ଆପାର୍ଟମେଣ୍ଟରେ ଆତ୍ମହତ୍ୟା କଲେ ଅମୃତା, ଶେଷଥର ପୋଷ୍ଟ କଲେ ଏଭଳି ଷ୍ଟାଟସ୍‌

ପାଟନା: ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଦୁଃଖଦ ଖବର  । ଜଣାଶୁଣା ଅଭିନେତ୍ରୀ ଅମୃତା ପାଣ୍ଡେ ଆଉ ନାହାନ୍ତି  । ବିହାରରେ ନିଜ ଆପାର୍ଟମେଣ୍ଟରୁ ଅମୃତାଙ୍କ ମୃତଦେହ ଉଦ୍ଧାର ହୋଇଛି  । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅମୃତା ହ୍ୱାଟସ୍‌ଆପ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି  । ଯେଉଁ ଶେଷ ହ୍ବାଟସ୍‌ଆପ୍‌ ପୋଷ୍ଟରେ ଲେଖାଯାଇଛି ‘‘ଦୁଇଟି ଡଙ୍ଗାରେ ତା ଜୀବନ ଫସିରହିଥିଲା, ମୁଁ ମୋ ଡଙ୍ଗା ବୁଡାଇ ତା ଯାତ୍ରା ସହଜ କରିଦେଲି’’ ।

ଅମୃତାଙ୍କ ପରିବାର ଲୋକଙ୍କ କହିବା କଥା ସେ ନିଜ କ୍ୟାରିଅରକୁ ଚିନ୍ତିତ ରହୁଥିଲେ  । ଦୀର୍ଘ ଦିନ ଧରି ସେ ଡିପ୍ରେସନରେ ଥିବା ପରିବାର ଲୋକେ କହିଛନ୍ତି  । ଗତ ୨୦୨୨ରେ ସେ ଛତିଶଗଡ ବିଳାସପୁରର ଚନ୍ଦ୍ରମଣି ଝାଙ୍ଗଡଙ୍କୁ ବିବାହ କରିଥିଲେ  । ଶେଷଥର ପାଇଁ ଅମୃତାଙ୍କୁ ୱେବସିରିଜ ପ୍ରତିଶୋଧରେ ଦେଖିବାକୁ ମିଳିଥିଲା  । ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ ଯାଦବଙ୍କ ସହ ଫିଲ୍ମ ଦିୱାନାପନରେ ନଜର ଆସିଥିଲେ ଅମୃତା  ।

ଗତ ଏପ୍ରିଲ ୨୭ରେ ଦିବ୍ୟଧର୍ମା ଆପାର୍ଟମେଣ୍ଟରେ ଅମୃତା ଆତ୍ମହତ୍ୟା କରିଥିଲେ  । ଦ୍ବିପ୍ରହର ୩ଟାରେ ଭଉଣୀ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ତାଙ୍କ ଭଉଣୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ  । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ପୋଲିସ ଘଟଣାର ତଦନ୍ତ କରୁଛି ।