ମଣିପୁର ଘଟଣାକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କାର୍ଯ୍ୟାନୁଷ୍ଠାନ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

1 min read

ନୂଆଦିଲ୍ଲୀ: କୁକୀ-ମିତେଇ ବିବାଦରେ ଜଳୁଛି ମଣିପୁର । ଜନଜାତି ମାନ୍ୟତାକୁ ନେଇ ଚରମ ସୀମାରେ ପହଞ୍ଚିଛି ସାମ୍ପ୍ରଦାୟିକ ହିଂସା । ମଣିପୁରର ବର୍ବର ଭିଡିଓ ଭାଇରାଲକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଅନ୍ୟ ରାଜ୍ୟରେ ସମାନ ଘଟଣା ଘଟିଛି କହି ମଣିପୁରର ବର୍ବରକାଣ୍ଡକୁ ଯଥାର୍ଥ ବୋଲି କହିହେବ ନାହିଁ ବୋଲି କୋର୍ଟ କହିଛନ୍ତି । ରାଜ୍ୟରେ ମହିଳାଙ୍କ ସହ ହୋଇଥିବା ହିଂସା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ? ସେ ନେଇ ରିପୋର୍ଟ ମାଗିଛନ୍ତି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ । ପ୍ରଧାନ ବିଚାରପତି ହିଂସା ଏବଂ ଯୌନ ଉତ୍ପୀଡନର ମାମଲାକୁ ନିର୍ଭୟା କାଣ୍ଡଠୁ ମଧ୍ୟ ଅଧିକ ଗମ୍ଭୀର ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଏହା ନିର୍ଭୟା କାଣ୍ଡ ଭଳି ସ୍ଥିତି ନୁହେଁ, ଯେଉଁଥିରେ ଗୋଟିଏ ଗଣଦୁଷ୍କର୍ମ ହୋଇଥିଲା ।

ତାହା ମଧ୍ୟ ଭୀଷଣ ଥିଲା ହେଲେ ଏହା କିନ୍ତୁ ଭିନ୍ନ ମାମଲା ଅଟେ । ଆମେ ଏଠାରେ ବ୍ୟବସ୍ଥାଗତ ହିଂସାର ମୁକାବିଲା କଥା କହୁଛେ, ଯାହାକୁ ଆଇପିସିରେ ଏକ ଭିନ୍ନ ଅପରାଧ ବୋଲି ମଣାଯାଇଥାଏ । ଏଥିପାଇଁ ଆମକୁ ପ୍ରଶାସନରେ ଲୋକଙ୍କ ଭରସା ଜନ୍ମେଇବା ପାଇଁ କୋର୍ଟ ଦ୍ୱାରା ନିଯୁକ୍ତ ଏକ କମିଟି ବନାଇବୁ । ଏହି କମିଟିରେ ରାଜନୀତି ସହ ସମ୍ବନ୍ଧିତ କୌଣସି ବି ଲୋକ ସାମିଲ ହେବେ ନାହିଁ । ଏଥିସହିତ ସେ ରାଜ୍ୟ ପୋଲିସ ଓ ସରକାରଙ୍କ ନିରବତାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ସର୍ବୋଚ୍ଚ କୋର୍ଟ । ଅନ୍ୟ ରାଜ୍ୟର ଉଦାହରଣ ଦେଇ ମଣିପୁରର ବର୍ବରକାଣ୍ଡକୁ ଯଥାର୍ଥ କରିହେବନି ବୋଲି କୋର୍ଟ କହିଛନ୍ତି ।

ମଣିପୁର ପୀଡ଼ିତାଙ୍କ ପିଟିସନର ଶୁଣାଣି କରି ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ। ହିଂସା, ଦଙ୍ଗା, ଯୌନ ଉତ୍ପୀଡ଼ନ ଭଳି ଘଟଣାରେ ଜଳୁଛି ମଣିପୁର। ସମବେଦନାର ସ୍ପର୍ଶରେ ସ୍ଥିତିର ସମାଧାନ କରିବା ଆବଶ୍ୟକତା ରହିଛି। ତିନି ମାସ ଧରି ମଣିପୁର ଜଳୁଥିବା ବେଳେ ପୋଲିସ କ’ଣ କରୁଥିଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇବା ଘଟଣାର ୧୪ଦିନ ଯାଏଁ କାହିଁକି FIR ହୋଇ ନଥିଲା? ହିଂସା ପରଠୁ ପୋଲିସ କେତେ ମାମଲା ରୁଜୁ କରିଛି? ଅଭିଯୁକ୍ତଙ୍କୁ ଗିରଫ କରିବାକୁ କ’ଣ କ’ଣ ପଦକ୍ଷେପ ନିଆଯାଇଛି ?

ଧାରା ୧୬୪ରେ କେତେ ଜଣଙ୍କ ବୟାନ ରେକର୍ଡ ହୋଇଛି ? ଏସବୁର ରିପୋର୍ଟ ଦେବାକୁ କହିଛନ୍ତି କୋର୍ଟ । ସେପଟେ ସିବିଆଇକୁ ତଦନ୍ତ ଭାର ନଦେଇ SIT ଦ୍ବାରା ଯାଞ୍ଚ କରିବାକୁ ପୀଡ଼ିତାଙ୍କ ଓକିଲ ଦାବି କରିଛନ୍ତି। ଆର୍ମି ଅଫିସରଙ୍କୁ ମଧ୍ୟ ତଦନ୍ତରେ ସାମିଲ ନକରିବାକୁ ଅପିଲ କରିଛନ୍ତି ମଣିପୁର ପୀଡ଼ିତା । ଏହସହ ରାଜ୍ୟ ବାହାରେ ଟ୍ରାଏଲ ପାଇଁ କେନ୍ଦ୍ର ସରକାର ଅପିଲ କରିଥିବା ବେଳେ ପୀଡ଼ିତା ଏହାର ବିରୋଧ କରିଛନ୍ତି । ଆସନ୍ତାକାଲି ଦିନ ୨ଟାରେ ପୁଣି ମାମଲାର ଶୁଣାଣି କରିବେ ସିଜେଆଇଙ୍କ ଖଣ୍ଡପୀଠ।