ସାବତ ପୁଅ, ଝିଅଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲା ମାଆ

ଆଠଗଡ଼: ରାକ୍ଷସୀ ସାଜିଲା ସାବତ ମାଆ । କୁନି କୁନି ଭାଇ ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରି କଲା ଲହୁ ଲୁହାଣ । ଜନ୍ମକଲା ବାପା ବି ଦ୍ବିତୀୟ ସ୍ତ୍ରୀର ସାଥ ଦେଇଥିଲା । ଦୀର୍ଘଦିନ ଧରି ଦୁଇ ଜଣକୁ ଘରେ ଭିତରେ ବନ୍ଦ କରି ରଖିବା ସହ ହାତ ଗୋଡ ବାନ୍ଧି ବାପା ମାଆ ଦେଉଥିଲେ ଅକଥନୀୟ ନିର୍ଯାତନା । ଆଠଗଡ ଥାନା ଅଶୋକ ନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଆଜି ଶଇତାନ ବାପା ମାଆ ପାଖରୁ ଖସି ଆସିଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ଦୁହେଁ ଉଦ୍ଧାର ହୋଇଛନ୍ତି । ମୁଁହ, ହାତ,ଗୋଡ ଓ ପୁରା ଶରୀରରେ ମାଡ଼ ଚିହ୍ନ ଦେଖି ଉଭୟଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଠଗଡ ଡାକ୍ତରଖାନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ଗୁରୁତର ଭାଇ ଭଉଣୀଙ୍କୁ ଭେଟିବା ସହ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବାଙ୍କୀ ପାର୍ଥପୁର ଅଞ୍ଚଳର ସୁନିଲ କୁମାର ନନ୍ଦ ନିଜ ସ୍ତ୍ରୀକୁ ଛାଡି ଯାଜପୁର ଅଞ୍ଚଳର ଜଣେ ମହିଳାଙ୍କୁ ଧରି ଆଠଗଡ ଅଶୋକ ନଗରରେ ରହୁଛନ୍ତି। ହେଲେ ପ୍ରଥମ ସ୍ତ୍ରୀର ୧୩ ବର୍ଷର ପୁଅ ଓ ୧୦ ବର୍ଷର ଝିଅକୁ ନିଜ ପାଖରେ ରଖିଛନ୍ତି। ହେଲେ ଉଭୟଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିବା କହିଛନ୍ତି ଉଦ୍ଧାର ହୋଇଥିବା ଦୁଇ ଶିଶୁ ।