ଓଡ଼ିଶା ଭିଜିଲାନ୍ସ ନମ୍ବର ଓ୍ବାନ୍

1 min read

ଭୁବନେଶ୍ବର: ଦୁର୍ନୀତିକୁ ନା, ଦେଶ ପ୍ରତି ପ୍ରତିବଦ୍ଧତା, ଏଇ ନାରା ଦେଇ  ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଏକ ନିଆରା ଢଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ସଚ୍ଚୋଟତାର ଶପଥପାଠ କରାଇଛନ୍ତି । ଫାଇଭ-ଟି ଇନିସିଏଟିଭ ଦ୍ବାରା ରାଜ୍ୟରେ ଦୁର୍ନୀତିକୁ ରୋକିବାରେ ଓଡିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇପାରିଛି । ତେବେ ଆଗାମୀ ଦିନରେ କ୍ରିପ୍ଟୋ କରେନ୍ସି ଭଳି ବେନାମୀ ଡିଜିଟାଲ କାରବାର ଉପରେ ରୋକ ଲଗାଇବା ଦିଗରେ ଭିଜିଲାନ୍ସ ବିଭାଗ ଟେକ୍ନୋଲୋଜିର ବହୁଳ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିବାରେ ଓଡିଶା ଭିଜିଲାନ୍ସ ଏକ ନମ୍ବର । ସଦ୍ୟତମ  ଏନସିଆରବି ରିପୋର୍ଟରୁ ମିଳିଛି ପ୍ରମାଣ । ଆଗକୁ ବେନାମୀ ଡିଜିଟାଲ କାରବାର ଉପରେ ଲାଗିବ ରୋକ ।  ଦୁର୍ନୀତିକୁ ନା, ଦେଶ ପ୍ରତି ପ୍ରତିବଦ୍ଧତା ଏହି ନାରା ଦେଇ ଆଜିଠାରୁ ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ନିଆରା ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜିଲ୍ଲା ଓ ବ୍ଲକ ସ୍ତରର ଆଧିକାରୀଙ୍କୁ ଦୁର୍ନୀତିମୁକ୍ତ ଶାସନର ଶପଥପାଠ କରାଇଛନ୍ତି । ଆଉ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସ୍କୁଲ କଲେଜ ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗ୍ରୁପ, ଆଶା କର୍ମୀଙ୍କୁ ଏହି ଗଣ ଶପଥପାଠର ସିଧାପ୍ରସାରଣ ପ୍ରଦର୍ଶନ କରାଯାଇଛି ।

ରାଜ୍ୟ ସରକାରଙ୍କ ଫାଇଭ-ଟି ନୀତି ଆଧାରରେ ଦୁର୍ନୀତି ଅଭିଯୋଗରେ ଛୋଟ ଠାରୁ ବଡ ସବୁ ସ୍ତରର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଯେଉଁଥିପାଇଁ ଆୟ ବହିର୍ଭୁତ ସମ୍ପତ୍ତି ମାମଲା ଠାବ କରିବାରେ ଓଡିଶା ଭଜିଲାନ୍ସ ସାରା ଦେଶରେ ଏକ ନମ୍ବର । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ସଦ୍ୟତମ ରିପୋର୍ଟରୁ ଏହା ପ୍ରମାଣିତ ହୋଇଛି । ଆଗାମୀ ଦିନରେ ବେନାମୀ ଡିଜିଟାଲ କାରବାରକୁ ଚେକ ଦେବା ରାଜ୍ୟ ଭିଜିଲାନ୍ସ ପାଇଁ ଏକ ଚ୍ୟାଲେଂଜ ହେବ । କ୍ରିପ୍ଟୋ କରେନ୍ସି ଜରିଆରେ ହେଉଥିବା ବେନାମୀ ଡିଜିଟାଲ କାରବାରରେ ଚେକ ଦେବାକୁ ଅଧିକ ପ୍ରଫେସନାଲ ଓ ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ ନୀତିକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉଛି । ଏଭିତିରେ ବହୁ ଦୁର୍ନୀତି ମାମଲାର ପର୍ଦ୍ଦାଫାସ୍ କରିଛି ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୭୭ପ୍ରତିଶତ ସଫଳତା ମିଳିଛି । ସବୁ ଭିଜିଲାନ୍ସ କୋର୍ଟକୁ ଡିଜିଟାଇଜ କରାଯାଇଛି । ଦୁର୍ନୀତି ହେଉଛି କର୍କଟ ସଦୃଶ । ଏହାର ସଫଳ ଚିକିତ୍ସା ଦରକାର । ଏକ ଦୁର୍ନୀତିମୁକ୍ତ ଓ ସଶକ୍ତ ପ୍ରଶାସନ ଜରିଆରେ ନୂଆ ଓଡ଼ିଶା ଗଠନ ସ୍ୱପ୍ନକୁ ସଫଳ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ କାମ କରିବ ବୋଲି କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ। ସାଧାରଣ ଜୀବନରେ ସାଧୁତା, ସ୍ବଚ୍ଛତା ଓ ଉତ୍ତରଦାୟିତ୍ବକୁ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ଦୃଢତାର ସହ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ଚଳିତ ବର୍ଷ ପ୍ରଥମ ଦଶ ମାସରେ ୩୮ ଜଣ ପ୍ରଥମ ଶ୍ରେଣୀ, ୩୭ ଜଣ ଗ୍ରୁପ-ବି ଅଫିସରଙ୍କ ସମେତ ମୋଟ ୩୬୫ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ୨୦୧ଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ୨୭ ଜଣ ସରକାରୀ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରାଯାଇଥିବା ବେଳେ ୧୪ଜଣ ଅବସରପ୍ରାପ୍ତ ଅଫିସରଙ୍କ ପେନସନ ବନ୍ଦ ହୋଇଛି । ୨୦୨୨ ଓ ୨୦୨୩ରେ ୨୬୮ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।