ରୋହଣୀ କୋର୍ଟ ବିସ୍ଫୋରଣ ମାମଲା; ୟୁଟ୍ୟୁବରୁ ବୋମା ତିଆରି ଶିଖିଥିଲେ ବୈଜ୍ଞାନିକ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ରୋହିଣୀ କୋର୍ଟରେ ବୋମା ଖଞ୍ଜି ଗିରଫ ହୋଇଥିବା ଡିଆରଡିଓ ବୈଜ୍ଞାନିକ ଭାରତ ଭୂଷଣ କାଟାରିଆଙ୍କ କାରନାମା ପଦାକୁ ଆସୁଛି । ଏହି କାଣ୍ଡ ଘଟାଇବା ପଛରେ କେତେକ କାରଣ ଦାୟୀ ବୋଲି ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି । କେତେକ ମାମଲାରେ କୋର୍ଟରେ ହାଜର ନ ହୋଇପାରିବାରୁ ଜରିମାନା, ସ୍ତ୍ରୀ କର୍କଟ ରୋଗରେ ପୀଡିତ ହେବା, ଘର ଭଡା ବାବଦରେ ୫୦ ହଜାର ଟଙ୍କା ଦେଇ ନପାରିବା ଆଦି କାରଣକୁ ନେଇ ଭାରତ ଏହି କାଣ୍ଡ ଘଟାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏହି ସବୁ କାରଣକୁ ନେଇ ଭାରତ ଶେଷରେ ପଡୋଶୀ ତଥା ଓକିଲ ଅମିତ ବଶିଷ୍ଠଙ୍କୁ ହତ୍ୟା କରିବା ଲାଗି ଯୋଜନା କରିଥିଲେ ।

ଏହା ପୂର୍ବରୁ ଭାରତଙ୍କ ବିରୋଧରେ ଅମିତ ଏକ ଅପରାଧିକ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ଭାରତଙ୍କ ଉପରେ ୧ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ । ତିନି ମହଲା ବିଶଷ୍ଟ ଆପାର୍ଟମେଣ୍ଟରେ ଏକ ଲିଫ୍ଟ ଲଗାଇବାକୁ କେନ୍ଦ୍ର କରି ୧୦ ବର୍ଷ ତଳେ ଭାରତ ଓ ଅମିତଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏହାକୁ ନେଇ ଭାରତଙ୍କ ବିରୋଧରେ ଅମିତ ମାମଲା ଦାୟର କରିଥିଲେ । ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ପରେ ଭାରତ ସେହି ଆପାର୍ଟମେଣ୍ଟ ଛାଡି ଅନ୍ୟ ଏକ ଘରେ ଭଡା ରହିଥିଲେ ଯାହାର ଭଡା ମାସିକ ୫୦ ହଜାର ଟଙ୍କା ଥିଲା । ବୋମା ଲାଗି ସେ ଇ-କମର୍ସ ଓ୍ବେବସାଇଟରୁ ଆମୋନିୟମ ନାଇଟ୍ରେଟ କିଣିଥିଲେ । ଏଥିଲାଗି ସେ ୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ପରେ ୟୁଟ୍ୟୁବରେ ସେ ବୋମା ତିଆରି କୌଶଳ ହାସଲ କରିଥିଲେ ।

Leave a Reply