ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନବୀନଙ୍କ ଷଷ୍ଠ ଇଂନିସ । ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜିଳି ଆସନରୁ କ୍ରମାଗତ ଷଷ୍ଠ ଥର ପାଇଁ ନବୀନ ଭରିବେ ନାମାଙ୍କନ । ଏଥିପାଇଁ ସକାଳ ୧୦ଟା ୨୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ହିଞ୍ଜିଳି ଅଭିମୁଖେ ଯିବେ ନବୀନ । ୧୧ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବେ । ମାଆଙ୍କ ଆଶୀର୍ବାଦ ନେଇ ସେଠାରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ ।

୧୨ଟା ୩୫ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ଅନ୍ଯମାନେ ଉପସ୍ଥିତ ରହିବେ । ୨୦୦୦ ମସିହାରୁ ହିଞ୍ଜିଳିରୁ ବିଧାୟକ ରହିଆସିଛନ୍ତି ନବୀନ । ୫ ଥର ହିଞ୍ଜିଳିରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ଏଥର ଷଷ୍ଠଥର ନିର୍ବାଚନ ଲଢୁଛନ୍ତି । ବିଜୁଙ୍କ ଅବର୍ତ୍ତମାନରେ ସମୟ ଚକ୍ରରେ ଓଡ଼ିଶାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନବୀନ ୫୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଲେ । ଆଉ ବନିଗଲେ ଅପରାଜେୟ, ଅପ୍ରତିଦ୍ବନ୍ଦୀ ଆଉ ଓଡ଼ିଶାବାସୀଙ୍କ ଅତିଆପଣାର ।

୧୯୯୭ ଆସିକା ଉପନିର୍ବାଚନରୁ ଏଯାଏ ନବୀନ ରହିଛନ୍ତି ଅନବିଟେବୁଲ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ନବୀନ । ପରେ ୨୦୦୦ ମସିହାରୁ ଲଗାତାର ହିଞ୍ଜିଳି ଆସନରୁ ବିଜୟୀ ହୋଇ ଓଡିଶା ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛନ୍ତି । ୨୪ ବର୍ଷର ଶାସନରେ ଓଡ଼ିଶାକୁ ଆତ୍ମନିର୍ଭର, ଶିଳ୍ପ ସମୃଦ୍ଧ, ଆର୍ଥିକ ସ୍ବଚ୍ଛଳ ରାଜ୍ଯ ଭାବେ ନବୀନ ଗଢିତୋଳିଛନ୍ତି । ଗତ ୩ଟି ସାଧାରଣ ନିର୍ବାଚନକୁ ଦେଖିଲେ ୨୦୦୯ରେ ନବୀନ ୬୧ ହଜାର ୨୭୩ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ । ଭୋଟ ପ୍ରତିଶତ ଥିଲା ୬୩ ଦଶମିକ ୮୮ ।

୨୦୧୪ରେ କଂଗ୍ରେସ ପ୍ରାର୍ଥୀଙ୍କୁ ୭୬ ହଜାର ୫୮୬ ଭୋଟରେ ପରାଜିତ କରି ଚତୁର୍ଥ ଥର ବିଧାୟକ ହୋଇଥିଲେ ନବୀନ । ୨୦୧୯ରେ ବିଜେପି ପ୍ରାର୍ଥୀଙ୍କୁ ୬୦ ହଜାର ୧୬୦ ଭୋଟରେ ହରାଇ ବିଜୟ ଲାଭ କରିଥିଲେ । ଏଥର ନବୀନ ଷଷ୍ଠଥର ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ବିଜେପିର ଶିଶିର ମିଶ୍ର ଓ କଂଗ୍ରେସର ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି । ମେ ୨୦ ତାରିଖରେ ହିଞ୍ଜିଳିର ମତଦାନ ହେବ । ନବୀନ ହିଞ୍ଜିଳି ଛଡ଼ା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରୁ ମଧ୍ଯ ପ୍ରାର୍ଥୀ ହୋଇଛନ୍ତି ।