ନିବେଶକଙ୍କୁ ଟାଣିବ ଓଡ଼ିଶା ଆଇଟି ନୀତି-୨୦୨୨, ପୁଞ୍ଜି ଭିଡ଼ିବାକୁ ପ୍ରୋତ୍ସାହନ ବର୍ଷା

1 min read

ଭୁବନେଶ୍ୱର: ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଫୋକସ୍ କରାଯିବ । ରାଜ୍ୟବାସୀଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ଡିଜିଟାଲ ବ୍ୟବହାରକୁ ଅଗ୍ରାଧିକାର ଦିଆଯିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶାରେ ‘ସୂଚନା ଓ ପ୍ରଯୁକ୍ତି ବିଦ୍ୟା ନୀତି-୨୦୨୨’ (ଆଇଟି ପଲିସି-୨୦୨୨) ଲାଗୁ କରିବେ । ଆଜି ରାଜ୍ୟ କ୍ୟାବିନେଟ୍ ଏ ନୂଆ ଆଇଟି ନୀତିକୁ ଅନୁମୋଦନ କରଛି । ଏହାଛଡ଼ା ଖୋର୍ଦ୍ଧା ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇଦେବେ । ଦାଦନପ୍ରବଣ ଜିଲ୍ଲାରେ ମନରେଗା କାମକୁ ବ୍ୟାପକ କରିବାକୁ ପାଣ୍ଠି ମଞୁର ହୋଇଥିଲା ବେଳେ ପୁରୀରେ ଅବଢା ପ୍ରକଳ୍ପରେ ଧମର୍ଶାଳା ନିର୍ମାଣ ପାଇଁ ପ୍ରକଳ୍ପ ପ୍ରସ୍ତାବରେ କ୍ୟାବିନେଟ୍ ହଁ ମାରିଛି । ଏହାସହ ବିଭିନ୍ନ ବିଭାଗର ଆଉ ୧୬ଟି ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏ ବୈଠକେ ୧୭ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରୀ ପାଇଥିଲା । ସରକାର ଆଣିଥିବା ଆଇଟି ନୀତିରେ ନିବେଶକଙ୍କୁ ଆକୃଷ୍ଟ କରିବାକୁ ବହୁ ଅନୁକୂଳ ବ୍ୟବସ୍ଥା କରିଛନ୍ତି । ଆଇଟି ପାର୍କ ପ୍ରତିଷ୍ଠା କରିବାକୁ ଆଗ୍ରହୀ ନିବେଶକଙ୍କୁ ସବସିଡି ବାବଦକୁ ସର୍ବାଧିକ ୨୦ କୋଟି ମିଳିବ । ସୌରଶକ୍ତି ପ୍ଲାଣ୍ଟ ପାଇଁ ସର୍ବାଧିକ ୨୫ ଲକ୍ଷ ଟଙ୍କା ରାଜ୍ୟ ସରକାର ଭରଣା କରିବେ । ଗ୍ରୀନଫିଲଡ ଆଇଟି ପାର୍କ କ୍ଷେତ୍ରରେ ସରକାର ଶତ ପ୍ରତିଶତ ଷ୍ଟାମ୍ପଡ୍ୟୁଟି ସହ ରେଜିଷ୍ଟ୍ରେସନ ଫି ଓ ଜମିର କିସମ ପରିବର୍ତ୍ତନ ଫି ଛାଡ଼ କରିବାକୁ ନିଷ୍ପତି ନେଇଛନ୍ତି । ଏହାଛଡ଼ା ଆଇଟି ପଲିସିରେ ପୁଞ୍ଜି ନିବେଶ ରିହାତି ବାବଦକୁ ୩ କୋଟି ଯାଏ ପାଣ୍ଠି ଯୋଗାଇଦେବେ । ୫% ସୁଧ ଛାଡ଼,୩ ବର୍ଷ ଯାଏ ବିଜୁଳି ଶୁଳ୍କର ୩୦% (ୟୁନିଟ ପିଛା ସର୍ବାଧିକ ୩୫ ଲକ୍ଷ) ଛାଡ଼ କରିବାକୁ ବ୍ୟବସ୍ଥା କରାଯାଇଛି । ଆଇଟି ପଲିସିରେ ଅଧିକ ନିବେଶକ କିଭଳି ଆକର୍ଷିତ ହେବେବ ତାକୁ ଧ୍ୟାନରେ ରଖି ସେଣ୍ଟର ଅଫ ଏକ୍ସେଲନ୍ସି ପାଇଁ ସହାୟତା, ଜମି ଲିଜ କିମ୍ବା କିଣାବିକାରେ ଷ୍ଟାମ୍ପଡ୍ୟୁଟି ଓ କିସମ ବଦଳ ଫି ଛାଡ଼ ସୁବିଧା ରଖାଯାଇଛି ।

ରାଜ୍ୟ ସରକାର ଦାଦନପ୍ରବଣ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ୨୦ ବ୍ଲକରେ ଦାଦନ ସମସ୍ୟା ଦୂରେଇବାକୁ ରାଜ୍ୟ ସରକାର ଏ ଅଞ୍ଚଳରେ ବର୍ଷକୁ ଅଧିକ ୨୦୦ ଦିନର କାମ ଯୋଗାଇଦେବେ । କ୍ୟାବିନେଟ୍ ଏହାକୂ ଅନୁମୋଦନ କରିଛି ।

ଏଥିସହିତ ପଢ଼ନ୍ତୁ: ରୂପାନ୍ତରିତ ସ୍କୁଲକୁ ମିଳିବ ଇଣ୍ଟରନେଟ୍, ସିସିଟିଭି କ୍ୟାମେରା ମଧ୍ୟ ଲାଗିବ