ହରିୟାଣାର ନୁହରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୪୦ ଗାଡ଼ି ପୋଡ଼ିଦେଲେ ଉପଦ୍ରବୀ, ସହରରେ ୧୪୪ ଧାରା ଲାଗୁ

1 min read

ନୁହ: ହରିୟାଣାର ନୁହ ଜିଲ୍ଲାରେ ସୋମବାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ମାତୃଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ଆୟୋଜିତ ବ୍ରଜମଣ୍ଡଳ ଯାତ୍ରା ସମୟରେ ସଂଘର୍ଷ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ୩୬ରୁ ଅଧିକ ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଛି । ପୋଲିସ ଉପରକୁ ମଧ୍ୟ ପଥରମାଡ଼ କରାଯାଇଛି । ଏହି ସଂଘର୍ଷରେ ଅନେକ ଲୋକ ଏବଂ ପୋଲିସକର୍ମୀ ଆହତ ହୋଇଛନ୍ତି । ଗୁଳି ଲାଗିବା କାରଣରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି । ଅବଶ୍ୟ ଏହାର ଔପଚାରିକ ପୃଷ୍ଟି ହୋଇନାହିଁ । ନୁହ ଜିଲ୍ଲା ପ୍ରଶାସନ ସ୍ଥିତିର ମୁକାବିଲା ପାଇଁ ଅନ୍ୟ ଜିଲ୍ଲାରୁ ଅତିରିକ୍ତ ପୋଲିସ ଫୋର୍ସ ମାଗାଇଛନ୍ତି ।

ଏଥିସହିତ ସମ୍ପୂର୍ଣ୍ଣ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ୨ ଦିନ ପାଇଁ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି । ଜିଲ୍ଲାର ସୀମାଗୁଡ଼ିକୁ ମଧ୍ୟ ସିଲ୍ କରିଦିଆଯାଇଛି । ବ୍ରଜମଣ୍ଡଳ ଯାତ୍ରା ନୁହର ନହ୍ଲଡ ଶିବ ମନ୍ଦିରରୁ ଫିରୋଜପୁର-ଝିରକା ଅଭିମୁଖେ ବାହାରିଥିଲା । ଯେମିତି ହିଁ ଶୋଭାଯାତ୍ରା ତ୍ରିରଙ୍ଗା ପାର୍କ ପାଖରେ ପହଞ୍ଚିଥିଲା, ସେଠାରେ ଅନ୍ୟ ଏକ ଗୋଷ୍ଠୀର ଲୋକ ପୂର୍ବରୁ ହିଁ ଜମା ହୋଇଥିଲେ । ସାମ୍ନା-ସାମ୍ନି ହେବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଥିଲା । ଆଉ ଦେଖୁ ଦେଖୁ ସେଠାରେ ପଥରମାଡ଼ ଆରମ୍ଭ ହୋଇଯାଇଥିଲା ।

ତେବେ ଏବେ ବି ନୁହ ଜିଲ୍ଲାର ନହ୍ଲଡ ଶିବମନ୍ଦିର ଆଖପାଖରେ ବଡ଼ ସଂଖ୍ୟାରେ ଉପଦ୍ରବୀଙ୍କ ଗୋଷ୍ଠୀ ଜମା ହୋଇଯାଇଛି । ଉପଦ୍ରବୀ ଗୋଷ୍ଠୀ ମନ୍ଦିରରେ ମଧ୍ୟ ଭଙ୍ଗାରୁଜା କରିଥିବା ସୂଚନା । ପଥରମାଡ଼ ହେଉଥିବା ସ୍ଥାନରେ ପୋଲିସ ପହଞ୍ଚିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଫକ୍ଷରୁ ଫାଙ୍କା ଫାୟାରିଂ ମଧ୍ୟ କରାଯାଇଛି । ସୋମବାର ଅପରାହ୍ନରେ ତ୍ରିରଙ୍ଗା ପାର୍କ ପାଖରେ ଆରମ୍ଭ ହୋଇଥିବା ହିଂସା ଦେଖୁ ଦେଖୁ ସାରା ସହରରେ ବ୍ୟାପିଯାଇଥିଲା । ଏହି ଅବସରରେ ପୂରୁଣା ବସ୍ ଷ୍ଟାଣ୍ଡ, ହୋଟେଲ ବାଇପାସ୍, ମେନ ବଜାର, ଧାନ ମଣ୍ଡି ଏବଂ ଗୁରୁଗ୍ରାମ-ଅଲୱର ରାଜପଥରେ ଗୋଟିଏ ପରେ ଗୋଟିଏ ଗାଡ଼ି ପୋଡ଼ିଦେଇଥିଲେ ଉପଦ୍ରବୀ ।

୪୦ରୁ ଅଧିକ ଗାଡ଼ି ପୋଡ଼ିଦିଆଯିବା ସହ ଭଙ୍ଗାଯାଇଥିବା ସୂଚନା । ତେବେ ଆଜିର ହିଁସା ମୋନୁ ମାନେସରଙ୍କୁ ନେଇ ହୋଇଥିବା କୁହାଯାଇଛି । ହରିୟାଣାରେ ବଜରଙ୍ଗ ଦଳର ପ୍ରାନ୍ତ ଗୋରକ୍ଷା ପ୍ରମୁଖ ମୋନୁ ମାନେସର ଉପରେ ରାଜସ୍ଥାନରେ ଭରତପୁରର ବାସିନ୍ଦା ଦୁଇ ଯୁବକ ନାସିର ଏବଂ ଜୁନୈଦଙ୍କ ହତ୍ୟାର ଅଭିଯୋଗ ରହିଛି । ଦୁଇ ଯୁବକଙ୍କୁ ଭିବାନୀରେ ତାଙ୍କ ଗାଡି ଭିତରେ ଜୀଅନ୍ତା ଜାଳିଦିଆଯାଇଥିଲା । ମୋନୁ ଏହି ମାମଲାରେ ୱାଣ୍ଟେଡ ଅଛି ।

ତେବେ ଆଜିର ଶୋଭାଯାତ୍ରାରେ ମୋନୁ ସାମିଲ ହେବା ନେଇ ଗୋଟି ଦିନ ପୂର୍ବରୁ ଭିଡିଓ ଜାରି କରି ସୂଚନା ଦେଇଥିଲା । ଏହି କାରଣରୁ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ମୋନୁକୁ ବିରୋଧ କରି ଆଜିର ଶୋଭାଯାତ୍ରା ଉପରକୁ ପଥରମାଡ଼ କରିଥିଲେ । ଯାହାଫଳରେ ଏହି ହିଂସା ଆରମ୍ଭ ହୋଇଥିଲା । ପୋଲିସ ମଧ୍ୟ ମୋନୁକୁ ଗିରଫ କରିବା ପାଇଁ ଘଟଣାସ୍ଥଳକୁ ଯାଇଥିଲା ହେଲେ ହିଂସାକାଣ୍ଡ ହେବା ବେଳକୁ ମୋନୁ ସେଠାରେ ପହଞ୍ଚି ନଥିଲା ।