ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଖରାରେ ଆସିଥିବାରୁ ଜନତାଙ୍କୁ ଜଣାଇଲେ ଧନ୍ୟବାଦ

1 min read

ରାଉରକେଲା: ଜୁଲାଇ ମାସରୁ ଆଉ ବିଜୁଳି ବିଲ ଦେବାକୁ ପଡିବନି। ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କରିବା ସହ ବିରୋଧୀ ଦଳ ମିଛ କଥା କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ ପଟ୍ଟନାୟକ।

ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ ଯୋଜନା, 5T ସ୍କୁଲ, ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ, କାଳିଆ ଯୋଜନା, ଚାଉଳ କାର୍ଡ ଭଲ କି ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରି ଜନତାଙ୍କ ମତାମତ ନେଇଥିଲେ। ସୁନ୍ଦରଗଡରେ ବିକାଶର ଧାରାକୁ ଆହୁରି ଆଗେଇ ନେବାକୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି।

ସେହିଭଳି ଜୁନ ୯ ତାରିଖରେ ବିଜୁଳି ବିଲ ଛାଡ କରିବା ପରେ ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ ପାଇଥିବା ସବୁ ଲୋକଙ୍କୁ କାର୍ଡ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସରକାରୀ କର୍ମଚାରୀ, ଆଶା ଦିଦି, ଅଙ୍ଗନୱାଡି କର୍ମୀ ବି ବିଏସକେୱାଇ କାର୍ଡ ପାଇବେ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଲୋକ ଭାବୁଛନ୍ତି ବିଧାୟକରେ ଶଙ୍ଖ ଚିହ୍ନକୁ ଭୋଟ ଦେଇ ସାଂସଦ ପ୍ରାର୍ଥୀଙ୍କ କ୍ଷେତ୍ରରେ ଏପଟ ସେପଟ କରିବେ ବୋଲି । କିନ୍ତୁ ଏଭଳି ନକରି ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ। ଗତ ୨୦ ବର୍ଷ ଧରି ସୁନ୍ଦରଗଡବାସୀ ଜଣଙ୍କୁ ସାଂସଦ ଭାବେ ନିର୍ବାଚିତ କରୁଛନ୍ତି। ଖାଲି ଏତିକି ନୁହେଁ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଏହି ଅବସରରେ କହିଛନ୍ତି ଯେ,  ୨୦ ବର୍ଷ ଧରି ସୁନ୍ଦରଗଡ କି ରାଉରକେଲା ପାଇଁ ଆପଣ ଚୟନ କରିଥିବା ସାଂସଦ କଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଉରକେଲାକୁ ବିଶ୍ବ ଦରବାରରେ ଏକ ନୂଆ ପରିଚୟ ଦେଇଛନ୍ତି। ରାଉରକେଲାରେ ବିଶ୍ବକପ ଆୟୋଜନ ସ୍ବପ୍ନରେ ମଧ୍ୟ ଚିନ୍ତା କରାଯାଇନଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଛି।

ବିରୋଧୀ ଦଳ କହୁଥିଲେ ତେଲ ଦର କମିବ, ପେଟ୍ରୋଲ-ଡିଜେଲ ଦର କମିବ, ରାଉରକେଲାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ହେବ। ବିରୋଧୀ ଦଳ ଯେଉଁ ଘୋଷଣା କରିଥିଲେ ତାହା ପୂରଣ କଲେ କି ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ କିନ୍ତୁ ସୁନ୍ଦରଗଡରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିଛନ୍ତି। ନିର୍ବାଚନ ଆସିଲେ ବିରୋଧୀ ବଡ ବଡ କଥା କୁହନ୍ତି, କାମ କରନ୍ତି ନାହିଁ। ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି, ଅଧିକ କାମ କରନ୍ତି। ଏବେ ସମୟ ଆସିଛି ସୁନ୍ଦରଗଡରେ ବିକାଶ ଧାରା ଜାରି ରଖିବାକୁ ବିଜେଡିକୁ ଆଶୀର୍ବାଦ କରିବାର।