଙ୍କ ଅଧିକ ସନ୍ତାନ ରହିଛି ସେମାନଙ୍କ ମଧ୍ୟରେ ବାଣ୍ଟିଦେବ । ତେଣେ ଜୟରାମ କହିଛନ୍ତି- ଅଯଥାରେ ଏହାକୁ ନେଇ ବିବାଦ ସୃଷ୍ଟି କରାଯାଉଛି ।

ନିଜର ନିର୍ବାଚନ ଇସ୍ତାହାରରେ ଦେଶରେ ଅର୍ଥନୈତିକ ଅସମାନତା ପ୍ରସଙ୍ଗ ଉଲ୍ଲେଖ କରାଯାଇଛି ବୋଲି କହିଛନ୍ତି ଜୟରାମ । ମୋଟାମୋଟି ଭାବେ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ ହେଟସ୍ପିଚ ବୋଲି ଦର୍ଶାଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଏହି ମନ୍ତବ୍ଯ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭି । ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତିକୁ ବି ସମାଲୋଚନା କରିଛନ୍ତି AIMIM ନେତା ଅସଦୁଦ୍ଦିନ ଓବେସି । ସେପଟେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏହି ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯୁଦ୍ଧ ସମୟରେ ତାଙ୍କ ଜେଜେ ମା ନିଜର ସୁନାଗହଣା ଦାନ ଦେଇଥିଲେ ।

ଏପରିକି ତାଙ୍କ ମାଙ୍କ ମଙ୍ଗଳସୂତ୍ର ଦେଶଲାଗି ଉତ୍ସର୍ଗୀକୃତ ହୋଇଛି । ଦେଶ ସ୍ବାଧୀନତା ପାଇବାର ୭୭ ବର୍ଷ ହେଲା । ଦେଶରେ କଂଗ୍ରେସ ପ୍ରାୟ ୫୫ ବର୍ଷ ଶାସନ କରିଛି । ଏହି ସମୟ କାଳ ମଧ୍ଯରେ କାହାଠାରୁ କଂଗ୍ରେସ ମଙ୍ଗଳସୂତ୍ର ଛଡାଇ ନେଇଛି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା । ଏହାରି ଭିତରେ ଆଉ ଏକ ବିବାଦ ଠିଆ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଆମେଠିର ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ । ଆମେଠିବାସୀଙ୍କୁ ସେ କହିଛନ୍ତି- ଆପଣମାନେ ନିଜ ନିଜର ସମ୍ପତ୍ତିର କାଗଜପତ୍ର ଲୁଚାଇ ରଖନ୍ତୁ । ରାହୁଲ ଗାନ୍ଧୀ ଓ ତାଙ୍କ ଭିଣୋଇ ରବର୍ଟ ବାଦ୍ରା ଏହା ଯଦି ଜାଣନ୍ତି ତେବେ ତାହା ସେମାନେ ଛଡାଇ ନେଇ ବାଣ୍ଟିଦେବେ ।