ସରକାର ଓ ଲୋକଙ୍କ ମଧ୍ଯରେ କଳାତ୍ମକ, ବୌଦ୍ଧିକ ସୁସଂପର୍କ ଭାଷାକୁ ଆଗକୁ ନେବ

1 min read

ଭୁବନେଶ୍ୱର : ଭାଷା ସରକାରଙ୍କର ନୁହେଁ । ଭାଷା କ୍ଷମତାର ନୁହେଁ । ଭାଷା ଏକ ଜନସମଦାୟର ଓ ମଣିଷମାନଙ୍କର । ଆମେ ସମସ୍ତେ ସବୁବେଳେ ଭାଷାର ସରକାରୀକରଣ ଉପରେ ଗୁରୁତ୍ବ ଦେଇଆସୁଛେ । ଏଥିରେ କେବଳ ସରକାରଙ୍କ କିଛି ମାତ୍ରାରେ ଭୂମିକା ରହିଛି । ସରକାର ଓ ଲୋକଙ୍କ ମଧ୍ଯରେ କଳାତ୍ମକ, ବୌଦ୍ଧିକ ସୁସଂପର୍କ ନରହିଲେ ଭାଷାର ସ୍ପଷ୍ଟ ଦୃଶ୍ଯମାନତା ଅସ୍ପଷ୍ଟ ହୋଇଯିବ । ଜାତି ନନ୍ଦିଘୋଷ କନକ୍ଲେଭରେ ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରାର ଜୟଯାତ୍ରାର ଏକ ଆଲୋଚନା ଉପରେ ଓଡ଼ିଆ ଭାଷା ପ୍ରତି ଆହ୍ବାନ କଣ ରହିଛିର ଉତ୍ତରରେ ଏହା କହିଛନ୍ତି ବିଶିଷ୍ଟ ସଂସ୍କୃତି ଗବେଷକ, ଚିନ୍ତାନାୟକ ଡ. ଗୌରାଙ୍ଗ ଚରଣ ଦାସ । ଭାଷାର ରୂପରେଖ କଣ ହୋଇପାରିବ ସେଥିପାଇଁ ୧୯୦୪ରେ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଦ୍ବାରା ଲିଖିତ ପ୍ରବନ୍ଧ ବିଶୁଦ୍ଧ ଭାଷାରେ ଉଲ୍ଲେଖ ରହିଛି । ୩୦ରୁ ୪୦ ବର୍ଷ ଧରି ଭାଷା ଗବେଷଣା ଦିଗରେ କାମ ଧୀମେଇ ଯାଇଛି । ତେଣୁ ଗବେଷଣା ନହେଲେ କେମିତି ଏକ ଦୃରଦୃଷ୍ଟି ସମ୍ପନ୍ନ ଭବିଷ୍ଯତ ତିଆରି କରିପାରିବା ବୋଲି ପ୍ରଶ୍ନ କରିଛନ୍ତି ଡ. ଗୌରାଙ୍ଗ ଚରଣ ଦାସ ।

ସେହିଭଳି ପରମ୍ପରା ଗୋଟିଏ ପ୍ରବାହ । ତାହା ବଦଳିବା ଲାଗି ବାଧ୍ଯ । ଆମ ସମସ୍ତଙ୍କୁ ବଦଳିବାକୁ ବାଧ୍ଯ । ନବଦଳିଲେ ବଂଚିପାରିବାନି । ତେଣୁ ସଂସ୍କୃତିର ରାଜନୀତିକରଣ ନହେଉ । ପରିବର୍ତ୍ତିତ ସାଂସ୍କୃତିକ ପରିମଣ୍ଡଳ ଯୋଗୁଁ ଆମେ ଆମ ସଂସ୍କୃତି ପ୍ରତି ବିମୁଖ ହେଉଛେ । ତେଣୁ ସଂସ୍କୃତିକୁ ବୁଝିପାରିଲେ ସଭ୍ଯତା ଓ ନୂଆ ପରମ୍ପରା ତିଆରି କରିପାରିବା ବୋଲି କହିଛନ୍ତି ଡ. ଗୌରାଙ୍ଗ ଚରଣ ଦାସ । ତେବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ସର୍ବାଙ୍ଗ ରୂପାନ୍ତରଣ ହୋଇଛି । ଶିକ୍ଷା, ସ୍ବାସ୍ଥ୍ଯ, ସଂସ୍କୃତି ଭାଷା ସବୁସ୍ତରରେ ବଡ଼ ପରିବର୍ତ୍ତନ ଆଣିଛନ୍ତି ନବୀନ । ଓଡ଼ିଆ ଭାଷା ସରକାରୀ ଭାଷାରେ ପରିଣତ ହୋଇଛି, ଭାଷା ଏକାଡେମୀ ପ୍ରତିଷ୍ଠା ହୋଇଛି । ନୂଆ-ଓ କାର୍ଯ୍ଯକ୍ରମ ଦ୍ବାରା ଭବିଷ୍ଯତ ପିଢି ଜାଣିପାରିବ ଭାଷାର ଉନ୍ନତି କାହା ସମୟରେ ହୋଇପାରିଥିଲା ବୋଲି କହିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ।

ସେହିପରି ପ୍ଯାନେଲରେ ଉପସ୍ଥିତ ଥିବା ବିଶିଷ୍ଟ ସଂଗୀତଜ୍ଞ ତଥା କଣ୍ଠଶିଳ୍ପୀ ତାନସେନ ସିଂ ମଧ୍ଯ ଏହା ଉପରେ ନିଜର ମତ ରଖିଥିଲେ । ସେତେବେଳେ ସଂଗୀତର ଭାଷାରେ ଶାଳୀନତା ଥିଲା ଓ ଜୋଶ ଥିଲା । ଏବେ ଗୋଟିଏ ଗୀତରେ ଚାରିଟି ଭାଷାର ସମ୍ମିଶ୍ରଣ ଦେଖିବାକୁ ମିଳୁଛି । ଶୁଦ୍ଧ ଓଡ଼ିଆ ଭାଷାର ପ୍ରୟୋଗ ହେଉନାହିଁ । ତେଣୁ ଏପରି ଏକ ସମୟରେ ନିଃସ୍ବାର୍ଥପର ଓ ସଂକଳ୍ପିତ ଭାବନା ନେଇ ଆଗକୁ ବଢିଲେ ଓଡିଆ ଭାଷାର ସୁରକ୍ଷା ହୋଇପାରିବ । ସୁନେଲି ଭବିଷ୍ଯତ ଆସିପାରିବ ।